କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ଦାବି : ଗାନ୍ଧୀମାର୍ଗରେ ଗର୍ଜିଲା ସଂଘ

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର ଦାବି ନେଇ ଆଜି ବିଧାନସଭା ଗାନ୍ଧୀ ମାର୍ଗରେ କେନ୍ଦୁପତ୍ର କର୍ମଚାରୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଶତାଧିକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ରାମମନ୍ଦିର ଛକରୁ ‌‌ଶୋଭାଯାତ୍ରାରେ ବାହାରି ବିଧାନସଭା ମାର୍ଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଗର୍ଜନ କରିଥିଲେ। ପରେ ସଂଘର ପ୍ରତିନିଧିଦଳ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାରଙ୍କୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ମିଳିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘର ଅଭିଯୋଗ ଅନୁସାରେ ୨୨ ଜିଲ୍ଲାର ୧୪ ଲକ୍ଷରୁ ଊର୍ଧ୍ବ କେନ୍ଦୁପତ୍ର ତୋଳାଳି ଓ ଜିଏସ୍‌ଟି ଲାଗୁ ହେବା ଦ୍ବାରା କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର ହେଉ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦେବା ସହ ଦାବି କରି ଏହି କର ପ୍ରତ୍ୟାହାର କରାନ୍ତୁ ବୋଲି ସଂଘ ଦାବି କରୁଛି। ଏଥିସହ କେନ୍ଦୁପତ୍ର ତୋଳାଳିଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଇବା ପାଇଁ ମଧ୍ୟ ଦାବି କରାଯାଇଛି। ପୂର୍ବରୁ ଏକ ହଜାର କେରି କେନ୍ଦୁପତ୍ର ସଂଗ୍ରହ କରୁଥିବା ତୋଳାଳିଙ୍କୁ ବିଭିନ୍ନ ଭତ୍ତା ମିଳୁଥିଲା।

ଏବେ ଏହାକୁ ବଢ଼ାଇ ୨ ହଜାର କେରିକୁ ମାନଦଣ୍ଡ କରାଯାଇଛି। ଏହାକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି। ସେହିଭଳି ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତା ବୃଦ୍ଧି, କେନ୍ଦୁପତ୍ର ମୂଲ୍ୟବୃଦ୍ଧି, ଭବାନୀପାଟଣା ଡିଭିଜନ୍‌ରେ ଚାଲିଥିବା ଗ୍ରାମସଭା ନାମରେ ଘରୋଇକରଣ ପ୍ରୋତ୍ସାହନକୁ ପ୍ରତ୍ୟାହାର କରିବା ଆଦି ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି ସମାବେଶରେ ଗୋକୁଳ ମେହେର, ସଂଜିତ ମହାନ୍ତି, ମହମ୍ମଦ ମୃତୁଜା, ଦୀନବନ୍ଧୁ ବେହେରା, ସଞ୍ଜୟ ଚୈଧୁରୀ, ଅନୁଗୁଳ ଡିଭିଜନ ସମ୍ପାଦକ ରତ୍ନାକର ପ୍ରଧାନ, ଭୂପେନ୍ଦ୍ର ନାଏକ, ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କ୍ଷେତ୍ର ଚନ୍ଦ୍ର ବାରିକ, କାଲୁରାମ ବାରେଟ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ସଂଘର ପ୍ରତିନିଧି ଦଳ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଉଭୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ ସୂଚନା ଦେଇଛି।

ସମ୍ବନ୍ଧିତ ଖବର