ନିଯୁକ୍ତି ପ୍ରଦାନ ଦାବି: ୟୁଥ୍‌ ଫର ଆକ୍ସନ୍‌ ପକ୍ଷରୁ ଶିଳ୍ପ ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ଦେବା ଦାବିରେ ୟୁଥ୍‌ ଫର ଆକ୍ସନ୍‌ ପକ୍ଷରୁ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ୨୦ବର୍ଷ ମଧ୍ୟରେ ସରକାର ବିଭିନ୍ନ ଶିଳ୍ପାନୁଷ୍ଠାନ ସହ ୨୦୦ରୁ ଅଧିକ ଚୁକ୍ତି କରିଛନ୍ତି। ଏହି ଚୁକ୍ତିର ନିୟମ ଅନୁଯାୟୀ, କଂପାନିମାନେ ସ୍ଥାନୀୟ ଅଞ୍ଚଳରୁ ୯୦ପ୍ରତିଶତ ଅଣକୁଶଳୀ ଓ ୬୦ପ୍ରତିଶତ କୁଶଳୀ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏଥିସହ ୩୦ ପ୍ରତିଶତ ପର୍ଯ୍ୟବେକ୍ଷକ ଏବଂ ପରିଚାଳନା ପାଇଁ ରହିବ।

କିନ୍ତୁ ଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ୨୦ଲକ୍ଷରୁ ଅଧିକ ଯୁବକ ରାଜ୍ୟ ଶ୍ରମ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ନିଯୁକ୍ତି ପାଇଁ ପଞ୍ଜୀକରଣ କରିଛନ୍ତି। ରାଜ୍ୟ ଶ୍ରମ ନିୟୋଜନ କାର୍ଯ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ୧୮,୮୧,୯୩୨ ଦକ୍ଷତା ବିକାଶ ଓ ଜ୍ଞାନକୌଶଳ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ଶ୍ରମନିୟୋଜନ କାର୍ଯ୍ୟା​ଳୟରେ ନିଯୁକ୍ତି ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୧୯୨୫୦ଜଣ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଯାହା ପଞ୍ଜୀକରଣ କରିଥିବା ସଂଖ୍ୟାର ମାତ୍ର ୧.୦୨ ପ୍ରତିଶତ। ଏଥିରୁ ଅନୁମେୟ ଯେ ରାଜ୍ୟ ସରକାର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଅବହେଳା କରୁଛନ୍ତି। ତେଣୁ ତୁରନ୍ତ ଏଦିଗରେ ଧ୍ୟାନ ଦେବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର