ଚନ୍ଦ୍ରଶେଖରପୁର: ରଙ୍ଗମାଟିଆ-ଭୋଟପଡ଼ା ଲେଭଲ୍ କ୍ରସିଂ ହଟାଇ ରେଳ ଓଭରବ୍ରିଜ୍ ନିର୍ମାଣ କରିବାକୁ ଦାବି ହୋଇଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୫ରୁ ଅଧିକ ଗ୍ରାମବାସୀ ନିର୍ଭର କରୁଥିବା ଏହି ଲେଭଲ୍‌ କ୍ରସିଂ ହଟାଇ ଓଭରବ୍ରିଜ୍‌ କିମ୍ବା ଅଣ୍ଡରବ୍ରିଜ୍‌ ନିର୍ମାଣ କରିବାକୁ ଆଞ୍ଚଳିକ ସୁରକ୍ଷା ପରିଷଦ ପକ୍ଷରୁ ଆଜି ପୂର୍ବତଟ ରେଳପଥ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପରି‌ଷଦ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ହଜାରରୁ ଅଧିକ ଲୋକ ଏହି ଲେଭଲ୍‌ କ୍ରସିଂ ଦେଇ ଯାତାୟାତ କରିଥାନ୍ତି। ପୂର୍ବାହ୍ନ ଓ ଅପରାହ୍ଣରେ ଘଣ୍ଟାଏ ସମୟ ରେଳଫାଟକ ପଡ଼ିବା ଦ୍ବାରା ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଚାକିରିଆ ବହୁ ହଇରାଣ ହେଉଛନ୍ତି। ଧାର୍ଯ୍ୟ ସମୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରୁ ନାହାନ୍ତି। ଜୀବନକୁ ବିପଦରେ ପକାଇ ଯିବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ରେଳ ଓଭରବ୍ରିଜ୍‌ ନିର୍ମାଣର ଆବଶ୍ୟକତା ରହିଛି।
ସେହିପରି ରେଳ ସଦନ ସମ୍ମୁଖରେ ରାସ୍ତା ପାର୍‌ ହେବାକୁ କୌଣସି ପ୍ରକାର ସୁବିଧା ନ ଥିବାରୁ ବିଡିଏ କଲୋନି, ବିଡିଏ ମାର୍କେଟ୍‌, କେୟାର ହସ୍ପିଟାଲ, ଉତ୍କଳ ହସ୍ପିଟାଲ ଉପରେ ନିର୍ଭର କରୁଥିବା ଲୋକେ ରାସ୍ତା ଅତିକ୍ରମ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ରେଳ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣର ଆବଶ୍ୟକତା ରହିଛି। ରଙ୍ଗମାଟିଆରୁ ଗାଡ଼କଣକୁ ସଂଯୋଗ କରୁଥିବା ଅଣ୍ଡରବ୍ରିଜ୍‌ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଥିବାରୁ ତୁରନ୍ତ ମରାମତି ଦିଗରେ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ପୂର୍ବତଟ ରେଳପଥ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଡିଜିଏମ୍‌ କେ କେ ଖଡେଙ୍ଗାଙ୍କୁ ପରିଷଦର ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଥିଲେ। ଦାବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ପରିଷଦ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୧୫ ଭିତରେ ଯଦି ସମସ୍ତ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରା‌ଯିବ ବୋଲି ପରିଷଦ ଚେତାବନୀ ଦେଇଛି। ଆଞ୍ଚଳିକ ସୁରକ୍ଷା ପରିଷଦ ସଭାପତି କୃଷ୍ଣଚନ୍ଦ୍ର ପତି, ଗାଡ଼କଣ ବରିଷ୍ଠ ନାଗରିକ କମିଟି ସଭାପତି ସୁର ପାତ୍ର, ସମ୍ପାଦକ କିଶୋର ସାହୁ, କାର୍ଯ୍ୟକାରୀ ସଭାପତି ପୀତବାସ ସାହୁ, ଉପସଭାପତି ଅଶୋକ ସେଠୀ, ପୂର୍ବତନ ସମ୍ପାଦକ ପ୍ରଦୀପ ପରିଡ଼ା, ଉତ୍ତର ବିକାଶ କମିଟି ମୁଖ୍ୟ ଉପଦେଷ୍ଟା ବିଶ୍ୱଜିତ ପଟ୍ଟନାୟକ, ବରିଷ୍ଠ ନାଗରିକ ବେଣୁଧର ସାହୁ, ଭିଏସ୍‌ଏସ୍‌ ନଗରର ଅଶୋକ ନାୟକ, ଅରକ୍ଷିତ ସାହୁ, ଘନ ବେହେରା, ଆଦିମାତା କଲୋନିର ବରିଷ୍ଠ ସଭାପତି ଲଷ୍ମୀଧର ସାହୁ, ଯୁବନେତା ଗୋବିନ୍ଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ।