ଚନ୍ଦ୍ରଶେଖରପୁର: ଓଡ଼ିଶାର ସର୍ବପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି। ମଙ୍ଗଳବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ସାମନ୍ତ ଏହି ଦାବି କରିଛନ୍ତି। ଏଥିସହିତ ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ଦ୍ବିତୀୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି। ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା, କ୍ରୀଡ଼ା, ସଂସ୍କୃତି, ପୁରାତନ ଏୗତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ତଥା କୃଷି ଓ କୃଷକ ସଶକ୍ତିକରଣ ଆଦି କ୍ଷେତ୍ରରେ ସମଗ୍ର ଭାରତ ପାଇଁ ଉଦାହାରଣ ପାଲଟିଛି। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।
ତେଣୁ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ସହଯୋଗ କଲେ, ଓଡ଼ିଶା ଦେଶର ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ। ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ଷ୍ଟେଟ୍ର ମାନ୍ୟତା ଦେଇ ଅଧିକ ସହାୟତା ଯୋଗାଇ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦେବା ପାଇଁ ସେ ଦାବି କରିଥିଲେ। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା, କେନ୍ଦୁପତ୍ର ଉପରୁ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ, ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା, କର୍ମଚାରୀ ପେନ୍ସନ୍ ଯୋଜନା ୧୯୯୫ର ସଂଶୋଧନ, ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଅଧିକ ସହାୟତା ଦେବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Utkaluniversity.jpg)