ଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନକୁ ଅକାମୀ କରିବାକୁ କେନ୍ଦ୍ର ସରକାର ଷଡ୍ଯନ୍ତ୍ର କରିଛନ୍ତି। ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩ ଏହା ସ୍ପଷ୍ଟ କରୁଛି। ଏହି ବିଲର ଜନ ବିରୋଧୀ ବିଷୟବସ୍ତୁ ଓ ଅଗଣତାନ୍ତ୍ରିକ ପ୍ରକ୍ରିୟା ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ତାହାକୁ ଅଣଦେଖା କରି ମୋଦି ସରକାର ଆଗାମୀ ମୌସୁମୀ ଅଧିବେଶନରେ ବିଲକୁ ପାରିତ କରିବାକୁ ବସିଛନ୍ତି। ଏହାକୁ ସରକାର ପ୍ରତ୍ୟାହାର ନ କଲେ ଆସନ୍ତା ଅଗଷ୍ଟ ୯, ଭାରତ ଛାଡ଼ ଆନ୍ଦୋଳନ ତଥା ବିଶ୍ୱ ଆଦିବାସୀ ଦିବସରେ ରାଜ୍ୟବ୍ୟାପୀ ପ୍ରତିବାଦ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସିଏସ୍ଡି)। ଆଜି ଲୋହିଆ ଏକାଡେମି ପରିସରରେ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ କରିବା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ବିଗତ ଦଶନ୍ଧି ଧରି ଜଙ୍ଗଲ ଜମିକୁ ଲୋକମାନଙ୍କର ଅଧିକାର ଓ ପରିବେଶକୁ ଉପେକ୍ଷା କରି ଅବିଚାରିତ ଭାବେ ଅଣ-ଜଙ୍ଗଲରେ ପରିଣତ କରାଯାଉଛି। ଏପରି ଜନବିରୋଧୀ କାର୍ଯ୍ୟକୁ ଏହି ସଂଶୋଧନ ବିଲ୍ ମାଧ୍ୟମରେ ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା କରାଯାଉଛି। ଏହି ବିଧେୟକ ସଂରକ୍ଷିତ ଅଞ୍ଚଳ ବ୍ୟତୀତ ଅନ୍ୟ ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିଛି। ମୋଦୀ ସରକାରଙ୍କର ଏହି ଜଙ୍ଗଲ (ସରଂକ୍ଷଣ) ସଂଶୋଧନ ବିଲ୍ -୨୦୨୩ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କର ବ୍ୟାପକ କ୍ଷତି ସାଧନ କରିବ। ଏଥିରେ ଗ୍ରାମସଭାର କୌଣସି ମୂଲ୍ୟ ରହିବ ନାହିଁ। ବ୍ୟକ୍ତିଗତ ଚାଷ ଜମିରେ ଜଙ୍ଗଲ ବିଭାଗ ପକ୍ଷରୁ ବଳପୂର୍ବକ ବୃକ୍ଷରୋପଣ ଓ ନର୍ସରୀ ହେବ, ଯେଉଁଥିରେ ଲୋକମାନଙ୍କର ସେହି ଜଙ୍ଗଲ ଜମି ଉପରେ କୌଣସି ଅଧିକାର ରହିବ ନାହିଁ ବୋଲି ସଭାକୁ ଯୁଗ୍ମ ଭାବରେ ସଂଯୋଜନା କରୁଥିବା ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶାର ରାଜ୍ୟ ଆବାହକ ଗୋପୀନାଥ ମାଝୀ ଓ ଲୋକଶକ୍ତି ଅଭିଯାନ, ଓଡ଼ିଶା ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ (ଏମ୍)ର ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, କଂଗ୍ରେସ ଦଳର ପଞ୍ଚାନନ କାନୁନଗୋ, ବିସ୍ମୟ ମହାପାତ୍ର, ସିପିଆଇ (ଏମ୍ଏଲ୍)ର ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ସେଖ୍ ଅବଦୁଲ ୱଲିଙ୍କ ସମେତ ପ୍ରମିଳା ବେହେରା, ଶଙ୍କର ସାହୁ, ଶ୍ରୀକାନ୍ତ ମହାନ୍ତି, ସାଲ ମାର୍ଣ୍ଡି, ଚାମ୍ବରୁ ସୋରେନ୍, ଟୁନା ମଲ୍ଲିକ, ବ୍ରଜ ତ୍ରୀପାଠୀ, ପ୍ରଭାସ ସାମନ୍ତରାୟ, ନିରାକାର ବେଉରା, ମାନସ ଜେନା, ତୁଷାର ଦାଶ, ଡ. ଶ୍ରୀଚରଣ ବେହେରା, ପ୍ରଦୀପ ସାହୁ, ଅରୁଣ ଦିହୁଡି, ନରେନ୍ଦ୍ର ମହାନ୍ତି ଓ ବିରଞ୍ଚି ବରିହା ପ୍ରମୁଖ ଉପସ୍ଥିତ ଥିଲେ।