ସତ୍ୟନଗରରୁ ଶ୍ମଶାନ ସ୍ଥାନାନ୍ତର ଦାବି ଜୋର ଧରିଲା, ବିଏମ୍‌ସି କମିସନରଙ୍କୁ ଦାବିପତ୍ର

ଭୁବନେଶ୍ୱର: ସତ୍ୟନଗର ଶ୍ମଶାନ ସ୍ଥାନାନ୍ତର ଦାବି ଜୋର ଧରିଛି। ଶବଦାହ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ଦୂଷିତ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଆଜି ସତ୍ୟନଗର ଉନ୍ନୟନ ଓ ସାଂସ୍କୃତିକ ସମାଜ ପକ୍ଷରୁ ବିଏମସି କମିସନରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ରକୁ ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଗ୍ରହଣ କରିଛନ୍ତି। ଏନେଇ ଏକ ସରକାରୀସ୍ତରୀୟ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଦାବିପତ୍ରରେ ଦର୍ଶାଯାଇଛି ଯେ, ସତ୍ୟନଗରରେ ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ‌ ରୋଗରେ ପୀଡ଼ିତ ଥିବା ବେଳେ ଏଠାରେ ଶବଦାହ ଧୂଆଁ ପରିବେଶକୁ ନଷ୍ଟ କରୁଛି। ସତ୍ୟନଗର ଶ୍ମଶାନରେ ଦୀର୍ଘଦିନ ହେଲା ବିଦ୍ୟୁତ ଶବଦାହ ଚୁଲା ଖରାପ ହୋଇ ପଡ଼ିଛି। କାଠରେ ଶବଦାହ ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପୋଡ଼ା ଗନ୍ଧ ହେବା ସହ ଧୂଆଁରେ ପରିବେଶ ପ୍ରଦୁଷିତ ହେଉଛି। ଏନେଇ ସ୍ଥାନୀୟ ବାସିନ୍ଦା ଅନୁରାଧା ଦାଶ କହିଛନ୍ତି ସରକାର ଏହି ସମସ୍ୟାର ସମାଧାନ କରି ଶ୍ମଶାନକୁ ସ୍ଥାନାନ୍ତର କରନ୍ତୁ। ବୈଦ୍ୟନାଥ ବେହେରାଙ୍କ କହିବା କଥା ଏଠାରେ ପ୍ରତିଦିନ ଶତାଧିକ ଶବଦାହ ଯୋଗୁଁ ପରିବେଶ ଦୂଷିତ ହୋଉଛି। ଫଳରେ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ହେଉଛି। ସେହିପରି ସ୍ଥାନୀୟ ବାସିନ୍ଦା ଅଶୋକ ପଣ୍ଡା କହିଛନ୍ତି ଯଦି ଶ୍ମଶାନ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ତେବେ ବିଦ୍ୟୁତ ଚୁଲାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଶ୍ମଶାନ ପାଖରେ ଗଛ ଲଗା ଗଲେ ଭଲ ହୁଅନ୍ତା।

ସମ୍ବନ୍ଧିତ ଖବର