ସତୁରି ଦଶକ ପରେ ପୁଣି ଉଠିଲା ସ୍ବର : ଭୁବନେଶ୍ବରକୁ ଜିଲ୍ଲା କର

ଭୁବନେଶ୍ବର : ସତୁରି ଦଶକ ପରେ ପୁଣି ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ଦେବା ନେଇ ସ୍ବର ଉଠିଛି। ଦେଶର ପ୍ରତ୍ୟେକ ପ୍ରଦେଶର ରାଜଧାନୀ ଜିଲ୍ଲା ମାନ୍ୟତା ପାଇଛି। ତେଣୁ ଭୁବନେଶ୍ବରକୁ ଅନୁରୂପ ଭାବେ ଜିଲ୍ଲା ମାନ୍ୟତା ଦେବାକୁ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଦାବି କରିଛନ୍ତି। ଏନେଇ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସହିଦନଗରସ୍ଥିତ ଜୟଦେବ କମ୍ପ୍ଲେକ୍ସ ସଭାକକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରାଯାଇଛି। ମହାନଗର ସମେତ ବାଲିଅନ୍ତା, ବାଲିପାଟଣା, ଜଟଣୀକୁ ମିଶାଇଲେ ଲୋକ ସଂଖ୍ୟା ପ୍ରାୟ ୧୮ ଲକ୍ଷ ହେବ। ଏହାଠାରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦିଆଯାଇଥିବା ବେଳେ ଭୁବନେଶ୍ବର କାହିଁକି ଜିଲ୍ଲା ହେବ ନାହିଁ ବୋଲି ଆଲୋଚକମାନେ ପ୍ରଶ୍ନ ଉଠାଇଛନ୍ତି।

ତତ୍କାଳୀନ ବିଚାରପତି ରାଜକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁନର୍ଗଠନ ନିମନ୍ତେ ଗଠିତ କମିଟି ସତୁରି ଦଶକରେ ଦେଇଥିବା ତାଙ୍କ ରିପୋର୍ଟରେ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ସୁପାରିସ୍‌ କରିଥିଲେ। ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଏହି ସୁପାରିସ୍‌କୁ ସମର୍ଥନ କରି ସରକାରଙ୍କୁ ଜଣାଇଥିଲା। ୩୦ ବର୍ଷ ତଳୁ ଏନେଇ ସ୍ବର ଉଠିଥିଲେ ବି ଏନେଇ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇନାହିଁ। ତେଣୁ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରଂଜନ କୁମାର ମହାପାତ୍ରଙ୍କୁ ଆବାହକ ଭାବେ ଦାୟିତ୍ବ ଦିଆଯାଇଛି। ଏ ସମ୍ପର୍କରେ ଭୁବନେଶ୍‌ବର ଓକିଲ ସଂଘ ଏବଂ ଅନ୍ୟ ଚିନ୍ତାନାୟକମାନଙ୍କୁ ନେଇ ଆଲୋଚନା ହେବା ସହ ସ୍ବତନ୍ତ୍ର ବୈଠକ ଡକାଯିବା ନିମନ୍ତେ ସ୍ଥିର ହୋଇଛି। ଦଳମତ ନିର୍ବିଶେଷରେ ବ୍ୟକ୍ତିବିଶେଷ ଏହାକୁ ସମର୍ଥନ କରିବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି। ଏନେଇ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାରମ୍ଭିକ ବୈଠକରେ ବିଧୁଭୂଷଣ ପଟ୍ଟନାୟକ, ସୁରେନ୍ଦ୍ରନାଥ ପ୍ରଧାନ, କବିତା ମଂଜରି ପରିଡ଼ା, ରଂଜନ କୁମାର ମହାପାତ୍ର, ତାପସ ରଂଜନ ମଲ୍ଲିକ, ଦିନବନ୍ଧୁ ଭୋଇ ଓ ବିଶ୍ବଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର