ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ୮ ହଜାରରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉଛି। ଏଥିରେ ପ୍ରତ୍ୟେକ ହିତାଧିକାରୀ ଓ ତାଙ୍କ ପରିବାରବର୍ଗଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ଉପଲବ୍ଧ ହେଉଛି। ଏହି ବୀମାରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।
ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଏହି ଦାବି ବାବଦରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ କଲ୍ୟାଣ ବୋର୍ଡର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ସହାୟତା ରାଶିର ପରିମାଣ ବୃଦ୍ଧି କରିବା ଏବଂ ଅବସରପ୍ରାପ୍ତ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ସୁବିଧା ପ୍ରଦାନ କରିବା ପ୍ରସଙ୍ଗରେ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ।
ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ଯେପରି ପେନ୍ସନ୍ ସୁବିଧା ପ୍ରଦାନ କରାଯାଉଛି, ଓଡ଼ିଶାରେ ସେପରି ବ୍ୟବସ୍ଥା କରିବାକୁ ପ୍ରତିନିଧିମାନେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହିସବୁ ଦାବି ସମ୍ପର୍କରେ ଖୁବ୍ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରାଯିବ ଏବଂ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିଲେ।