ଛାତ୍ରାବାସ କବ୍‌ଜାକରୀଙ୍କୁ ଗିରଫ କରିବାକୁ ଦାବି

ସୁପରିନ୍‌ଟେ‌େଣ୍ଡଣ୍ଟ୍‌ଙ୍କଠାରୁ ମଗାଗଲା ଅଣଛାତ୍ରଙ୍କ ରିପୋର୍ଟ, କେୟାର ଟେକର୍‌ମାନଙ୍କ ସହ କୁଳସଚିବଙ୍କ ରୁଦ୍ଧଦ୍ବାର ବୈଠକ

ଭୁବନେଶ୍ବର : ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ସହିଦନଗର ଥାନାରେ ପୁଲିସକୁ ମାଡ଼ ଓ ଥାନାର ଆସବାବପତ୍ର ଭଙ୍ଗାରୁଜା ଘଟଣା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଜୁଆ ଆଡ଼ା ଠାବ ହେବା ଉଚ୍ଚଶିକ୍ଷାର ପ୍ରକୃତ ସ୍ଥିତିକୁ ପଦାକୁ ଆଣିଛି। ବିଶ୍ବବିଦ୍ୟାଳୟର କେତେଜଣ ପୂର୍ବତନ ଛାତ୍ର ସଂସଦ ସଭାପତି ଏବେ ହଷ୍ଟେଲ ରୁମ୍‌କୁ ନିଜ କବ୍‌ଜାରେ ରଖିଛନ୍ତି। ସେଠାରେ ବେଆଇନ କାର୍ଯ୍ୟ କରିବା ସହ ମଦ ଓ ମାରଣାସ୍ତ୍ର ରଖୁଛନ୍ତି। ଏହାଦ୍ବାରା ଉଚ୍ଚଶିକ୍ଷା ବ୍ୟବସ୍ଥା କିଭଳି ନିମ୍ନଗାମୀ ହେଉଛି ତାହା ଜଣାପଡ଼ୁଛି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ କେତେଜଣ ଛାତ୍ରନେତା ଛାତ୍ରାବାସଗୁଡ଼ିକରେ ଅଣଛାତ୍ରଙ୍କୁ ରଖୁଛନ୍ତି। ଏଥିପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଭଡ଼ା ଆଦାୟ କରୁଛନ୍ତି। ଠିକାଦାରମାନଙ୍କୁ ଭୟଭୀତ କରି ଚାନ୍ଦା ଆଦାୟ କରୁଛନ୍ତି। ପ୍ରଫେସରମାନଙ୍କୁ ବି ଧମକ ଦେଖାଉଛନ୍ତି। ଏମାନଙ୍କ ଇସାରାରେ ବିଭିନ୍ନ ସମୟରେ କ୍ୟାମ୍ପସରେ ଭଙ୍ଗାରୁଜା ମଧ୍ୟ ହେଉଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସବୁ ଜାଣିଥିଲେ ମଧ୍ୟ ‌ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି। ଛାତ୍ରାବାସଗୁଡ଼ିକୁ କବ୍‌ଜା କରି ରଖିଥିବା ଛାତ୍ରନେତାମାନଙ୍କୁ ତୁରନ୍ତ ଗିରଫ କରାଯାଉ। ନ ହେଲେ ନିବାସ ଘେରାଉ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର