ଟ୍ରାଫିକ୍‌ ଅଡ଼ୁଆ: ଚାଳକ-ପୁଲିସ ତୁ ତୁ, ମେଁ ମେଁ

ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୬ ଲେନ୍‌ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ଅଣାୟତ୍ତ ହେବାରେ ଲାଗିଛି ଭୁବନେଶ୍ବର‌ରେ ଟ୍ରାଫିକ୍‌ ବ୍ୟବସ୍ଥା। ନୂଆ ଅଧିକାରୀ, ନୂଆ ନିୟମ ସମ୍ପର୍କରେ ସଚେତନ କରାଯାଇ ଥିଲେ ମଧ୍ୟ ଗଳା ବାଟ ଦେଇ ଶୃଙ୍ଖଳା ବିଗିଡ଼ି ଯାଉଛି। କମିସନରେଟ୍‌ ପୁଲିସ ପକ୍ଷରୁ ଶୃଙ୍ଖଳା ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଗୋଟିଏ ଗୋଟିଏ ଅଘଟଣ କମିସନରେଟ ପୁଲିସ ଉପରେ ଅପବାଦ ଲଦି ଦେଉଛି। ବିଗିଡ଼ି ଯାଉଥିବା ପରିସ୍ଥିତି ପାଇଁ ପୁଲିସ ଗାଡ଼ି ଚାଳକଙ୍କୁ ଦାୟୀ କରୁଥିବା ବେଳେ ପରିଚାଳନାଗତ ତ୍ରୁଟିକୁ ଦାୟୀ କରୁଛନ୍ତି ଚାଳକ। ସବୁ ଜାଗାରେ ପୁଲିସ ଛିଡ଼ା ହୋଇ ନିୟନ୍ତ୍ରଣ କରିବା ସମ୍ଭବ ନ ଥିବାରୁ ଚାଳକ ସଚେତନ ହେବା ଜରୁରୀ ହୋଇଛି। କିନ୍ତୁ ସେହି ଅନୁପାତରେ ଚାଳକ ସଚେତନ ହେଉ ନ ଥିବାରୁ ପୁଲିସ ନୟାନ୍ତ ହେଉଛି। ଆଉ ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଲୋକ। ଅନେକ କାଇଦା କଟକଣା ହୁଗୁଳି ଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ କଟକଣା ତିଆରି କରୁଛି କମିସନରେଟ୍‌ ପୁଲିସ। ଯେଉଁଥିପାଇଁ ପରିସ୍ଥିତି ଜଟିଳ ହେଉଛି ବୋଲି କେତେକ ମତ ପ୍ରକାଶ କରୁଛନ୍ତି।

ସ୍ଥିତି ଅଣାୟତ୍ତ
କ୍ୟାପିଟାଲ ହସ୍‌ପିଟାଲ୍‌ ଛକରୁ ଆଚାର୍ଯ୍ୟ ବିହାର ଦେଇ ନନ୍ଦନକାନନ ଓ ରାଜଭବନରୁ ଜୟଦେବ ବିହାର ଦେଇ ନନ୍ଦନକାନନ ରାସ୍ତା ଏବେ ସବୁଠାରୁ ଜନଗହଳିପୂର୍ଣ୍ଣ ହୋଇଛି। ପ୍ରତ୍ୟେକ ସମୟରେ ଏହି ରାସ୍ତାରେ ଭିଡ଼ ହେଉଛି। ଦିନରେ ଟ୍ରାଫିକ୍‌ ସମସ୍ୟା ଏତେଟା ଜଣାପଡ଼ୁ ନ ଥିବା ବେଳେ ସନ୍ଧ୍ୟାରେ ସ୍ଥିତି ଅଣାୟତ୍ତ ହେଉଛି। ଟ୍ରାଫିକ୍‌ ସିଗ୍‌ନାଲ ସବୁଜ ହେବା ବେଳକୁ ଗାଡ଼ି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି। ନାଲ୍‌କୋ, ଡମଣା, ପଟିଆ, କିଟ୍‌ ଛକ‌ରେ ପରିସ୍ଥିତି ଅସମ୍ଭାଳ ହେଉଛି।

ମାନୁନାହାନ୍ତି ଚାଳକ
କେତେକ ‘ଟି ଛକ’କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଛକରେ ସିଧା ଓ ଡାହାଣକୁ ଯିବା ସଙ୍କେତ ନାଲି ଥିବା ବେଳେ ବାମପାର୍ଶ୍ବକୁ ସଙ୍କେତ ସବୁଜ ରହୁଛି। ଅର୍ଥାତ୍‌ ବାମପାର୍ଶ୍ବକୁ ଯିବାକୁ ଚାହୁଥିବା ଚାଳକ ଟ୍ରାଫିକ୍‌ରେ ଛିଡ଼ା ନ ହୋଇ ଅନାୟାସରେ ଯାଇ ପାରିବ। କିନ୍ତୁ ଏହି ସଙ୍କେତକୁ କେତେକ ଜାଣି ଜାଣି ମାନୁନାହାନ୍ତି। ବାମପାର୍ଶ୍ବର ରାସ୍ତାକୁ ବନ୍ଦ କରି ଛିଡ଼ା ହୋଇ ଯାଉଥିବାରୁ ପଛରୁ ବାମପଟକୁ ଯିବାକୁ ଚାହୁଥିବା ଚାଳକ ଯାଇ ପାରୁନି। ଫଳରେ ଅଯଥା ଭିଡ଼ ହେଉଛି। ଏଭଳି ପରିସ୍ଥିତି ସବୁ ଛକରେ ଉପୁଜୁଛି। ଭିଡ଼ ଯୋଗୁଁ ଆମ୍ବୁଲାନ୍ସ ଭିତରେ ଶିଶୁ ମୃତ୍ୟୁ ଘଟଣା ଦିନ ଠିକ୍‌ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି।

ବିନା ସୂଚନାରେ ବ୍ୟବସ୍ଥା ପରିବର୍ତ୍ତନ
ସାଧାରଣତଃ ଟ୍ରାଫିକ୍‌ରେ ଗ୍ରିନ୍‌ ସିଗ୍‌ନାଲରେ ଗୋଟିଏ ପାର୍ଶ୍ବରୁ ଗାଡ଼ି ଖାଲି ହେବା ପରେ ଅନ୍ୟ ପାର୍ଶ୍ବରୁ ଗାଡ଼ି ଛାଡ଼ିଥାଏ। ହେଲେ ନିକୋ ପାର୍କ ଛକ ଓ କଳିଙ୍ଗ ଷ୍ଟାଡିୟମ ଛକରେ ନୂଆ ବ୍ୟବସ୍ଥା ହୋଇଛି। ଗୋଟିଏ ପାର୍ଶ୍ବରୁ ସିଧା ଗାଡ଼ି ଛାଡ଼ୁଥିବା ବେଳେ ବିପରୀତ ଦିଗରୁ ମଧ୍ୟ ସିଧା ଗାଡ଼ି ଛାଡ଼ୁଛି। ପରେ ଦୁଇପାର୍ଶ୍ବରୁ ଡାହାଣକୁ ଗାଡ଼ି ଛାଡ଼ୁଛି। ଅର୍ଥାତ୍‌ ଗୋଟିଏ ପାର୍ଶ୍ବରୁ କିଛି ଗାଡ଼ି ସିଧା ଯିବା ବେଳେ ଆଉ କିଛି ଗାଡ଼ି ଡାହାଣକୁ ଯିବା ପାଇଁ ସଙ୍କେତକୁ ଅପେକ୍ଷା କରୁଛନ୍ତି। ଏଭଳି ବ୍ୟବସ୍ଥା ସବୁଠାରେ ନାହିଁ କିମ୍ବା ଏ ନେଇ ଚାଳକଙ୍କୁ ପୂର୍ବରୁ ସଚେତନ କରାଯାଇ ନାହିଁ। ଫଳରେ ସିଧା ଯିବାକୁ ଥିବା ଚାଳକ ଜାଣି ନ ପାରି ଡାହାଣରେ ଧାଡ଼ିବାନ୍ଧି ଫସି ଯାଉଥିବା ଦେଖାଯାଇଛି।

ଚୁଲିକି ଗଲାଣି କଟକଣା
ଏୟାରପୋର୍ଟରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ରାସ୍ତାକୁ ନୋ ପାର୍କିଂ ଜୋନ୍‌ ଭାବରେ ଘୋଷଣା କରାଯାଇଥିଲା। କିଛି ଦିନ ପାଇଁ ଜୋର୍‌ସୋର୍‌ରେ ଧରପଗଡ଼ ହେଉଥିଲା। ରାସ୍ତାକଡ଼ରେ ଗାଡ଼ି ରଖି ବ୍ୟାଙ୍କ୍‌ ଯାଇଥିବା କେତେକ ବରିଷ୍ଠ ନାଗରିକ ଏହି କଟକଣାରେ ପଡ଼ି ନିର୍ଯାତିତ ହୋଇଥିଲେ। ଲେନ୍‌ ଡ୍ରାଇଭିଂକୁ କଡ଼ାକଡ଼ି କରା ଯାଇଥିଲା। ଡ୍ରୋନ୍‌ ଉଡ଼ି ଅମାନିଆ ଚଳକଙ୍କୁ ଧରୁଥିଲା। ହେଲେ କଟକଣା ସବୁ ଚୁଲିକୁ ଗଲାଣି। ଯିଏ ଯେଉଁଠି ପାରୁଛି ପାର୍କିଂ କରୁଛି। ଯିଏ ଯେମିତି ପାରୁଛି ସାପ ଭଳି ଗାଡ଼ି ଚଳାଇ ଟ୍ରାଫିକ୍‌ ନିକଟରେ ପହଞ୍ଚି ଯାଉଛି। ଆଉ ଧରପଗଡ଼ ହେଉନାହିଁ କିମ୍ବା ଡ୍ରୋନ୍‌ ଉଡୁନାହିଁ। ରବୀନ୍ଦ୍ର ମଣ୍ଡପ ସାମ୍ନାରେ କାର୍‌ ବେଧଡ଼କ ପାର୍କ ହେଉଥିବା ବେଳେ ଆପୋଲୋ ହସ୍‌ପିଟାଲ ସାମ୍ନାରେ ହେଉଥିବା ପାର୍କିଂ ଯୋଗୁଁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃ‌ଷ୍ଟି ହେଉଛି। ସେହିଭଳି ଅଟୋ ବେ’ ମଧ୍ୟ କେହି ମାନୁ ନାହାନ୍ତି। ଯିଏ ଯେଉଁଠି ପାରିଲା ଅଟୋ ରଖୁଛି।

ବାପୁଜୀନଗରରେ ଆଜି ଠାରୁ ଜରିମାନା
ବାପୁଜୀନଗର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ୍‌ ପୁଲିସ ଆଡ୍‌ଭାଇଜରି ଜାରି କରିଥିଲା। ବାର ଅନୁଯାୟୀ ଗୋଟିଏ ପାର୍ଶ୍ବରେ ଗାଡ଼ି ପାର୍କିଂ ହେବା ସହ ପ୍ରବେଶ-ପ୍ରସ୍ଥାନ ପାଇଁ ‘ୱାନ୍‌ ୱେ’ ବ୍ୟବସ୍ଥା ହୋଇଛି। ଉଲ୍ଲଂଘନ କଲେ ଜରିମାନା ଆଦାୟ ହେବ ବୋଲି ଘୋଷଣା ମଧ୍ୟ ହୋଇଥିଲା। ଏହି ନୂଆ ବ୍ୟବସ୍ଥା‌ ଅଭ୍ୟାସରେ ପଡ଼ିବାକୁ ୧୫ ଦିନ ସମୟ ଦିଆ ଯାଇଥିଲା। ଏହି ଅବଧି ଆଜି ପୂରଣ ହୋଇଛି। ଅର୍ଥାତ୍‌ ଆସନ୍ତାକାଲି ଠାରୁ ଜରିମାନା ଆଦାୟ ହେବ। ହେଲେ ଏଠାରେ ବର୍ତ୍ତମାନର ସ୍ଥିତି ଯଥାପୂର୍ବଂ ତଥା ପରଂ ରହିଛି। ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ି ଯାଇଛି। ପାର୍କିଂ, ପ୍ରବେଶ ଓ ପ୍ରସ୍ଥାନକୁ ନେଇ କେହି କିଛି ମାନୁ ନାହାନ୍ତି। ସଚେତନତା ପାଇଁ କୌଣସି ସୂଚନା ବୋର୍ଡ କିମ୍ବା ହୋର୍ଡିଂ ଲଗାଯାଇ ନାହିଁ।

ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଟ୍ରାଫିକ୍‌ ସିଗ୍‌ନାଲରେ ଆମ୍ବୁଲାନ୍ସ ନ ଅଟକିବା ପାଇଁ ବ୍ୟବସ୍ଥା ରହିଛି। ଏନେଇ ସମସ୍ତ ଟ୍ରାଫିକ୍‌ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଇଛି। ନିକଟ ଅତୀତରେ ପ୍ରତିରୋପଣ ପାଇଁ ଯାଉଥିବା କିଡନିକୁ ଗ୍ରିନ୍‌ ଚାନେଲ୍‌ରେ ନିଆଯାଇଥିଲା। ଆଗକୁ ମଧ୍ୟ ଏଭଳି ବ୍ୟବସ୍ଥା ରହିବ। କିନ୍ତୁ ସମସ୍ତ ଚାଳକ ସଚେତନ ହେବା ଜରୁରୀ। ଆମ୍ବୁଲାନ୍ସ ସାଇରନ୍‌ ବାଜିବା ମାତ୍ରେ ଚାଳକ ଗାଡ଼ି ଧିମା ନ କରି ବାମପାର୍ଶ୍ବକୁ ଯାଇ ଗାଡ଼ି ରଖିବ। ଆମ୍ବୁଲାନ୍ସ ଯିବା ପରେ ହିଁ ଅନ୍ୟ ଚାଳକମାନେ ଯିବା ଉଚିତ।
-ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିସନର

୬ ଲେନ୍‌ ପାଇଁ ପ୍ରସ୍ତାବ
ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଦିନକୁ ଦିନ ଗହଳି ହୋଇଯାଉ ଥିବାରୁ ଟ୍ରାଫିକ୍‌ ପରିଚାଳନା ସମସ୍ୟା ହେଉଛି। ଏହାକୁ ୬ ଲେନ୍‌ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ୧୬ ଓ ୧୭ ତାରିଖରେ ଏହି ରାସ୍ତା କଡ଼ରୁ ସମସ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ଯୋଜନା ରହିଛି। ଜବରଦଖଲ ଉଚ୍ଛେଦ ପ‌ରେ ଗାଡ଼ିଗୁଡ଼ିକୁ ଜାଭିୟର ଛକରୁ ବାମ ପାର୍ଶ୍ବକୁ ବୁଲାଇ ଦିଆଯିବ। ସମସ୍ୟା ହେବ ନାହିଁ।
-ସାଗରିକା ନାଥ, ଡିସିପି, ଟ୍ରାଫିକ୍‌

ସମ୍ବନ୍ଧିତ ଖବର