ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ନିଯୁକ୍ତି ଦାବିରେ ଆଜି ମନ୍ଦିରର ଦୁଇ ପ୍ରମୁଖ ସେବାୟତ ନିଯୋଗ ମନ୍ଦିର କାର୍ଯ୍ୟ‌ାଳୟରେ ତାଲା ପକାଇଥିଲେ। ଫଳରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ଭିତରେ ରହି ଯାଇଥିଲେ। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସେଠାରେ ପହଞ୍ଚି ସେବାୟତଙ୍କ ସହ ଆଲୋଚନା କରି ଶ୍ରୀ ସାହୁଙ୍କୁ ମୁକୁଳାଇଥିଲେ। ପରେ ପୁନର୍ବାର ସେବାୟତମାନେ କାର୍ଯ୍ୟାଳୟରେ ତାଲା ପକାଇଥିଲେ। କୌଣସି କାଗଜପତ୍ର ହଜିବା ଭୟରେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଗୋଟିଏ ତାଲା ପକା ଯାଇଛି।

Advertisment

ଦୀର୍ଘ ଦିନ ହେଲା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଏଏସ୍‌ ଅଫିସର ଦାୟିତ୍ବ ତୁଲାଉଥିବାରୁ ମନ୍ଦିର ପରିଚାଳନାରେ ତ୍ରୁଟି ରହୁଛି ବୋଲି ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏଠାକୁ ଜଣେ ଓଏଏସ ଅଧିକାରୀ ନ ଆସିଲେ ବୁଧବାରଠାରୁ ମନ୍ଦିର କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲେ। ଆଜି ପୂର୍ବ ଘୋଷଣା ଅନୁଯାୟୀ ଦୁଇ ନିଯୋଗ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଯାଇଥିଲା।

ପୂର୍ବାହ୍ନ ୧୧ଟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ କାର୍ଯ୍ୟାଳୟକୁ ଯିବା ବେଳେ ତାଲା ପକାଯାଇଥିଲା। ଶ୍ରୀ ସାହୁ ୨ ମିନିଟ୍‌ ପାଇଁ ଭିତରକୁ ଯିବାକୁ ସେବାୟତମାନଙ୍କୁ କହିଥିଲେ। କିନ୍ତୁ ସେ କାର୍ଯ୍ୟାଳୟରୁ ନ ବାହାରିବାରୁ ସେବାୟତମାନେ କିଛି ସମୟ ଅପେକ୍ଷା କରିବା ପରେ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଏନେଇ ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର ଓ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଏହି ଘଟଣାକୁ ନିନ୍ଦା କରିଛନ୍ତି। ‌