ଭୁବନେଶ୍ୱର: ବର୍ତ୍ତମାନ ସମୟରେ କ୍ୟାରିୟର ଚିନ୍ତା ସହିତ ଯୁବପିଢ଼ିଙ୍କ ଆଉ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି କେଶ ଝଡ଼ିବା ଓ ଚର୍ମଜନିତ ସମସ୍ୟା। ପ୍ରତ୍ୟେକ ଦିନ ସାଙ୍ଗସାଥୀ ମେଳରେ ହେଉ ଅଥବା ସୋସିଆଲ ମିଡିଆରେ, ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ପରିବର୍ତ୍ତିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ ଲୋକେ ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କ୍ରିମ୍‌ ଓ ତେଲ ବଦଳରେ ଘରୋଇ ଉପାୟରେ ପ୍ରସ୍ତୁତ ପେଷ୍ଟ୍‌ ଓ ତେଲର ବ୍ୟବହାର କରୁଛନ୍ତି। ଏହି ସମସ୍ତ ଘରୋଇ ଉପଚାରରେ ଭିଟାମିନ-ଇ କ୍ୟାପସୁଲ ଉଭୟ ସମସ୍ୟା ପାଇଁ ବହୁଳ ଭାବେ ବ୍ୟବହୃତ ହେଉଛି। ବିଭିନ୍ନ ପାର୍ଲରରେ ମଧ୍ୟ ଏହି କ୍ୟାପସୁଲ ବ୍ୟବହାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

Advertisment

ଭିଟାମିନ-ଇ କ୍ୟାପସୁଲ୍‌ରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ। ଏହାକୁ ସାଧାରଣତଃ ନ୍ୟୁରୋଲୋଜିକାଲ୍‌, ବୃକକ ସମ୍ୱନ୍ଧୀୟ ସମସ୍ୟା, ଥାଲାସେମିଆ ଆଦି ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ। ପ୍ରତ୍ୟେକ ଦିନ ଏହାକୁ ମାତ୍ର ୪୦୦ ଏମ୍‌ଜି ହିଁ ସେବନ କରିବା ଉଚିତ। ଯଦିଓ ଏହା ତ୍ୱଚା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ, ତେବେ କୌଣସି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
- ଡାକ୍ତର ଶୁଭମ ଶାଶ୍ବତ ରାଉତ,  କ୍ୟାପିଟାଲ ହସ୍ପିଟାଲ

ବଜାରରେ ମଧ୍ୟ ଏହି କ୍ୟାପସୁଲ ବହୁମାତ୍ରାରେ ବିକ୍ରି ହେଉଛି। ବଡ଼କଥା ହେଉଛି, ସ୍କୁଲ କଲେଜର ଛାତ୍ରଙ୍କଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। କେବଳ ଯୁବତୀ ନୁହନ୍ତି, ଯୁବକ ଓ ଛାତ୍ରମାନେ ମଧ୍ୟ ଏହାର ପ୍ରଶଂସକ ପାଲଟିଯାଇଛନ୍ତି। ଭିଟାମିନ-ଇ ତ୍ୱଚାର ଚମକ ବଢ଼ାଇ ଚର୍ମକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏl ବିଭିନ୍ନ ୟୁଟ୍ୟୁବର୍‌ଙ୍କ ଭିଡିଓରେ ଏହି କ୍ୟାପସୁଲ ବ୍ୟବହାରର ବହୁଳତା ଦେଖି ଔଷଧ ଦୋକାନରେ ମିଳୁଥିବା ଭିଟାମିନ-ଇ ସପ୍ଲିମେଣ୍ଟ କ୍ୟାପସୁଲ କିଣିବାକୁ ଲୋକେ ଭିଡ଼ ଜମାଉଛନ୍ତି। ସିଧାସଳଖ ଏହି କ୍ୟାପସୁଲ ଖୋଲି ଚର୍ମରେ ଅଥବା କେଶରେ ଲଗାଉଛନ୍ତି। ଏପରିକି କିଛି ଲୋକ ତ୍ୱଚାର ଔଜ୍ୱଲ୍ୟ ପାଇଁ ଏହାର ସେବନ ମଧ୍ୟ କରୁଛନ୍ତି। ଯଦିଓ କିଛି ଲୋକ ସୁଫଳ ପାଉଛନ୍ତି, କିନ୍ତୁ ଏହାର ବ୍ୟବହାର ପରେ କିଛିଲୋକଙ୍କର ଚର୍ମ କୁଣ୍ଡାଇ ହେବା ଅଥବା ଦାଗ ହୋଇଯିବାର ଦେଖାଯାଉଛି। 

ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି କ୍ୟାପସୁଲ ବ୍ୟବହାର ବା ସେବନ କରିବାଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତ୍ୱଚାରେ ଏହାକୁ ବହୁଳ ଭାବରେ ସିଧାସଳଖ ପ୍ରୟୋଗ କଲେ ଛୋଟବଡ଼ କ୍ଷତ ସୃଷ୍ଟି ହେବାସହିତ ତ୍ୱଚା କୁଣ୍ଡାଇ ହୋଇଥାଏ ବୋଲି ସେମାନେ କହୁଛନ୍ତି।