ଭୁବନେଶ୍ୱର: ସେନେହ ସୂତାରେ ମମତାର ମାଳି ଗୁନ୍ଥି ହେଉଛି। ରେଶମି ଡୋରିରେ ସମ୍ପର୍କର ଖିଅ ଯୋଡ଼ି ହେବା ଦିନ ପାଖଉଛି। ଭାଇ ଭଉଣୀର ପବିତ୍ର ସମ୍ପର୍କର ଭାବଡୋରି ଓ ମୂକସାକ୍ଷୀ ‘ରାକ୍ଷୀ’ର ମାଳମାଳ ପସରା ମେଲିଲାଣି। ଅଗଷ୍ଟ ୧୫ ତାରିଖରେ ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀକୁ ସ୍ନେହ ବନ୍ଧନରେ ବାନ୍ଧି ରଖିବାରେ ଏହି ପତଳା ରେଶମି ଡୋରିର ମହତ୍ୱ ଅନେକ। ଆଜିର ଡିଜିଟାଲ୍ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ ଏହି ଦିନ ଭାଇଟିଏ ଯେତେ ଦୂରରେ ଥାଉନା କାହିକିଁ ଭଉଣୀଟିଏ ତା’ ପାଖକୁ ଧାଇଁ ଆସେ ସେନେହର ଡୋରିଟିଏ ହାତରେ ବାନ୍ଧି ଦେବାକୁ। ଯଦି କୌଣସି ଭଉଣୀ ନ ଆସି ପାରୁଛନ୍ତି, ତେବେ ନିଶ୍ଚିତ ରାକ୍ଷୀଟିଏ ପଠାଇ ଦିଅନ୍ତି ଭାଇ ନାଁରେ। ଏହାକୁ ନଜରରେ ରଖି ରାକ୍ଷୀ ପୂର୍ଣ୍ଣିମାର ବେଶ୍ ପୂର୍ବରୁ ରାଜଧାନୀର ଗଳି କନ୍ଦିରେ ଖୋଲି ଗଲାଣି ରାକ୍ଷୀ ପସରା।
ମଣିଷ ସବୁଠି ଫ୍ୟାସନ୍ର ଛାପ ଖୋଜୁଥିବାରୁ ଏବେ ଫ୍ୟାସନ୍ ରାକ୍ଷୀ ଚାହିଦାରେ ରହିଛି। ତେଣୁ ଷ୍ଟୋନ୍, କ୍ରିଷ୍ଟାଲ, ଚେନ୍, ଟେଡ୍ଡି, କାର୍ଟୁନ୍ ଓ ଫ୍ୟାନ୍ସି ରାକ୍ଷୀ ଉପଲବ୍ଧ ହେଉଛି। ଷ୍ଟୋନ୍ ଓ କ୍ରିଷ୍ଟାଲ ରାକ୍ଷୀର ଚାହିଦା ବେଶି ରହିଥିବା ବେଳେ ଏହାର ଦାମ୍ ୨୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କୁନି ପିଲାମାନଙ୍କ ପାଇଁ ଡୋରେମନ୍, ଛୋଟାଭିମ୍, ମୋଟୁ ପତ୍ଲୁ, ଆଙ୍ଗ୍ରିବାର୍ଡ, ସ୍ପାଇଡର ମ୍ୟାନ୍ ଭଳି କାର୍ଟୁନ୍ ରାକ୍ଷୀ ରହିଛି। ଏହାସହ ମୋବାଇଲ୍ ରାକ୍ଷୀ, ଗିଟାର, ପ୍ରଜାପତି, କାର୍ଟୁନ୍ ଉପରେ ଫ୍ୟାନ୍ ଲାଗିଥିବା ରାକ୍ଷୀ ଆଦି ମିଳୁଛି। ଚଳିତ ବର୍ଷ ମ୍ୟୁଜିକ୍ ରାକ୍ଷୀର ଅଧିକ ଚାହିଦା ଥିବା ‘ଓଁ ସାଇ ରାମ ରାକ୍ଷୀ ସେଣ୍ଟର’ର ସନ୍ତୋଷ କୁମାର ସାହୁ କହିଛନ୍ତି। ଏଗୁଡ଼ିକ ବି ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବାର୍ବିଡଲ୍ ଓ ବିଭିନ୍ନ ପ୍ରକାର ଟେଡ୍ଡି ରାକ୍ଷୀ, ସୁନ୍ଦର କପଡ଼ାରେ ତିଆରି ଜଗନ୍ନାଥ ରାକ୍ଷୀ, କାର୍ଟୁନ୍ ଗଣେଶ ରାକ୍ଷୀ, ଶିରିଡ଼ି ବାବା, ଓଁ ରାକ୍ଷୀ ଓ ମୟୂରପୁଚ୍ଛ ରାକ୍ଷୀର ମଧ୍ୟ ଚାହିଦା ରହିଛି।
ସେହିଭଳି ଲବଙ୍ଗ, ଚାଉଳ, ଅଳେଇଚ, ପୂର୍ଣ୍ଣକୁମ୍ଭ, ସ୍ୱସ୍ତିକ ଆଦିକୁ ସୁନ୍ଦର ଭାବେ ସଜାଇ ପ୍ରସ୍ତୁତ କରାଯାଇଛି ଏକ ସ୍ୱତନ୍ତ୍ର ରାକ୍ଷୀ। ଯାହାର ମୂଲ୍ୟ ରହିଛି ୨୦ରୁ ୪୦ଟଙ୍କା। ଏହାସହ ରାକ୍ଷୀ, ଲବଙ୍ଗ, ଅଳେଇଚ, ସିନ୍ଦୁର, ଚାଉଳ, ଚନ୍ଦନ, ମିଶ୍ରି ଆଦି ସଜା ହୋଇଥିବା ରାକ୍ଷୀ ଥାଳି ମଧ୍ୟ ରହିଛି। ଏହାର ଦାମ୍ ୨୦ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ଭିତରେ ରହିଛି। ଚଳିତବର୍ଷ ଗ୍ରିଟିଂ ରାକ୍ଷୀ ପସନ୍ଦର ସର୍ବାଗ୍ରେ ରହିଛି। ନୂଆ ବର୍ଷ, ଜନ୍ମଦିନ ବା ଭାଲେଣ୍ଟାଇନ୍ ଡେ’ କାର୍ଡ ଭଳି ଏଥିରେ ରହିଛି ଭଳିକି ଭଳି ଭାବପୂର୍ଣ୍ଣ ବାର୍ତ୍ତା ସହ ରାକ୍ଷୀଟିଏ। ଏହି ରାକ୍ଷୀ ଦୂରରେ ଥିବା ଭାଇମାନଙ୍କକୁ ପଠାଇବା ପାଇଁ ଉଦ୍ଦିଷ୍ଟ ବୋଲି ‘ସରୋଜ ସିଜିନ୍ ସେଣ୍ଟର’ର ପାପୁନ ଭୋଳ କହିଛନ୍ତି। ଏହାର ଦାମ୍ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, କୋଲକାତା, ସୁରତ ଓ ରାଜକୋଟରୁ ପ୍ରତିବର୍ଷ ରାକ୍ଷୀ ଓଡ଼ିଶାକୁ ଆସିଥାଏ। ଦୂରରେ ଥିବା ଭାଇମାନଙ୍କୁ ରାକ୍ଷୀ ପଠାଇବା ପାଇଁ ଭଉଣୀମାନେ ଏବେଠୁ କିଣାକିଣି ଆରମ୍ଭ କରି ଦେଲେଣି। ସ୍ପିଡ୍ ପୋଷ୍ଟ ଓ କୋରିଅର୍ ଦ୍ୱାରା କମ୍ ସମୟରେ ଜିନିଷ ପଠା ଯାଇପାରୁଥିବାରୁ ବର୍ତ୍ତମାନ ରାକ୍ଷୀ ବ୍ୟବସାୟ ମାନ୍ଦା ଚାଲିଛି। ଆଗକୁ ଏହା ବଢ଼ିବ ବୋଲି ରସୁଲଗଡ଼ ଛକରେ ପସରା ଖୋଲିଥିବା ରାକ୍ଷୀ ଦୋକାନୀ ପ୍ରଦୀପ ରାଉତ କହିଛନ୍ତି।