ବିପିୟୁଟି ଶେଷ ସେମିଷ୍ଟର୍‌ର ସ୍ବତନ୍ତ୍ର ପରୀକ୍ଷା ଦାବି, ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ସେପ୍ଟେମ୍ବର ଯାଇ ନଭେମ୍ବର ମାସ ସରିବାକୁ ବସିଲାଣି। ତା’ପରେ ବି ବିପିୟୁଟି(ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ) ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ସ୍ବତନ୍ତ୍ର ପରୀକ୍ଷା ହୋଇପାରୁ ନାହିଁ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବି ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଉଛନ୍ତି। କେତେବେଳେ କହୁଛନ୍ତି ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନିଆଯିବ। ତ ଆଉ କେତେବେଳେ କହୁଛନ୍ତି ଆସନ୍ତା ମାସକୁ ହେବ। ହେଲେ ତାରିଖ ଘୋଷଣା ହୋଇପାରୁ ନାହିଁ। ଯେଉଁଥିପାଇଁ ପୁଣିଥରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ଶତାଧିକ ଛାତ୍ରଛାତ୍ରୀ ମନ୍ତ୍ରୀ ଶ୍ରୀ ନାୟକଙ୍କ ବାସଭବନ ଘେରାଉ କରିବା ସହ ତୁରନ୍ତ ପରୀକ୍ଷା କରାଇବାକୁ ଦାବି ଜଣାଇଥିଲେ।

ୟୁନାଇଟେଡ୍‌ ବିପିୟୁଟି ଷ୍ଟୁଡେଣ୍ଟ ଆସୋସିଏସନ୍‌ ନେତୃତ୍ବରେ ଘେରାଉ କରିଥିବା ଛାତ୍ରଛାତ୍ରୀ କହିଛନ୍ତି ଯେ ଶେଷ ସେମିଷ୍ଟରର ସ୍ବତନ୍ତ୍ର ପରୀକ୍ଷା ଲାଗି ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବା ସହ ଦ୍ବିତୀୟ ଓ ୪ର୍ଥ ସେମିଷ୍ଟରର ବାକି ରହିଥିବା ପେପର ପରୀକ୍ଷାକୁ ଯଥାଶୀଘ୍ର କରାଯାଉ। ନ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶଙ୍କା ମଧ୍ୟକୁ ଠେଲି ହୋଇଯିବ। ଅଧିକାଂଶ ପାଠ୍ୟକ୍ରମରେ ନାମଲେଖା ‌ଶେଷ ହେବାକୁ ଯାଉଛି। ତେଣୁ ପରୀକ୍ଷା କରା ନ ଗଲେ ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ବେକାର ହୋଇଯିବ। ବି‌କ୍ଷୋଭ ପରେ ଛାତ୍ର ସଙ୍ଗଠନର ଏକ ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଆଗାମୀ ଏକ ସପ୍ତାହ ମଧ୍ୟରେ କରୋନା‌ ସ୍ଥିତି ଉପରେ ଆଲୋଚନା ହେବ। ଏହାପରେ ପରୀକ୍ଷା ହେବ କି ନାହିଁ ତାହାକୁ ଅନୁଧ୍ୟାନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ବିକ୍ଷୋଭରେ ଆସୋସିଏସନ୍‌ର ସଭାପତି ରାଜେଶ ପାଣି, କାର୍ଯ୍ୟକାରୀ ସଭାପତି ଦେବାଶିଷ ନାୟକ, ଉପ ସଭାପତି ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର