ଡେମୋ ଦେଖାଇଲେ ଏଟିଏମ୍‌ ଲୁଟେରା : ନେଲେ ୨୦, ଫିଙ୍ଗିଦେଲେ ୮

ଅଳିଆଗଦାରେ ଫିଙ୍ଗିଥିଲେ ଗ୍ୟାସ୍ କଟର୍‌
ଲୁଟ୍ ପୂର୍ବଦିନ ଅଚଳ କରି ଦେଇଥିଲେ ସିସି କ୍ୟାମେରା
ଚିହ୍ନଟ କଲେ ହୋଟେଲ କର୍ତ୍ତୃପକ୍ଷ, ଭଡ଼ା ବାଇକ୍ ଦୋକାନୀ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ପଟିଆ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଏଟିଏମ୍‌ରୁ ଟଙ୍କା ଲୁଟି ନେଇଥିବା ୨ ଲୁଟେରା ଆଜି ଲୁଟ୍‌ର ଡେମୋ ପ୍ରଦର୍ଶନ କରିଛନ୍ତି। ଲୁଟ୍‌ ପୂର୍ବରୁ ସେମାନେ କରିଥିବା ରେକି, ଲୁଟ୍‌ରେ ବ୍ୟବହାର କରିଥିବା ଗ୍ୟାସ୍‌ କଟର୍‌କୁ ଫିଙ୍ଗିବା, ଅଳିଆ ଗଦାରେ ପୋଡ଼ା ଟଙ୍କା ଫୋପାଡ଼ିବା ଓ ସିସିଟିଭି କ୍ୟାମେରାକୁ ଅଚଳ କରିବା ଭଳି ଗୋଟି ଗୋଟି କରି ସବୁ ଘଟଣାକୁ ଡେମୋ ମାଧ୍ୟମରେ ଦେଖାଇଛନ୍ତି। ପୁଲିସ ପୂରା ଘଟଣାର ଡେମୋ(କ୍ରାଇମ୍ ସିନ୍ ରିକ୍ରିଏଟ୍) କରିଛି। ଅଜଣା ସହରରେ ଏତେ ବଡ଼ ଲୁଟ୍‌କୁ ସଫଳତାର ସହ କରିବା ପାଇଁ ସେମାନେ ଯେଉଁ ଯେଉଁ ରାସ୍ତା ଧରିଥିଲେ, ତାହାର ଡେମୋ ପ୍ରଦର୍ଶନ ପୁଲିସ ଅଧିକାରୀମାନଙ୍କୁ ଚକିତ କରିଥିବା ଜଣାପଡ଼ିଛି।

ଅକ୍ଟୋବର ୧୦ ତାରିଖ ରାତିରେ ଏହି ଚର୍ଚ୍ଚିତ ଲୁଟ୍‌ ଘଟିଥିଲା। ଦୁଇ ଲୁଟେରା ସମରଜ୍ୟୋତ୍ ସିଂହ ଓ ଜାଫର ସାଦ୍ଦିକ ସଫଳତାର ସହ ଲୁଟ୍‌ କରି ଫେରାର୍ ହୋଇଯାଇଥିଲେ। ପରେ ବିଶାଖାପାଟଣା ପୁଲିସ ହାତରେ ଅନ୍ୟ ଏକ ଲୁଟ୍‌ ମାମଲାରେ ଧରାପଡ଼ିଥିଲେ। ଏବେ ସେମାନଙ୍କୁ କମିସନରେଟ୍‌ ପୁଲିସ ତିନି ଦିନିଆ ରିମାଣ୍ଡରେ ଆଣିଛି। ସେମାନଙ୍କୁ ଝାରପଡ଼ା ଜେଲରେ ରଖା ଯାଇଥିଲା। ଆଜି ମଧ୍ୟାହ୍ନରେ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍ ଓ ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀ, ଜୋନ୍-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ସେମାନଙ୍କୁ ନେଇ ଲୁଟ୍‌ ହୋଇଥିବା ଏଟିଏମ୍ କାଉଣ୍ଟର୍‌ ନିକଟକୁ ଯାଇଥିଲେ। ଏଟିଏମ୍ ମେସିନକୁ କେମିତି ଗ୍ୟାସ୍‌ କଟର୍‌ରେ କାଟିଥିଲେ, ସେମାନେ ତାହାର ଡେମୋ ଦେଖାଇଥିଲେ। ଘଟଣା ପୂର୍ବରୁ ସେମାନେ ଦୁଇଥର ରେକି କରିବାକୁ ଯାଇଥିଲେ। ଏହା ପୂର୍ବ ଦିନ ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଅଚଳ କରିଦେଇଥିଲେ। ଏ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା। ଲୁଟ୍ ଟଙ୍କା ସବୁକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଘଟଣାସ୍ଥଳରୁ ପଳାଇଥିଲେ। କାନନବିହାର ଜୟଦେବ ଶିକ୍ଷାକେନ୍ଦ୍ର ନିକଟରେ ଥିବା ଅଳିଆ ଗଦାରେ ଗ୍ୟାସ୍‌ କଟର୍‌କୁ ଫିଙ୍ଗି ଦେଇଥିଲେ। ଏହା ପରେ ସେମାନେ ପଟିଆ-ମଞ୍ଚେଶ୍ବର ଷ୍ଟେସନ ମଝିରେ ଥିବା ଏକ ନିକାଞ୍ଚନ ସ୍ଥାନକୁ ପଳାଇଥିଲେ। ଏଟିଏମ୍‌ ମେସିନକୁ କାଟିବା ସମୟରେ ପୋଡ଼ି ଯାଇଥିବା ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କାର ଶହେ, ଦୁଇ ଶହ ଟଙ୍କିଆ ନୋଟ୍‌କୁ ଦୟାୱେଷ୍ଟ କେନାଲ କଡ଼ରେ ଥିବା ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍‌ ରଖିଥିଲେ। ପ୍ରାୟ ୨୦ ଲକ୍ଷ ଟଙ୍କା ନେଇଥିଲେ। ଆଜି ପୁଲିସ ଟିମ୍‌ ଉକ୍ତ ଦୁଇ ସ୍ଥାନକୁ ଯାଇ ଛାନ୍‌ଭିନ୍ କରିଥିଲେ ହେଁ ଗ୍ୟାସ୍‌ କଟର ବା ପୋଡ଼ା ଟଙ୍କା ମିଳି ନଥିଲା। ଦୁଇ ମାସ ବିତି ଯାଇଥିବାରୁ ସେସବୁ ଆଉ ସେଠାରେ ନଥିଲା।

ତିନି ଦିନିଆ ରିମାଣ୍ଡର ପ୍ରଥମ ଦିନରେ ଏଭଳି ତଥ୍ୟ ଲାଗିଛି ପୁଲିସ ହାତରେ। ଡେମୋ ଶେଷ ହେବା ପରେ ସେମାନଙ୍କୁ ପ୍ରଶାନ୍ତିବିହାର ଓ ପଟିଆ ଅଞ୍ଚଳର ଦୁଇଟି ହୋଟେଲକୁ ନିଆଯାଇଥିଲା। ହୋଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ଚିହ୍ନଟ କରିଥିଲେ। ସେହିଭଳି ଭଡ଼ା ଦେଇଥିବା ଗ୍ୟାସ୍‌ ସିଲିଣ୍ଡର ଦୋକାନୀ ଓ ବାଇକ୍‌ ଭଡ଼ା ଦେଇଥିବା ସଂସ୍ଥା ମଧ୍ୟ ସେମାନଙ୍କୁ ଚିହ୍ନଟ କରିଥିଲେ। ଆଜି ଏତିକି କାମ ଶେଷ ହେବା ପରେ ଏବେ ଉଭୟଙ୍କୁ ପୁଲିସ ମାରାଥନ୍ ଜେରା ଚଳାଇଛି। ଲୁଟ୍ କରିଥିବା ଟଙ୍କାକୁ ସେମାନେ କିଭଳି ଖର୍ଚ୍ଚ କରିଛନ୍ତି? ବାକି ଟଙ୍କା କେଉଁଠି ଲୁଚାଇ ରଖିଛନ୍ତି? ଏଭଳି ବିଭିନ୍ନ ପ୍ରଶ୍ନର ଖୋଳତାଡ଼ କରୁଛି ପୁଲିସ।

ଚନ୍ଦା ମୁଣ୍ଡରେ ଚୁଟି ପାଇଁ ୩ ଲକ୍ଷ ଖର୍ଚ୍ଚ କରିଛି ଜାଫର୍
ଏକାଧିକ ରାଜ୍ୟରେ ଏଟିଏମ୍ ଲୁଟ୍ କରି ଲକ୍ଷ ଲକ୍ଷ ଟଙ୍କା କମାଇଥିଲେ ଏହି ଲୁଟେରା ଯୋଡ଼ି। କିନ୍ତୁ ମଉଜ ମଜଲିସ୍‌ରେ ଉଡ଼ାଉଥିଲେ। ବିମାନରେ ଯାତ୍ରା କରିବା, ପଞ୍ଚତାରକା ହୋଟେଲରେ ରହିବା, ସପିଂ କରିବା ଥିଲା ସେମାନଙ୍କ ସଉକ। ତେବେ ସାଦ୍ଦିକ୍ ଜାଫର ଚନ୍ଦା ହୋଇଥିବାରୁ ତା’ ମନରେ ବଡ଼ ଦୁଃଖ ଥିଲା। ମୁଣ୍ଡରେ ଚୁଟି ଉଠାଇବା ପାଇଁ ସେ ବହୁ ଅର୍ଥ ଖର୍ଚ୍ଚ କରୁଥିଲା। ଶେଷରେ ବେଙ୍ଗାଲୁରୁରେ ସଫଳ ହୋଇଥିଲା। ସେଥିପାଇଁ ସେ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।

ଲୁଟ୍ ଟଙ୍କା କ’ଣ କଲେ?
ଏଟିଏମ୍ ମେସିନ କାଟି ୨୮ ଲକ୍ଷ ଟଙ୍କା ଲୁଟ୍ କଲେ। ଗ୍ୟାସ କଟର୍‌ରେ କଟା ଯାଉଥିବାରୁ ପୋଡ଼ି ଯାଇଥିବା ପ୍ରାୟ ୮ଲକ୍ଷ ଟଙ୍କା ଫିଙ୍ଗି ଦେଇଥିଲେ। ଲୁଟ ପରଦିନ ସକାଳେ ଦିଲ୍ଲୀ ପଳାଇଲେ ଲୁଟେରା। ଏତେ ଟଙ୍କା ଧରି ବିମାନରେ ଗଲେ କେମିତି? ଯାଞ୍ଚ ବେଳେ ଧରାପଡ଼ିଲେ ନାହିଁ କେମିତି? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ନା ଏହି ଟଙ୍କାକୁ ଅନଲାଇନରେ କାରବାର କରିବାକୁ ଆଉ କାହାକୁ ଦେଇଥିଲେ କି? ନା ସେମାନଙ୍କର ଆଉ କେହି ସହଯୋଗୀଙ୍କ ଜରିଆରେ ଏହି ଟଙ୍କା ପଠାଇଥିଲେ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହା ଉପରୁ ରହସ୍ୟ ଉଠାଇବା ଲାଗି ମାରାଥନ୍ ଜେରା ଚଳାଇଛି ପୁଲିସ୍‌।

ଓଲା ଡ୍ରାଇଭରରୁ ଏଟିଏମ୍‌ ଲୁଟେରା

ସମରଜ୍ୟୋତ୍ ଓ ଜାଫର୍‌ ପେସାରେ ଥିଲେ ଓଲା କ୍ୟାବ୍ ଡ୍ରାଇଭର୍‌। ବେଙ୍ଗାଲୁରୁରେ ରହି ସେମାନେ ଓଲା କାର୍‌ ଚଳାଉଥିଲେ। କିନ୍ତୁ ଗତ ଦୁଇ ବର୍ଷ ହେଲା ସେମାନେ ଅପରାଧ ଜଗତରେ ପାଦ ଦେଇଥିଲେ। ସମରଜ୍ୟୋତ୍‌ ଏକ ଲୁଟ୍‌ ମାମଲାରେ ଜେଳ୍‌ ଯାଇଥିବା ବେଳେ ଓ ଜାଫର୍‌ ଗଞ୍ଜେଇ ବେପାର କରିବା ଅଭିଯୋଗରେ ଜେଲ୍‌ ଯାଇଥିଲା। ଜେଲ୍‌ ଭିତରେ ସେମାନଙ୍କର ଡି. ରାଙ୍ଗା ନାମକ ଜ‌ଣେ ଏଟିଏମ୍‌ ଲୁଟେରା ସହ ସାକ୍ଷାତ ହୋଇଥିଲା। ରାଙ୍ଗାର ଜ୍ଞାନକୌଶଳ ପାଇବା ପରେ ସେମାନେ ହାଇଟେକ୍ ଏଟିଏମ୍ ଲୁଟେରା ପାଲଟି ଯାଇଥିଲେ। ଗ୍ୟାସ୍‌ କଟର୍‌ରେ ଏଟିଏମ୍ ମେସିନ୍ କାଟି ଲୁଟ୍ କରିଥିଲେ। ବେଙ୍ଗାଲୁରୁ, ହାଇଦ୍ରାବାଦ, ବିଶାଖାପାଟଣାରେ ସେମାନେ ଏକାଧିକ ଏଟିଏମ୍ ଲୁଟ୍ କରି ପୁଲିସର ନିଦ ହଜାଇ ଦେଇଥିଲେ। ଏହା ପରେ ସେମାନଙ୍କ ଆଖି ପଡ଼ିଥିଲା ଭୁବନେଶ୍ବର ଉପରେ।

ଅପରେସନ୍‌ ଭୁବନେଶ୍ବର
ଗତ ଅକ୍ଟୋବର ୪ ତାରିଖରେ ସେମାନେ ବେଙ୍ଗାଲୁରୁରୁ ବିମାନ ଯୋଗେ କୋଲକାତା ଯାଇଥିଲେ ଓ ସେଠାରୁ ୫ ତାରିଖରେ ଏକ ଭଡ଼ା ଟାକ୍ସିରେ ଭୁବନେଶ୍ବର ଆସିଥିଲେ। ପଟିଆ ନିକଟରେ ଥିବା ପବିତ୍ର ରୟାଲ୍‌ ରିଜେନ୍ସି ହୋଟେଲରେ ରହିଥିଲେ। ପଟିଆ ଅଞ୍ଚଳରେ ଭଡ଼ାରେ ମିଳୁଥିବା ଗୋଟିଏ ବାଇକ୍‌ ଆଣିଥିଲେ। ଏକ ଦୋକାନରୁ ଗ୍ୟାସ୍ ସିଲିଣ୍ଡର ଓ କଟର୍ ଭଡ଼ାରେ ଆଣିଥିଲେ। ଗ୍ୟାସ୍‌ କଟର୍‌ ଓ ସିଲିଣ୍ଡର ଭଡ଼ାରେ ଆଣିବା ପରେ ସେମାନେ ହୋଟେଲ ବଦଳାଇ ୭ ତାରିଖରେ ନିକଟରେ ଥିବା ଅର୍ବାନ୍ ଲିଜେଣ୍ଡରେ ରହିଥିଲେ। ୮ ଓ ୯ ତାରିଖ ଦୁଇ ଦିନ ଧରି ପିଏନ୍‌ବି ଏଟିଏମ୍‌କୁ ଯାଇ ରେକି କରିଥିଲେ। ଏକାଧିକଥର ରେକି କରିବା ପରେ ୯ ତାରିଖ ସନ୍ଧ୍ୟାରେ ଏଟିଏମ୍‌ରେ ଲାଗିଥିବା ସିସି କ୍ୟାମେରାକୁ ଅଚଳ କରି ଦେଇଥିଲେ। ୧୦ ତାରିଖ ବିଳମ୍ବିତ ରାତିରେ ଅପରେସନ୍‌ କରିଥିଲେ। ଏଟିଏମ୍ ଚାମ୍ବରକୁ ଗ୍ୟାସ୍‌ କଟର୍‌‌ରେ କାଟି ପ୍ରାୟ ୨୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ୧୧ ତାରିଖ ଭୋର୍‌ ପ୍ରାୟ ୪ଟା ୧୫ରେ ସେମାନେ ହୋଟେଲରୁ ବାହାରି ଭଡ଼ା କାର୍‌ରେ ଭୁବନେଶ୍ବର ବିମାନବନ୍ଦର ଯାଇ ୭ଟା ୪୦ରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ପଳାଇଥିଲେ।

ସମ୍ବନ୍ଧିତ ଖବର