ଭୁବନେଶ୍ୱର: ଓଡ଼ିଶା ସମେତ ପୂରା ଦେଶକୁ ପ୍ରାକୃତିକ ସମ୍ପଦ, ଖଣିଜ ପଦାର୍ଥ, ସୁଦକ୍ଷ କୁଶଳୀ ମାନବ ସମ୍ବଳ ଓ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲା ଆଶାନୁରୂପ ବିକାଶରୁ ବଞ୍ଚିତ। କେନ୍ଦ୍ର ଓ ରାଜ୍ୟରେ ଦଳମତ ନିର୍ବିଶେଷରେ ଯିଏ ରାଜଆସନରେ ବସିଛନ୍ତି, ସେହି ସରକାରଙ୍କୁ ସିଂହଭାଗ ସକାରାତ୍ମକ ରାଜନୈତିକ ସହଯୋଗ କରୁଥିଲେ ମଧ୍ୟ ଓଡ଼ିଶାର ଅନ୍ୟ ଅଞ୍ଚଳ ତୁଳନାରେ ଦକ୍ଷିଣ ଓଡ଼ିଶା ଲାଭାନ୍ୱିତ ହେଉନାହିଁ। ପଶ୍ଚିମ ଓଡିଶା ଓ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଗଠନ ହୋଇ ବହୁ କାର୍ଯ୍ୟ ତ୍ୱରାନିତ ହେବା ସମୟରେ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ଗଠନ ପାଇଁ ସରକାର ଆନ୍ତରିକତାର ସହ ପାଦେ ମଧ୍ୟ ଆଗେଇ ନାହାନ୍ତି। ଗୀତଗୋବିନ୍ଦ ସଦନରେ ଆୟୋଜିତ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ବିଂଶତମ ବାର୍ଷିକ ଉତ୍ସବରେ ପରିଷଦ ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି। ଏଥିସହିତ ସରକାର କାଳବିଳମ୍ବ ନକରି ଦକ୍ଷିଣ ଓଡ଼ିଶା ପାଇଁ ଅବିଳମ୍ବେ ଉନ୍ନୟନ ପରିଷଦ ଗଠନ କରନ୍ତୁ ବୋଲି ଦାବି ଉପସ୍ଥାପିତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ମୁନ୍ନା ଖାଁ ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ଗୋଟିଏ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହିତ ପରିଷଦର ସମସ୍ତ ଦାବି ଓ ପ୍ରସ୍ତାବ ସରକାର ମାନି ସହଯୋଗ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଦକ୍ଷିଣ ଓଡ଼ିଶା ଯଥେଷ୍ଟ ଭାବେ ଅଣଦେଖା ହୋଇ ରହିଛି, ତେଣୁ ତାହାର ବିକାଶ ପାଇଁ ବିଧାନସଭାରେ ଲଢେଇ କରାଯିବ ବୋଲି କହିଥିଲେ। ଏଥିସହିତ ଏସ୍କେସିଜି ମହାବିଦ୍ୟାଳୟ କିଭଳି ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବ ଓ ସହରରେ କ୍ରୀଡ଼ା କମ୍ପ୍ଲେକ୍ସ ହେବ, ସେଥିପାଇଁ ସେ ସରକାରଙ୍କ ନିକଟରେ ଦାବି କରିବେ ବୋଲି କହିଥିଲେ। ସଭାପତି ଭୃଗୁ ବକ୍ସିପାତ୍ର କହିଥିଲେ, ଦକ୍ଷିଣ ଓଡ଼ିଶା ରାଜ୍ୟକୁ କେତେ ଦେଉଛି ଏବଂ ବଦଳରେ କେତେ ପାଉଛି, ତାର ହିସାବ ହେବା ଆବଶ୍ୟକ। ରେଳ, ଜଳବିଦ୍ୟୁତ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ବଡ଼ ଅବଦାନ ଥିଲେ ମଧ୍ୟ ଏଥିରେ ହିଁ ଉକ୍ତ ଅଞ୍ଚଳ ବେଶୀ ଉପେକ୍ଷିତ ହେଉଛି ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଂପାଦକ ବିପିନ ବିହାରୀ ପଣ୍ଡା, ସ୍ୱଦେଶ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସଂଘର ମୁଖପତ୍ର ‘ଦକ୍ଷିଣାବର୍ତ୍ତ’ର ୧୧ତମ ସଂକଳନ ଉନ୍ମୋଚିତ ହୋଇଥିଲା। ସେହିପରି ଦ୍ୱିତୀୟ ଅଧିବେଶନରେ ଆଗାମୀ ଦୁଇବର୍ଷ ପାଇଁ ପରିଷଦର ସାଂଗଠନିକ ନିର୍ବାଚନ ଅବସରପ୍ରାପ୍ତ ପ୍ରଫେସର ତଥା ପରିବେଶବିତ୍ ସୁନ୍ଦର ନାରାୟଣ ପାତ୍ରଙ୍କ ତତ୍ତ୍ବାବଧାନରେ ହୋଇଥିଲା। ନିର୍ବାଚନରେ ଆଗାମୀ ୨ବର୍ଷ ପାଇଁ ସଭାପତି ଭାବରେ ଭୃଗୁ ବକ୍ସିପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲାବେଳେ ଉପସଭାପତି ବିପିନ ବିହାରୀ ପଣ୍ଡା, ସମ୍ପାଦକ ବି. ସୀତାରାମ ପାତ୍ର, କୋଷାଧ୍ୟକ୍ଷ ରାଜକିଶୋର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଉମାକାନ୍ତ ପାତ୍ର ନିର୍ବାଚିତ ହୋଇଥିଲେ। ଏଥିସହିତ ୧୦ଜଣ କାର୍ଯ୍ୟକାରୀ ସଦସ୍ୟ ସ୍ୱଦେଶ ସୁନ୍ଦର ପଟ୍ଟନାୟକ, ଗାନ୍ଧୀ ଚୌଧୁରୀ, ରବୀନ୍ଦ୍ର କୁମାର ନାହାକ, ମାନସ ତ୍ରିପାଠୀ, ସାଗର ଶତପଥୀ, ଅନନ୍ତ ନାରାୟଣ ମହାନ୍ତି, ସୁନିତା କୁମାରୀ ପାତ୍ର, ଉମି ଦାନିଏଲ୍, ନୃସିଂହ ଚରଣ ପଣ୍ଡା ଓ ବିସ୍ମୟ ମହାପାତ୍ର ମନୋନୀତ ହୋଇଥିଲେ। ଉମାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/mrJmeQ0a70zg8q1zkdUL.jpg)