ଅଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜର୍‌ଙ୍କ ଇସ୍ତଫା ଦାବି: ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜର୍‌ଙ୍କ ଇସ୍ତଫା ସହ ସ୍କେଲ-୪ ଅଧିକାରୀଙ୍କୁ ଜେନେରାଲ ମ୍ୟାନେଜର୍‌ ନିଯୁକ୍ତି ଆଦି ୩ ଦଫା ଦାବିରେ ଆଜି ‘ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୫ଶହରୁ ଊର୍ଧ୍ବ କର୍ମଚାରୀ ଏଥିରେ ଯୋଗଦେଇ କାର୍ଯ୍ୟବନ୍ଦ ସହ ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ସେମାନଙ୍କ ଅଭିଯୋଗ ହେଲା, ବ୍ୟାଙ୍କର ଅଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜର୍‌ କୌଣସି ନିୟମ ନମାନି କାମ କରୁଛନ୍ତି। କର୍ମଚାରୀମାନଙ୍କୁ ମାନସିକ ନିର୍ଯାତନା ଦେବା ସହ ଛୋଟଛୋଟ କଥାରେ ଛଟେଇ ଧମକ ଦେଉଛନ୍ତି। ଏହା ଦ୍ବାରା କର୍ମଚାରୀମାନଙ୍କ ଉପରେ ମାନସିକ ଚାପ ଓ ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଛି। ଏଥିଯୋଗୁଁ କିଛି କର୍ମଚାରୀ ଇସ୍ତଫା ଦେବା ସହ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଏହାବ୍ୟତୀତ ଗ୍ରାମ୍ୟବ୍ୟାଙ୍କର ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳିବା ପରେ ବ୍ୟାଙ୍କର ବ୍ୟାବସାୟିକ ମାନଦଣ୍ଡ ଭୁଶୁଡ଼ିବାରେ ଲାଗିଛି। ଅଫିସରମାନଙ୍କୁ ପ୍ରମୋସନ୍‌ ସମୟରେ ଉପଯୁକ୍ତ ଟ୍ରେନିଂ ନଦେଇ ମ୍ୟାନେଜର୍‌ ଭାବେ ନିଯୁକ୍ତି ଦିଆଯାଉଛି ଏବଂ କାମରେ ଅବହେଳା ଦର୍ଶାଇ ସମ୍ପୃକ୍ତ ଅଫିସରଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ପ୍ରତିବାଦ କଲେ ତତ୍‌କ୍ଷଣାତ ବଦଳି କରିଦିଆଯାଉଛି। ଆଜିର ଏହି ବିକ୍ଷୋଭରେ ଆସୋସିଏସନ୍‌ର ସଭାପତି ଅସିତ କୁମାର ଖଣ୍ଡାଇ, ସାଧାରଣ ସମ୍ପାଦକ ସତ୍ୟବ୍ରତ ନନ୍ଦ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର