ଭୁବନେଶ୍ୱର: ଦେଶର ଶତକଡ଼ା ୯୫ଭାଗ ରାଜ୍ୟର ରାଜଧାନୀ ଜିଲ୍ଲାର ମାନ୍ୟତା ପାଇ ସାରିଛି। ଅଥଚ ବହୁ ବର୍ଷ ତଳୁ ଏନେଇ ଦାବି ହୋଇ ଆସୁଥିଲେ ହେଁ ଭୁବନେଶ୍ୱର ଏଯାଏ ଜିଲ୍ଲା ହୋଇପାରିଲା ନାହିଁ। ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଉଭୟ ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ବିଭିନ୍ନ ଅନୁଷ୍ଠାନର ସମୂହର ମିଳିତ ମହାମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏ ପ୍ରସଙ୍ଗରେ ବିଭିନ୍ନ ଦଳ ସହିତ ମଞ୍ଚ ପକ୍ଷରୁ ଆଲୋଚନା କରି ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏନେଇ ଭୁବନେଶ୍ବରର ପ୍ରାୟ ସବୁ ପୂଜା କମିଟିର ମୁଖ୍ୟଙ୍କ ସହିତ ଭୁବନେଶ୍ୱର ସହର ତଥା ଉପକଣ୍ଠରେ ଥିବା ବାଲିପାଟଣା, ବାଲିଅନ୍ତା ଓ ନଖରା ଆଦି ଅଞ୍ଚଳରେ ବ୍ୟାପକ ଦସ୍ତଖତ ସଂଗ୍ରହ କରାଯାଇଛି।

Advertisment

ମଞ୍ଚ ପକ୍ଷରୁ କୁହା ଯାଇଛି, ରାଜଧାନୀ ହେବା ସହିତ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ଅନ୍ୟ ବହୁ କାରଣ ରହିଛି। ୧୯୯୨ମସିହାରେ ଖୋର୍ଦ୍ଧା ଜିଲ୍ଲା ଗଠନ ବେଳେ ତାହାର ଲୋକ ସଂଖ୍ୟା ୧୧ଲକ୍ଷ ଥିବାବେଳେ ଏବେ ତାହା ୨୨ଲକ୍ଷରେ ପହଞ୍ଚିଲାଣି। ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳୟ ଥିବାବେଳେ ଏହାର ୩ ବିଧାନସଭା ନିର୍ବାଚନମଣ୍ଡଳୀରେ ଲୋକସଂଖ୍ୟା ପ୍ରାୟ ୧୫ଲକ୍ଷରେ ପହଞ୍ଚିଲାଣି। ୧୩ ଜିଲ୍ଲା ପୁନର୍ଗଠନ ପୂର୍ବରୁ ମଧ୍ୟ ଜଷ୍ଟିସ୍ ଦାସ କମିସନ ତାଙ୍କ ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା କରିବାଲାଗି ସୁପାରିଶ କରିଥିଲେ। ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବାଲାଗି ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତାବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବାପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିରରେ ନିୟମିତ ଘଟି ଚାଲିଥିବା ବିଶୃଙ୍ଖଳାଠୁ ଆରମ୍ଭ କରି ଭୁବନେଶ୍ୱରରେ ଦେଖା ଯାଉଥିବା ଅନ୍ୟ ଅନେକ ଗୁରୁତର ସମସ୍ୟାଗୁଡ଼ିକର ସମାଧାନ ଜିଲ୍ଲା ଗଠନ ପରେ ସହଜ ହୋଇଯିବ ବୋଲି ମଞ୍ଚ ପକ୍ଷରୁ ଦାବି କରା ଯାଇଛି।