ପୁରୁଣା ଭୁବନେଶ୍ୱର: ସୁନ୍ଦରପଦା-ଜଟଣୀ ରାସ୍ତାରେ ବୋତଣ୍ଡା ନାଳ ବ୍ରିଜ୍ ବିପଜ୍ଜନକ ଅବସ୍ଥାରେ ରହିଛି। କମ୍ ଉଚ୍ଚତା ବିଶିଷ୍ଟ ସୁରକ୍ଷା ବାଡ଼ ପାଇଁ ସ୍ଥାନୀୟ ଲୋକେ ସବୁବେଳେ ଭୟଭୀତ ଅବସ୍ଥାରେ ଏହି ବ୍ରିଜ୍ ଦେଇ ଯାତାୟାତ କରୁଛନ୍ତି। କେତେବେଳେ ନା କେତେବେଳେ ବଡ଼ଧରଣର ଅଘଟଣ ଘଟିବା ଆଶଙ୍କା ରହିଥିବାରୁ ତୁରନ୍ତ ଏହି ବ୍ରିଜ୍ ଉପରେ ନିରାପଦ ଉଚ୍ଚତାର ସୁରକ୍ଷା ବାଡ଼ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏବେ ଏହି ରାସ୍ତାରେ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ସହର ଉପକଣ୍ଠରେ ଗଢ଼ି ଉଠିଥିବା ଶହ ଶହ ଆପାର୍ଟମେଣ୍ଟର ବାସିନ୍ଦାମାନେ ଭୁବନେଶ୍ବର ସହରକୁ ଆସିବା ପାଇଁ ଏହି ରାସ୍ତା ଉପରେ ହିଁ ନିର୍ଭର କରନ୍ତି। ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀମାନେ ସାଇକେଲ ଓ ବାଇକ୍ ଯୋଗେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ତେଣୁ ଦିନ ତମାମ୍ ରାସ୍ତାରେ ଭିଡ଼ ରହୁଛି। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ହେଉ ନାହିଁ। ସ୍ଥାନୀୟ ଗାଁଗଣ୍ଡାର ଗୋରୁଗାଈ ଏହି ରାସ୍ତାରେ ଚଳପ୍ରଚଳ କରୁଥିବା ବେଳେ ବହୁ ସମୟରେ ରାସ୍ତା ଉପରେ ଶୋଇ ରହୁଛନ୍ତି। ଫଳରେ ରାସ୍ତା ଆହୁରି ଅଧିକ ଜାମ୍ ରହୁଛି। ଏଭଳି ଟ୍ରାଫିକ୍ ଭିଡ଼ ଭିତରେ ବୋତଣ୍ଡା ନାଳ ବ୍ରିଜ୍ ଉପରେ ସୁରକ୍ଷା ବାଡ଼ ସୁରକ୍ଷିତ ନୁହେଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ମାତ୍ର ଫୁଟେ ଉଚ୍ଚତାର ବାଡ଼ ରହିଛି। ତାହା ପୁଣି ଘାସ ବୁଦା ଭିତରେ ଲୁଚି ଯାଉଛି। ତେଣୁ ଏହି ବ୍ରିଜ୍ ପାର୍ ହେବା ବେଳେ ଟିକିଏ ଅସାବଧାନ ହୋଇଗଲେ ସିଧାସଳଖ ୨୫ ଫୁଟ୍ ତଳକୁ ଖସିବା ନିଶ୍ଚିତ। ବିଶେଷକରି ରାତିରେ ବ୍ରିଜ୍ ଜଣାପଡ଼ୁ ନଥିବାରୁ ସବୁବେଳେ ଅଘଟଣର ଆଶଙ୍କା ରହିଛି।
ସ୍ଥାନୀୟ ବାସିନ୍ଦା ବିନୋଦ ପଣ୍ଡାଙ୍କ କହିବା କଥା, ଏହି ବ୍ରିଜ୍ ଉପରେ ଗୋଟିଏ ଗାଡ଼ି ଗଲେ ବିପରୀତ ପଟୁ ଗାଡ଼ି ଆସି ପାରୁନାହଁ। ଅଣଓସାରିଆ ବ୍ରିଜ୍ ଯୋଗୁଁ ଦୁଇଟି ଗାଡ଼ି ଅତିକ୍ରମ କରିବା ଅସମ୍ଭବ ହୋଇପଡ଼ୁଛି। ସେଥିରେ ପୁଣି କମ୍ ଉଚ୍ଚତାର ସୁରକ୍ଷାବାଡ଼। ତେଣୁ କେତେବେଳେ କିଏ ବିପଦରେ ପଡ଼ିବ, କହିହେବ ନାହିଁ। ସ୍ଥାନୀୟ ଅଧିବାସୀ ବନଜା ତ୍ରିପାଠୀ ଓ ବରିଷ୍ଠ ନାଗରିକ ବିନୋଦିନୀ ପଣ୍ଡାଙ୍କ କହିବା କଥା, ଆର୍ ଆଣ୍ଡ ବି ଏହି ବ୍ରିଜ୍ ଉପରେ ଅଧିକ ଉଚ୍ଚର ସୁରକ୍ଷା ବାଡ଼ କରିବା ଜରୁରୀ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/d654g65ad4g65ad4g65adgagdgdddd.jpg)