ମୋ ବସ୍‌ ପାଇଁ ଜାଗା ଦେଲ, ଅଟୋ ପାଇଁ ବି ଦିଅ

ଭୁବନେଶ୍ବର: ଜନପଥରେ ଅଟୋ ପାର୍କିଂ ପାଇଁ ଯେଉଁଠି ଯେତିକି ଜାଗା ଥିଲା, ତାହାକୁ ସ୍ମାର୍ଟ ଜନପଥ କାମ ନାଁରେ ଦଖଲ କରିନେଲ। ପିଙ୍କ୍‌ ଅଟୋ ବୁଥ୍‌ରୁ ଆରମ୍ଭ କରି ଅଟୋ ସଂଘର କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁ ଭାଙ୍ଗିଦେଲ। ଏବେ କ’ଣ ରାସ୍ତା ଉପରେ ଅଟୋ ପାର୍କିଂ କରିବୁ। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌, ବିଏମ୍‌ସି ଯେପରି ମୋ ବସ୍‌ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ବସ୍‌ ଷ୍ଟପ୍‌ କରିଛନ୍ତି, ଅଟୋ ପାର୍କିଂ ପାଇଁ ମଧ୍ୟ ସେମିତି ଜାଗା ଦିଅନ୍ତୁ ବୋଲି ଆଜି ଅଟୋ ମହାସଂଘ ବିଏମ୍‌ସି କମିସନର, ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ସିଇଓ ପ୍ରେମ ଚନ୍ଦ୍ର ଚୌଧରୀଙ୍କୁ କହିଛନ୍ତି। ରାଜଧାନୀରେ ପ୍ରାୟ ୧୫୦ଟି ସ୍ଥାନରେ ଅଟୋ ପାର୍କିଂ କରାଯାଉଥିବା ବେଳେ ସେହି ଜାଗାଗୁଡ଼ିକୁ ଅଟୋ ମହାସଂଘକୁ ଆବଣ୍ଟନ କରାଯାଉ କିମ୍ବା ଉକ୍ତ ସ୍ଥାନକୁ ବିଏମ୍‌ସି ପକ୍ଷରୁ ଉନ୍ନତୀକରଣ କରି ଅଟୋ ପାର୍କିଂ ପାଇଁ ଛଡ଼ାଯାଉ। ସାଧାରଣ ପରିବହନ ବ୍ୟବସ୍ଥାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କୁହାଯାଉଥିବା ବେଳେ ଅଟୋ ପାଇଁ ବି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉ ବୋଲି ଅଟୋ ମହାସଂଘ ପକ୍ଷରୁ କୁହାଯାଇଛି।

ଆଜି ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଟୋ ମହାସଂଘର ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଅଟୋ ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ ପ୍ରାୟ ୧୦ବର୍ଷ ତଳେ ବିଏମ୍‌ସି ଓ ସାଧାରଣ ପ୍ରଶାସନ ପକ୍ଷରୁ ଅଟୋ ଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ ହୋଇଥିଲା। କିନ୍ତୁ ଆବଣ୍ଟନ ହୋଇ ନଥିଲା। ଏପରିକି ପୂର୍ତ୍ତ ବିଭାଗ ଓ କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଅଟୋ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ବାରା ବ୍ୟବସ୍ଥିତ ଢଙ୍ଗରେ ଅଟୋ ଚଳାଚଳ କରୁଥିଲା। କିନ୍ତୁ ଏବେ ସ୍ମାର୍ଟ ଜନପଥ କାମ ନାଁରେ ରାସ୍ତା କଡ଼ରେ ଟାଇଲ୍‌ ବିଛାଇବା ସହ ସାଇକେଲ୍‌ ଟ୍ରାକ୍ ନିର୍ମାଣ କରାଯାଇଥିବାରୁ ଅଟୋ ପାର୍କିଂ ପାଇଁ ଜାଗା ନାହିଁ। ଫଳରେ ରାସ୍ତା ଉପରେ ଅଟୋଗୁଡ଼ିକ ପାର୍କିଂ କରୁଛି। ତେଣୁ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉ। ମହାସଂଘର ସୂଚନା ଅନୁଯାୟୀ, ବିଏମ୍‌ସି କମିସନର ଦୁଇଟି ପର୍ଯ୍ୟାୟ‌େର ୨୯ଟି ଅଟୋ ଷ୍ଟାଣ୍ଡ ଚିହ୍ନଟ ଓ ଉନ୍ନତୀକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୋ ବସ୍‌ ବସଷ୍ଟପ୍ ଭଳି ଅଟୋ ଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ସ୍ଥାନ ରହିବ।

ସମ୍ବନ୍ଧିତ ଖବର