ମାଡ଼ି ଆସୁଛି ଜଳ ସଂକଟ, ଜୋର୍‌ ଧରିଲା କୁଆଖାଇ ଓ ଦୟାରେ ବ୍ୟାରେଜ୍‌ ଦାବି

ପ୍ରଦୂଷଣରେ ପୋତି ହେଉଛି ନଦୀ
ରିପୋର୍ଟ ମାଗିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାସେ ବିତିଲାଣି, ଟେବୁଲରୁ ଟେବୁଲ୍ ଡେଉଁଛି ଫାଇଲ୍‌

ଭୁବନେଶ୍ବର : ବିଷାକ୍ତ ହେଉଛି କୁଆଖାଇ। ପ୍ରତିଦିନ କୁଢ଼ କୁଢ଼ ଆବର୍ଜନା ପଡ଼ୁଛି। ଦୟ‌ା ବି ସୁରକ୍ଷିତ ନୁହେଁ। ଭାର୍ଗବୀ ଓ କୁଶଭଦ୍ରାରେ ତ ଜଳସ୍ତର କମିଚାଲିଛି। ବର୍ଷା ଦିନେ ବି ରାଜଧାନୀର ଜୀବନରେଖା କୁହାଯାଉଥିବା ଏହି ଚାରି ନଦୀରେ କେତେବେଳେ କେମିତି ପାଣି ଦେଖିବାକୁ ମିଳୁଛି। ନ ହେଲେ ବର୍ଷ ସାରା ଶୁଖିଲା। ଯଦି ଏଭଳି ଚା‌ଲେ ତେବେ ଆଗାମୀ ୧୦ରୁ ୨୦ ବର୍ଷ ମଧ୍ୟରେ ଭୁବନେଶ୍ବରକୁ ଜଳ ସଙ୍କଟ ମାଡ଼ି ଆସିବ। ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିବ। ବେଳ ହୁଁ ସାବଧାନ ନ ହେଲେ ଭୁବନେଶ୍ବର ପରିସ୍ଥିତି ଅଣାୟତ୍ତ ହେବ। ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥାମାନେ ଏଭଳି ଆଶଙ୍କା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ମହାସଙ୍କଟ ଆସିବା ପୂର୍ବରୁ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ତତ୍ପରତା ଦେଖାଇଛି। କୁଆଖାଇ ଓ ଦୟା ନଦୀ ପାଣିର ସୁରକ୍ଷା ଲାଗି କ’ଣ ସବୁ ପଦକ୍ଷେପ ନିଆଯାଇଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗଠାରୁ ରିପୋର୍ଟ ତଲବ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯିବାର ୩୫ ଦିନ ପରେ ବି ରିପୋର୍ଟ ପହଞ୍ଚିପାରିନାହିଁ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଗତ ମେ’ ୧୯ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି କୁଆଖାଇ ଓ ଦୟା ନଦୀର ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏହାର ୬ ଦିନ ଅର୍ଥାତ୍‌ ମେ’ ୨୫ରେ ତାହାକୁ ଡାଏରିରେ ଗ୍ରହଣ କରାଯାଇଥିଲା। ଜଙ୍ଗଲ ବିଭାଗ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ଜୁନ୍‌ ୨ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି), ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଓ ଖୋର୍ଧା ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଥିଲା। ଇତିମଧ୍ୟରେ ଗୋଟିଏ ମାସ ବିତିବାକୁ ବସିଲାଣି। ମାତ୍ର ରିପୋର୍ଟ ପ୍ରସ୍ତୁତିରେ ଅଗ୍ରଗତି ହୋଇନାହିଁ। ବରଂ ଏବେ ଜଳ ସମ୍ପଦ ବିଭାଗର ଉପ ସଚିବ ଏସମ୍ପର୍କରେ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଅଭିଯୋଗ ଅନୁଯାୟୀ କୁଆଖାଇ ନଦୀ ଜଳରେ ପୂଜା ସାମଗ୍ରୀ, ପଲିଥିନ୍‌ ବ୍ୟାଗ୍‌, ନଷ୍ଟ ପ୍ଲାଷ୍ଟିକ, ଗ୍ଲାସ ବୋତଲ, ଲୁହା ରଡ, ନଷ୍ଟ ହୋଇଥିବା ଔଷଧ ଓ ବସ୍ତ୍ର, ମୂର୍ତ୍ତି, ଭଗ୍ନ କୋଠାର ସାମଗ୍ରୀ ଆଦି ପକାଯାଉଛି। ଓଡ଼ିଶାର ଲୋକେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ହୋଇଥିବାରୁ ସେମାନେ ପୂଜାର୍ଚ୍ଚନା କରିବା ସମୟରେ ପରିବେଶ ପ୍ରଦୂଷଣ କଥା ଆଦୌ ଚିନ୍ତା କରନ୍ତି ନାହିଁ। ନଦୀ ଜଳକୁ ପ୍ରଦୂଷିତ କରୁଛନ୍ତି। ଏହାଦ୍ବାରା ଭବିଷ୍ୟତରେ ଭୁବନେଶ୍ବର ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବାକୁ ଯାଉଛି। କୁଆଖାଇ ସମେତ ଦୟା, ଭାର୍ଗବୀ ଓ କୁଶଭଦ୍ରା ପରି ନଦୀର ପ୍ରଦୂଷଣ ରୋକିବା ଦିଗରେ ଏବେଠାରୁ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ଉପୁଜିବ। ଚିଠିରେ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ଭୁବନେଶ୍ବରରେ ଜଳସ୍ତର ଯେଉଁଭଳି ଭାବେ ହ୍ରାସ ପାଉଛି ଆସନ୍ତା ୧୦ରୁ ୨୦ ବର୍ଷ ମଧ୍ୟରେ ଜଳ ସଙ୍କଟ ଦେଖା ଦେବ। ନଦୀରେ ଜଳ ନ ଥିବ। ଭୂତଳ ଜଳସ୍ତର ତଳକୁ ଚାଲିଯାଇଥିବ। ତାହାକୁ ଦୃଷ୍ଟିରେ ରଖି କଟକର ଯୋବ୍ରା ବ୍ୟାରେଜ୍‌ ଢାଞ୍ଚାରେ କୁଆଖାଇ ଓ ଦୟା ନଦୀରେ ଦୁଇଟି ବ୍ୟାରେଜ୍‌ ନିର୍ମାଣ କରାଯାଉ। ବ୍ୟାରେଜ୍‌ ମାଧ୍ୟମରେ ଜଳ ସଂରକ୍ଷଣ କରାଯାଇପାରିଲେ ଉକ୍ତ ଦୁଇ ନଦୀ ମଧ୍ୟରେ ଥିବା ଭୁବନେଶ୍ବରରେ ଭୂତଳ ଜଳସ୍ତର ସ୍ଥିର ରହିବ। ନଦୀ ଜଳ ପ୍ରଦୂଷଣ ରୋକିବା ଲାଗି କୁଆଖାଇ ନଦୀ ବ୍ରିଜ୍‌ରେ ଅତିକମ୍‌ରେ ୧୫ ଫୁଟ୍‌ ଉଚ୍ଚର ନେଟ୍‌ ବାରିକେଡ୍‌ କରାଯିବାର ଆବଶ୍ୟକତା ରହିଛି। ଫଳରେ ନଦୀ ଆବର୍ଜନା ମୁକ୍ତ ହେବା ସହ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷଙ୍କୁ ରୋକାଯାଇପାରିବ। ମୂର୍ତ୍ତି ବିସର୍ଜନ ଲାଗି ବ୍ରିଜ୍‌ ନିକଟରେ ନଦୀରେ ପ୍ରବାହିତ ଜଳଠାରୁ ୫୦ ମିଟର ଦୂରରେ ସିମେଣ୍ଟରେ ସ୍ଥାୟୀ ପୋଖରୀ କରାଗଲେ ତାହା ପ୍ରଦୂଷଣ ରୋକିବାରେ ସହାୟକ ହେବ। ଭୁବନେଶ୍ବରରେ ଲିକ୍‌ ହେଉଥିବା ୪୦ ପ୍ରତିଶତ ପାନୀୟ ଜଳ ‌ରୋକିବା ଲାଗି ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ପଡ଼ିବ।

ଭୁବନେଶ୍ବରର ସମସ୍ତ ସରକାରୀ ସଂସ୍ଥା, ବାସଭବନ, ଆପାର୍ଟମେଣ୍ଟ, ସ୍କୁଲ, କଲେଜ ଓ ଅନ୍ୟାନ୍ୟ କୋଠାରେ ବର୍ଷାଜଳ ଅମଳକୁ ବାଧ୍ୟତାମୂଳକ କରାଯିବା ସହ ସହରରେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଆଉ ଦୁଇଟି ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉ। କାରଣ ଡ୍ରେନ୍‌ରେ ଯାଉଥିବା ଆବର୍ଜନା ପାଣି ଏବେ ସିଧାସଳଖ ଗଙ୍ଗୁଆରେ ମିଶୁଛି, ଯାହାକି ଦୟା ନଦୀ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି। ଚିଲିକା ହ୍ରଦ ବି ପ୍ରଦୂଷିତ ହେଉଛି। ଏବେ କେବଳ ଝାରପଡ଼ା ଓ ମଞ୍ଚେଶ୍ବରଠାରେ ଗୋଟିଏ ଲେଖାଏ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି। ଜଳ ସଂରକ୍ଷଣ ନେଇ ନଦୀ ବ୍ରିଜ୍‌ରେ ସାଇନ୍‌ ବୋର୍ଡ ଲଗାଇବା, ବିନା ୱେଷ୍ଟ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ କୌଣସି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଲାଗି ଅନୁମତି ନ ଦେବାକୁ ପ୍ରସ୍ତାବରେ କୁହାଯାଇଛି।

ବିଏମ୍‌ସିର ଖାମଖିଆଲି କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦର୍ଶାଯାଇଛି ଯେ ନଦୀ ଅବବାହିକାରେ ଜମା ହୋଇ ରହୁଥିବା ଆବର୍ଜନାଗୁଡ଼ିକୁ ବିଭିନ୍ନ ସମୟରେ ସାମାଜିକ ଅନୁଷ୍ଠାନ ଉଠାଇ ନଦୀ କୂଳରେ ଏକତ୍ରିତ କରୁଛନ୍ତି। ମାତ୍ର ଦେଖାଯାଉଛି ଯେ ବିଏମ୍‌ସି କର୍ତୃପକ୍ଷ ତାହାକୁ ଉଠାଇବା ଦିଗରେ ସେତେଟା ଆଗ୍ରହ ଦେଖାଉ ନାହାନ୍ତି। ଫଳରେ କିଛି ଦିନ ପରେ ନଦୀ ଜଳ ପୁଣି ପ୍ରଦୂଷିତ ହେଉଛି। ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷେ ପ୍ରଚୁର ଅର୍ଥ ଖର୍ଚ୍ଚ କରି ଆବର୍ଜନା ଉଠାଇବା କଷ୍ଟକର ହୋଇପଡ଼ୁଛି। ଭବିଷ୍ୟତରେ ଉପୁଜିବାକୁ ଥିବା ଜଳ ସଙ୍କଟ ନେଇ ସାମାଜିକ ସଙ୍ଗଠନଗୁଡ଼ିକର ସହଯୋଗ ନେଇ ସ୍କୁଲ, କଲେଜରେ ସଚେତନତା କାର୍ଯ୍ୟକ୍ରମ ସହ ଲିଫ୍‌ଲେଟ୍‌ ବାଣ୍ଟିବାର ଆବଶ୍ୟକତା ରହିଛି। ନଦୀ ଜଳ ପ୍ରଦୂଷଣ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ବଡ଼ ଆକାରରେ ‌ଜରିମାନା ନିଆଯିବା ଦରକାର। ଏଭଳି ମହତ୍‌ କାର୍ଯ୍ୟରେ ସହଯୋଗ କରିବାକୁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର ଶୁଭକାନ୍ତ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର