ମଦମୁକ୍ତ ବସ୍ତି ଦାବି, ଭରତପୁର ଥାନା ଘେରିଲେ ମହିଳା

ଖଣ୍ଡଗିରି: ବସ୍ତିରେ ମଦ କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛି ତପୋବନ ବିଜୁ ଆଦର୍ଶ କଲୋନିର ତପସ୍ୟା‌ ମହିଳା ମହାସଂଘ। ବସ୍ତିରେ ମଦ ତିଆରି ଓ ବିକ୍ରି ବନ୍ଦ କରିବା ସହ ମଦ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଶତାଧିକ ମହିଳା ଓ ପୁରୁଷ ଆଜି ଭରତପୁର ଥାନା ଘେରାଉ କରିଥିଲେ। ଏହି ଅବସରରେ ସେମାନେ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଲା, କିଛି ମାସ ହେବ ବସ୍ତିରେ ମଦ ତିଆରି ଓ ବିକ୍ରି ବହୁ ପରିମାଣରେ ବଢ଼ିଯାଇଛି। ୨ ମହିଳାଙ୍କୁ ମଦ ବିକ୍ରି ବନ୍ଦ କରିବାକୁ ବାରମ୍ବାର ତାଗିଦ୍‌ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଖାତିର୍‌ କରୁନାହାନ୍ତି। ମଦ କାରବାର ଯୋଗୁଁ ପ୍ରତିଦିନ ବସ୍ତିରେ ଗଣ୍ଡଗୋଳ ଲାଗି ରହୁଛି। ଦିନଯାକ ପରିଶ୍ରମ କରି ରୋଜଗାର କରିଥିବା ଟଙ୍କାକୁ ବସ୍ତିର ଯୁବକମାନେ ମଦରେ ଉଡ଼ାଇ ଦେଉଛନ୍ତି। ଏହାଦ୍ବାରା ପରିବାରରେ ଅଶାନ୍ତି ବଢ଼ୁଛି। ମଦ ପାଇଁ ଅନେକ ପରିବାର ସର୍ବସ୍ବାନ୍ତ ହୋଇଯାଉଛି। ତେଣୁ ମଦ ବେପାରୀଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ।

ସୂଚନୁସାରେ, ଗତରାତିରେ ବସ୍ତିବାସିନ୍ଦା ବସ୍ତିରେ ମଦ ବିକୁଥିବା ୨ମହିଳାଙ୍କ ଘରେ ଅକସ୍ମାତ୍‌ ଚଢ଼ଉ କରିଥିଲେ। ସେଠାରେ ସେମାନେ ମଦ ତିଆରି ସମଗ୍ରୀ ଜବତ କରିବ‌ା ସହ ଉକ୍ତ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏ ସଂପର୍କରେ ସେମାନେ ଭରତପୁର ଥାନାକୁ ମଧ୍ୟ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ରାତି ହୋଇଯାଇଥିବାରୁ ମହିଳାଙ୍କୁ ଥାନାକୁ ନେଇ ନଥିଲା। ଆଜି ସକାଳୁ ବସ୍ତିବାସିନ୍ଦା ଏକତ୍ରିତ ହୋଇ ଥାନା ଘେରାଉ କରିବା ସହ ମହିଳାଦ୍ବୟଙ୍କୁ ତୁରନ୍ତ ଗିରଫ ଓ ଏଭଳି ବେଆଇନ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବସ୍ତିବାସିନ୍ଦାଙ୍କ ଏହି ବିକ୍ଷୋଭ ପରେ ପୁଲିସ୍‌ ଅଭିଯୁକ୍ତ ମହିଳାଦ୍ବୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଭରତପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର