ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ନିକଟରେ ପ୍ରତିଷ୍ଠା ହୋଇଥିବା ଅବୈଧ ଡମ୍ପିଂୟାର୍ଡକୁ ପ୍ରୋତ୍ସାହନ ବିରୋଧରେ ସୈନିକ ସ୍କୁଲ ବଞ୍ଚାଅ, ଅଳିଆଗଦା ହଟାଅ ଅଭିଯାନ ଆଜି ପଟିଆ ଶିଳ୍ପାଞ୍ଚଳରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଘେରଉ କରିଥିଲା। ଅଭିଯାନ ପକ୍ଷରୁ କୁହାଯାଇଛି ଯେ ଡମ୍ପିଂୟାର୍ଡ ମାଧ୍ୟମରେ ୨୨ ବର୍ଷ ଧରି ଭୁବନେଶ୍ୱରର ଲକ୍ଷାଧିକ ଲୋକଙ୍କୁ ହନ୍ତସନ୍ତ କରାଯାଇଛି। ଏଥିସହ ସୈନିକ ସ୍କୁଲ, ବାଣୀବିହାର, ଆର୍‌ଆର୍‌ଏଲ୍‌ ସମେତ ବହୁ  ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରାଯାଇଛି। ସୈନିକ ସ୍କୁଲର ୨୦ ଏକରରୁ ଅଧିକ ଜମିରେ ଅଳିଆଗଦା ହେବା ଦ୍ବାରା ଅସହ୍ୟ ଦୁର୍ଗନ୍ଧ, ପରିବେଶ ପ୍ରଦୂଷଣ, ଶ୍ୱାସ ଓ ଚର୍ମ ରୋଗ, ସମ୍ଭାବ୍ୟ କର୍କଟ ରୋଗ ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଦୁର୍ଗନ୍ଧକୁ ସୀମିତ ସମୟ ପାଇଁ ପ୍ରଶମନ କରିବାକୁ ବ୍ୟବହୃତ ରାସାୟନିକ ପଦାର୍ଥ ଆହୁରି ଖରାପ ପ୍ରଭାବ ପକାଉଛି।

Advertisment

ଆନ୍ଦୋଳନକାରୀମାନେ  ଅଭିଯୋଗ କରିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଏବଂ ସ୍ୱାସ୍ଥ୍ୟ ବିପଦକୁ ଅଣଦେଖା କରି ଉପଯୁକ୍ତ ତଦାରଖ ବିନା ସିଟିଓ ଜାରି କରିଥିଲେ। ଗତ ୯ ତାରିଖରେ ଅଭିଯାନ, ବିଏମ୍‌ସି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ମିଳିତ ଭାବେ ଅନୁସନ୍ଧାନ ସମୟରେ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ବୈଧ କାଗଜପତ୍ର ନଥିବା ଦେଖିବାକୁ ପାଇଥିଲେ। କୌଣସି ନିୟମ ଅନୁପାଳନ ହେଉ ନ ଥିବା ଜାଣିବା ସତ୍ତ୍ୱେ ସିଟିଓ ଜାରି କରିବା ବୋର୍ଡର ଗୁରୁତର ତ୍ରୁଟି ଏବଂ ଆଞ୍ଚଳିକ ଅଧିକାରୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ଅଳିଆଗଦା ଭିତରେ ବହୁଦିନ ଧରି ବେଆଇନ ଭାବରେ ଅଳିଆ ପ୍ରକ୍ରିୟାକରଣ ହେଉଥିଲେ ମଧ୍ୟ ଅଗଷ୍ଟ ୧୨ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ୱିଣ୍ଡୋ କମ୍ପୋଷ୍ଟିଂ, ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ରି ସାଇକଲିଙ୍ଗ ପ୍ଲାଣ୍ଟ ଓ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସମୂହ ପରିଚାଳନା ପାଇଁ ବିଏମ୍‌ସିକୁ ଅନୁମତି ଦେଇଛି।

ମାମଲା କୋର୍ଟଙ୍କ ବିଚରାଧୀନ ଥିବା ବେଳେ ବିଏମ୍‌ସିକୁ କିପରି ବେଆଇନ ଭାବେ ଅନୁମତି ଦିଆଗଲା ତାକୁ ନେଇ ଆନ୍ଦୋଳନକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ବିଏମ୍‌ସିକୁ ଦିଆଯାଇଥିବା ସିଟିଓ ୭ ଦିନ ମଧ୍ୟରେ ପ୍ରତ୍ୟାହାର କରା ନଗଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ଅଳିଆଗଦା ହଟାଅ ଅଭିଯାନର ପ୍ରସନ୍ନ ବିଶୋୟୀ କହିଛନ୍ତି। ଦିଲୀପ ଦାସଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଘେରଉରେ ଚିନ୍ତାମଣି ବାରିକ, ସନ୍ଦୀପ୍ତ ଦାସ, ଶଙ୍କର୍ଷଣ ବାରିକ, ସଞ୍ଜୟ ମଲ୍ଲିକ, ମହେଶ୍ବର ବିଶ୍ୱାଳ,  ଧରଣୀଧର ରାଉତ, ନବକିଶୋର ବେହୁରା, ସୁଶାନ୍ତ ସାହୁ, ମିନତି ପାତ୍ର, ଭଗବତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।