ସମାଜସେବୀଙ୍କ ନାଁରେ ମିଥ୍ୟା ମାମଲା: ଏୟାରପୋର୍ଟ ଥାନା ଅଧିକାରୀ ଓ ଏସିପିଙ୍କୁ ଗିରଫ ଦାବି

ଭୁବନେଶ୍ବର: ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଏସିପି ବିଷ୍ଣୁପ୍ରସାଦ ପାତ୍ରଙ୍କୁ ତୁରନ୍ତ ନିଲମ୍ବନ ସହ ଗିରଫ ଦାବି କରିଛି ଓଡ଼ିଶା ନ୍ୟାୟ ମଞ୍ଚ। ସୋମବାର ଦିନ ମଞ୍ଚ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, କିଛି ଦିନ ତଳେ ସାମାଜିକ କର୍ମୀ ମମତା ସାମନ୍ତରାୟଙ୍କ ନାମରେ ଏୟାରପୋର୍ଟ ଥାନାରେ ଜାତିଗତ ମନ୍ତବ୍ୟ ନେଇ ଅନ୍ନପୂର୍ଣ୍ଣା ଭୋଇ ଅଭିଯୋଗ କରିଥିଲେ। ଏନେଇ ଥାନା ଅଧିକାରୀ ଚାର୍ଜସିଟ୍ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଦାଖଲ କରିଥିଲେ।

ମମତା ଏପରି କୌଣସି ମନ୍ତବ୍ୟ ଦେଇନଥିବା ଏବଂ ଅନ୍ନପୂର୍ଣ୍ଣା ଭୋଇ କିଛି ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ନେଇ କୋର୍ଟଙ୍କୁ ଦର୍ଶାଇଥିଲେ। ଅପରପକ୍ଷରେ ଶଙ୍କର ଭୋଇଙ୍କ ପତ୍ନୀ ରମା ଦାସ ନିଜକୁ ଅନ୍ନପୂର୍ଣ୍ଣା ଭୋଇଙ୍କ ପରିଚୟ ଦେଇ ଥାନାରେ ଅଭିଯୋଗ କରିଥିବା ମମତା କୋର୍ଟରେ ଜଣାଇଥିଲେ। ତେଣୁ କୋର୍ଟ ଏୟାରପୋର୍ଟ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଏବଂ ଏସିପି ଶ୍ରୀ ପାତ୍ରଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ପାଇଁ ଆଦେଶ ଦେଇଥିଲେ।

ଏହି ମାମଲାରେ ରମା ଦାସ, ଏସିପି ଶ୍ରୀ ପାତ୍ର ଏବଂ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇନଥିବାରୁ ମଞ୍ଚ ସେମାନଙ୍କ ଗିରଫ ଦାବି କରିଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର କର୍ମୀ ଜୟନ୍ତ ଦାସ, ସୁକାନ୍ତ ଭୋଇ, ଉପେନ୍ଦ୍ର ଭୋଇ, ମୃତ ଅନ୍ନପୂର୍ଣ୍ଣାଙ୍କ ଝିଅ ଇଲି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର