ମମିତା ହତ୍ୟା‌ ଘଟଣାର ନିରପେକ୍ଷ ତଦନ୍ତ ଦାବି: ଶ୍ରୀଲଙ୍ଗରାଜ ମନ୍ଦିର ସମ୍ମୁଖରେ ଦୀପ ଜାଳି ପ୍ରତିବାଦ

ପୁରୁଣା ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦିନ ଏକାମ୍ର ଜନଜାଗରଣ ମଞ୍ଚ ଦାବି କରିଛି। ଏହି ପରିପ୍ରେକ୍ଷୀରେ ମଞ୍ଚ ପକ୍ଷରୁ ଶ୍ରୀଲଙ୍ଗରାଜ ମନ୍ଦିର ସମ୍ମୁଖରେ ଦୀପ ଜାଳି ପ୍ରତିବାଦ କରାଯିବା ସହ ମମତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରାଯାଇଥିଲା। ମଞ୍ଚ ପକ୍ଷରୁ କୁହାଯାଇଥିଲା ଯେ ଏହି ମାମଲାରେ ପୁଲିସର ଭୂମିକା ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ମମିତାଙ୍କୁ ହତ୍ୟା କରାଯିବାଠାରୁ ଗୋବିନ୍ଦ ଫେରାର୍‌ ହେବା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମ ୯ଦିନ ଧରି ପୁଲିସର କାର୍ଯ୍ୟ ଓ ତଦନ୍ତରେ ଶିଥିଳତା ସୂଚାଉଛି ଯେ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ମାନସ ପତି, ରତିକାନ୍ତ ବଟୁ, ସୌମ୍ୟରଞ୍ଜନ ପଣ୍ଡା, ରାଜେଶ ମିଶ୍ର, ବିଜୟ ଭଟ୍ଟାଚାର୍ଯ୍ୟ, ସୁଲତା ସାହାଣୀ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ବିନୋଦିନୀ ସେନାପତି, ମାନସୀ ମହାନ୍ତି, ରଜନୀ ପଣ୍ଡା, ଚିନ୍ମୟୀ ବେହେରା, ସୋନି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏଆଇଡି ଏସ୍‌ଓ, ଏଆଇଡିଓ୍ବାଇଓ, ଏଆଇଏମ୍ଏସ୍ଏସ୍ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ବର : ସନ୍‌ସାଇନ୍‌ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନିରକ୍ଷେପ ତଦନ୍ତ, ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର, କର୍ତ୍ତବ୍ୟରେ ହେଳା କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ବର୍ମା କମିସନ ସୁପାରିସ ଅନୁଯାୟୀ ତ୍ବରିତ ବିଚାର, ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସରକାରୀ ଶିକ୍ଷାନୁଷ୍ଠାନରେ ପରିଣତ କରିବା ଓ ମମିତାଙ୍କ ପରିବାରକୁ ୧କୋଟି ଟଙ୍କାର ସହୟତା ରାଶି ପ୍ରଦାନ ଦାବିରେ ଏଆଇଡି଼ଏସ୍ଓ, ଏଆଇଡିଓ୍ବାଇଓ, ଏଆଇଏମ୍ଏସ୍ଏସ୍ ପକ୍ଷରୁ ଲୋୟର ପିଏଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭ୍ରଷ୍ଟ ରାଜନେତା, ଅପରାଧୀ ପୁଲିସ ଓ ଶିକ୍ଷା ମାଫିଆଙ୍କ ପ୍ରତୀକ କୁଶପୁତ୍ତଳିକା ଦାହ କରାଯାଇଥିଲା।

ବିକ୍ଷୋଭରେ ଏଆଇଏମ୍ଏସ୍ଏସ୍‌ର ରାଜ୍ୟ ସଂପାଦିକା ସ୍ବଂୟପ୍ରଭା ନାୟକ, ସଂପାଦକମଣ୍ଡଳୀ ସଦସ୍ୟା ମାନସୀ ସ୍ବାଇଁ, ତରଙ୍ଗିନୀ ଦାସ, ବିଜୟଲକ୍ଷ୍ମୀ ପାତ୍ର, ପ୍ରଭାମଞ୍ଜୁଳା ବ୍ରହ୍ମ, ରାଜ୍ୟ କମିଟି ସଦସ୍ୟା ଟିକା ସାମଲ, ଏଆଇଡିଏସ୍ଓ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ଉପସଭାପତି ସିଦ୍ଧାର୍ଥ ରଥ, ସଂପାଦକମଣ୍ଡଳୀ ସଦସ୍ୟ ନସିମ ସରକାର, ଭାଗ୍ୟରବି ଦାସ, ରାଜ୍ୟ କମିଟି ସଦସ୍ୟ ନାରାୟଣ ନାୟକ, ବିନୋଦ ସେଠୀ, ସ୍ବସ୍ତି ସଂଗୀତା ଦଳାଇ, ତରୁଣସେନ ନାୟକ, ଏଆଇଡିଓ୍ବାଇଓ ପକ୍ଷରୁ ରାଜ୍ୟ କମିଟି ସଦସ୍ୟ ସସ୍ମିତା ମହାନ୍ତି, ସଦସ୍ୟ ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର