ଧଉଳି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ବାଇପାସ୍ ରାସ୍ତା ଧଉଳି ଥାନା ଅନ୍ତର୍ଗତ ଶକ୍ତିନଗର ଓ ନନ୍ଦିଘୋଷନଗର(ଶିଶୁପାଳଗଡ଼) ଛକ ଏବେ ଚୋରାମଦ ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି। ଏଠାରେ ରାତିସାରା ଚୋରାମଦର ପସରା ମେଲୁଛି। ଚୋରାରେ ଆସୁଥିବା ବିଷାକ୍ତ ମଦ ପିଇ ଦୁଇ ମାସ ମଧ୍ୟରେ ଏହି ଅଞ୍ଚଳର ୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ଚୋରାମଦ ବେପାରୀଙ୍କ ବିରୋଧରେ ଭୁବନେଶ୍ବର ଅବକାରୀ ବିଭାଗ କିମ୍ବା ଧଉଳି ଥାନା ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଭଳି ଅଭିଯୋଗ ଆଣି ଆଜି ଶିଶୁପାଳଗଡ଼ ଅଞ୍ଚଳର ଶତାଧିକ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଭୁବନେଶ୍ବର ଓ ପୁରୀ ମଧ୍ୟରେ ଯାନବାହନ ଚଳାଚଳ ପ୍ରାୟ ୧ ଘଣ୍ଟା ବ୍ୟାହତ ହୋଇଥିଲା। 
ଗତ ଶନିବାର ତଇଲା ଭୋଇସାହିର ଅଜୟ ସାମଲଙ୍କର ମଦ ପିଇ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ବିଷାକ୍ତ ମଦ ପିଇ ଅଜୟଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଶତାଧିକ ଗ୍ରାମବାସୀ ଶକ୍ତିନଗର ଛକ ଓ ରେବତୀନଗର ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ।  ରାସ୍ତାରେ ଟାୟାର ଜାଳି ଧଉଳି ପୁଲିସ ଚୋରା ମଦ ବେପାରୀଙ୍କୁ ଗିରଫ କରୁ ବୋଲି ସେମାନେ ଦାବି କରିଥିଲେ।  ଖବର ପାଇ ଜୋନ୍‌-୨ ଏସିପି କୃଷ୍ଣଚନ୍ଦ୍ର ପଲାଇ  ଓ ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶକ୍ତିନଗର ଓ ନନ୍ଦିଘୋଷନଗର ଛକ ନିକଟରେ ଖୋଳାମେଲାରେ ଚୋରାମଦ ବେପାର ଜମୁଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଞ୍ଚଳବାସୀ କହିଛନ୍ତି। କେବଳ ସେତିକି ନୁହେଁ, ମଦ ବେପାରକୁ ନେଇ ପ୍ରତିବାଦ କରୁଥିବା ଲୋକେ ମଧ୍ୟ ମଦବେପାରୀଙ୍କ ଆକ୍ରେଶର ଶିକାର ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଥିବା ସେମାନେ କହିଛନ୍ତି।