ଭୁବନେଶ୍ୱର: ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିବା ସହ ସାର କାରବାରରେ ହୋଇଥିବା ବ୍ୟାପକ କଳାବଜାରର ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ବିଜେପି କୃଷକମୋର୍ଚ୍ଚା। ଆଜି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପାୱାରହାଉସ ଛକରୁ ଏକ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୭ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାରଙ୍କ ତରଫରୁ ୫୦ ପ୍ରତିଶତ ରିହାତିରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ଯନ୍ତ୍ରପାତି କିଣା କାରବାରରେ ଓଡ଼ିଶାରେ ବ୍ୟାପକଭାବେ ଦୁର୍ନୀତି ହୋଇଛି। ଶାସକ ବିଜେଡ଼ିର ଜଣେ ବିଧାୟକଙ୍କ କମ୍ପାନି କୃଷି ଯନ୍ତ୍ରପାତି କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି କରୁଥିବାର ଭିଜିଲାନ୍ସ ରିପୋର୍ଟରେ ଦର୍ଶାଇଥିଲେ ହେଁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସେହିଭଳି କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପ୍ରତି ୨୧୮୩ ଟଙ୍କା ଚାଷୀମାନଙ୍କୁ ଦେବାକୁ ଘୋଷଣା କରିଥିବାବେଳେ ଓଡ଼ିଶାର ଚାଷୀ ତାଙ୍କ ଧାନକୁ ମଣ୍ଡିରେ ବିକ୍ରି ନକରିପାରି ଶାଗ ମାଛ ଦରରେ ୧୨୦୦ -୧୩୦୦ ଟଙ୍କାରେ ଦଲାଲକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି।

Advertisment

ଏହି ଧାନକିଣା କାରବାରରେ ସରକାରୀ ଦଳର ନେତା, ମନ୍ତ୍ରୀ, ପ୍ରଶାସନ ଓ ମିଲର୍‌ଙ୍କ ମଧୁଚନ୍ଦ୍ରିକାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି। ତେଣୁ ଏହାର ତଦନ୍ତ ଭାର ସିବିଆଇ ଦିଆଯାଉ ବୋଲି କୃଷକ ମୋର୍ଚ୍ଚାର ସଭାପତି ମହେଶ୍ବର ସାହୁ ଦାବି କରିଛନ୍ତି। କେନ୍ଦ୍ର ସରକାର ପିଏମ୍ କିଷାନ ସମ୍ମାନନିଧି ଯୋଜନା ମାଧ୍ୟମରେ ୨୦୦୦ କରି ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। କିନ୍ତୁ ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇନଥିବା କାରଣରୁ ୩୦ ଲକ୍ଷରୁ ଅଧିକ ଚାଷୀ ଉକ୍ତ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ତାଲିକା ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ସେହିପରି କେନ୍ଦ୍ର ସରକାର ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଓ କୀଟନାଶକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେଉଛନ୍ତି। ଗୋଟିଏ ୟୁରିଆ ସାର ବସ୍ତାର ଉତ୍ପାଦନ ଖର୍ଚ୍ଚ ୨୭୦୦ ଟଙ୍କା ହୋଇଥିବାବେଳେ ତା’କୁ ମାତ୍ର ୨୬୮ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି। କିନ୍ତୁ ଓଡ଼ିଶାରେ ଚାଷୀମାନେ ରାଜ୍ୟ ସରକାରଙ୍କ ସୀକୃତିପ୍ରାପ୍ତ ଡିଲର ପାଖକୁ ଯାଇ ସାର ନପାଇ ଖୋଲା ବଜାରରୁ ୫୦୦ ରୁ ୭୦୦ ଟଙ୍କାରେ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ସାରର ଏ କଳାବଜାର କାରବାରକୁ ବନ୍ଦ କରିବା ପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।

ଆଜିର ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, କୃଷକମୋର୍ଚ୍ଚାର କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ଭୁବନେଶ୍ୱର ଜିଲ୍ଲାର କୃଷକ ସଭାପତି ବିକ୍ରମ ପ୍ରଧାନ, ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ, ଉପେନ୍ଦ୍ର ଭଞ୍ଜ, ପ୍ରଦୀପ ପତ୍ରି, ଅଜୟ ପ୍ରଧାନ, ଶିବପ୍ରସାଦ ଶ୍ରୀଚନ୍ଦନ, ଅଜୟ ପ୍ରଧାନ, ଜାମିନ ଦାସ, କୈଳାଶ ରାୟ, କୈଳାଶ ରଥ, ଡ.ଜଗନ୍ନାଥ ମହାପାତ୍ର, ସୁବଳ ବେହେରା, ଦୀପ୍ତି ଜେନା, ରବିନ୍ଦ୍ର କୁମାର ମହାରଣା, ପାଣ୍ଡବ ଚନ୍ଦ୍ର ଧଳ, ପୂଣ୍ଣିମା ଦାଶ, ରୋଜାଲିନ ପଟ୍ଟନାୟକ, ପବିତ୍ର ପରିଡା ଏବଂ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।