ଆନିକଟ୍‌ ନିର୍ମାଣ ପାଇଁ ଜୋର୍‌ ଧରିଲା ଦାବି

୨୮ରେ ହଂସପାଳ ଛକରେ ବିରାଟ ସମାବେଶ

ଭୁବନେଶ୍ବର: କିଛି ବର୍ଷ ତଳେ ଭୁବନେଶ୍ବରର ଜଳ ସମସ୍ୟାକୁ ନେଇ ଜାତିସଂଘ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସର୍ଭେ ଦ୍ବାରା ଜଣାପଡ଼ିଥିଲା ଯେ, ଭୁବନେଶ୍ବରରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ରାଜଧାନୀ ନିକଟରେ ଏକ ଭୂତଳ ଜଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଜାତିସଂଘର ସର୍ଭେ ଓ ବିଶେଷଜ୍ଞମାନଙ୍କ ମତାମତ ଅନୁଯାୟୀ, କୁଆଖାଇ ନଦୀ ପଠା ବାଲିଅନ୍ତାଠାରେ ଏକ ବୃହତ ଆନିକଟ ନିର୍ମାଣ ଓ ନଦୀର ଉଭୟ ପାର୍ଶ୍ବରେ ସୁଉଚ୍ଚ ଦୃଢ଼ ବନ୍ଧ ନିର୍ମାଣ, ନଦୀକୁ ତା’ର ମୂଳଠାରୁ ଆନିକଟ ପର୍ଯ୍ୟନ୍ତ ୧୮କିଲୋମିଟର ପର୍ଯ୍ୟନ୍ତ ଡ୍ରେଜିଙ୍ଗ କରି ଯଥେଷ୍ଟ ଜଳ ରହିବାର ବ୍ୟବସ୍ଥା କରାଯିବା ନେଇ ସେତେବେଳେ ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଥିଲେ। ହେଲେ ତାହା ଦୀର୍ଘ ଦିନ ଧରି ବିଳମ୍ବ କରାଯାଉଥିବା‌ବେଳେ ଏବେ ପାଣ୍ଡରା ନିକଟରେ ହେବାକୁ ଯାଉଥିବା ଆନିକଟ ପର୍ଯ୍ୟାପ୍ତ ନୁହେଁ ବୋଲି ଉତ୍ତର ଭୁବନେଶ୍ବର ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଭାତ ଦାଶ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି।

ବୃହତ୍ତ ଆନିକଟ ନିର୍ମାଣ ହେବାଦ୍ବାରା ଭୁବନେଶ୍ବରର ତାପମାତ୍ରା ୪ରୁ ୫ଡିଗ୍ରି ହ୍ରାସ ପାଇବା ସହ ଭବିଷ୍ୟତରେ ଉପୁଜିବାକୁ ଥିବା ଜଳ ସଂକଟ ଦୂର ହୋଇପାରିବ। ହେଲେ ବୃହତ୍ତ ଆନିକଟକୁ ବାଲିଅନ୍ତା ନିକଟରେ ନିର୍ମାଣ କରିବା ପରିବର୍ତ୍ତେ ‌ବାଲି ମାଫିଆ ଓ ପାଣି ମାଫିଆମାନଙ୍କୁ ସୁରକ୍ଷା ଦେବାକୁ ଷଡ଼୍‌ଯନ୍ତ୍ର କରି ପାଣ୍ଡରା ପାଖରେ ଆନିକଟ ନିର୍ମାଣ କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି। ଏହାସହ ବିଏମ୍‌ସିର ୪ନମ୍ବର ୱାର୍ଡରେ ଆସୁଥିବା ଏହି ହଂସପାଳ ଓ ଚତୁପା‌ର୍ଶ୍ବରେ ଥିବା ରାଜସ୍ବ ଗ୍ରାମ ଗୁଡ଼ିକ ଦୀର୍ଘ ଦିନ ଧରି ବହୁବିଧ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏ ସମସ୍ତ ସମସ୍ୟାକୁ ନେଇ ଆସନ୍ତା ୨୮ତାରିଖରେ ହଂସପାଳ ଛକରେ ଏକ ବିରାଟ ସମାବେଶ ହେବ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗୋଲକଚନ୍ଦ୍ର ଜେନା, ରଘୁନାଥ ପଣ୍ଡା, ମନୋଜ ପୁହାଣ, ପ୍ରିୟରଂଜନ ସାହୁ ଓ ବ୍ରହ୍ମାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର