ଡେମୋ ଦେଖାଇଲେ ଏଟିଏମ୍‌ ଲୁଟେରା

୪୮ ଘଣ୍ଟାରେ ୧୧ ଏଟିଏମ୍‌ରୁ ଲୁଟିଥିଲେ; ୩ ଜେଲ୍ ଗଲେ

୯୦ ହଜାର ଟଙ୍କା, ୧୫ ଏଟିଏମ୍‌ କାର୍ଡ, ଦାମୀ କାର୍ ଜବତ

ଭୁବନେଶ୍ବର,୩୦। : ହରିୟାଣାର ଫରିଦାବାଦ୍‌ରୁ ଆସି ଓଡ଼ିଶାରେ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟୁଥିବା ୩ କୁଖ୍ୟାତ ଲୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅତ୍ୟାଧୁନିକ ପ୍ରଣାଳୀରେ ଏଟିଏମ୍‌ର ସେନ୍‌ସର୍‌ ଅଚଳ କରି ଲୁଟୁଥିବା ଏହି ଲୁଟେରାମାନେ ହେଲେ ଫରିଦାବାଦର ମହମ୍ମଦ ସଲ୍‌ମାନ(୧୮) ଓ ରାଜ୍‌ କୁମାର ତନ୍‌ୱର(୩୧) ଏବଂ ହରିୟାଣା ନାଗିନା ଜିଲ୍ଲାର କାଫାଇୟାତ୍‌(୩୫)। ପୁଲିସ ସେମାନଙ୍କଠାରୁ ନଗଦ ୯୦ ହଜାର ଟଙ୍କା, ୧୫ଟି ଏଟିଏମ୍‌ କାର୍ଡ, ନମ୍ବର ବିହୀନ ହେକ୍ଟର କାର୍‌, ୩ଟି ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ ସେନ୍‌ସର ଅଚଳ କରି ପାରୁଥିବା ଷ୍ଟିଲ୍‌ ପାତରେ ନିର୍ମିତ ୫ଟି ସ୍ବତନ୍ତ୍ର ଡିଭାଇସ୍‌ ଜବତ କରିଛି। ଆଜି ତିନି ଲୁଟେରାଙ୍କୁ ନେଇ ପୁଲିସ ଲୁଟ୍‌ର ଡେମୋ(ସିନ୍‌ ରିକ୍ରିଏସନ୍‌) ପ୍ରଦର୍ଶନ କରାଇଥିଲା।

ଗତ ସପ୍ତାହରେ ଏହି ତିନି ଜଣିଆ ଗ୍ୟାଙ୍ଗ୍‌ ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟୁଥିବା ବେଳେ ଟ୍ରାଞ୍ଜାକ୍‌ସନ୍ ସଲ୍ୟୁସନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌(ଟିଏସ୍‌ଆଇ) ଟିମ୍‌ ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସ ହାତରେ ଧରାପଡ଼ିଥି‌ଲା। କିନ୍ତୁ ଘଟଣାସ୍ଥଳରୁ କାର୍‌ ନେଇ କାଫାଇୟାତ୍‌ ଫେରାର୍ ହୋଇଯାଇଥିଲା। ପୁଲିସ ହାତରେ ଏହି ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଲାଗିବା ପରେ ଫେରାର୍ ଅଭିଯୁକ୍ତକୁ ଧରିବା ଲାଗି କମିସନରେଟ୍‌ ପୁଲିସ ତତ୍ପର ହୋଇପଡ଼ିଥିଲା। ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହ ସ୍ପେସାଲ୍‌ ସ୍କ୍ବାଡ୍‌ ପିଛା କରି ତାକୁ ଢେଙ୍କାନାଳରୁ ଧରିଥିଲା‌। ସମସ୍ତଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା ଯେ ସେମାନେ ଓଡ଼ିଶାକୁ ଆସିବା ପରେ ମାତ୍ର ୪୮ ଘଣ୍ଟା ଭିତରେ ୧୧ଟି ଏଟିଏମ୍‌ରୁ ଟଙ୍କା ଲୁଟିଥିଲେ। କଟକରୁ ୬ଟି ଓ ଭୁବନେଶ୍ବରରୁ ୫ଟି ଏଟିଏମ୍‌ରୁ ଏମାନେ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ କରିବାରେ ସଫଳ ହୋଇଥିଲେ। ତେବେ ଏମାନେ ୬ ମାସ ଭିତରେ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୩୦ଟି ଏଟିଏମ୍‌ରୁ ପାଖାପାଖି ୮ କୋଟି ଟଙ୍କା ଲୁଟିଥିବା ଜଣାପଡ଼ିଛି।

ଗ୍ରାହକ ନୁହେଁ; ବ୍ୟାଙ୍କ୍‌କୁ ଚୂନ ଲଗାଉଥିଲେ
ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ କୌଣସି ଆକାଉଣ୍ଟଧାରୀଙ୍କୁ ଲୁଟୁ ନ ଥିଲେ। ଏମାନେ ନୂଆ ପଦ୍ଧତିରେ ବ୍ୟାଙ୍କକୁ ହିଁ ଚୂନ ଲଗାଉଥିଲେ। ପ୍ରଥମେ ନିଜେ ତିଆରି କରିଥିବା ସ୍ବତନ୍ତ୍ର ଡିଭାଇସ୍‌ ବା ପାତକୁ ଏଟିଏମ୍‌ ସର୍ଟର(ଟଙ୍କା ବାହାରୁଥିବା ଡୋର୍‌)କୁ ଭାଙ୍ଗି ଭିତରେ ଖଞ୍ଜି ଦେଉଥିଲେ। ଏହା ପରେ ସେମାନେ ଏକ ଡେବିଟ୍‌ କାର୍ଡ ଭର୍ତ୍ତି କରି ଟଙ୍କା ଉଠାଣ ପ୍ରକ୍ରିୟା କରୁଥିଲେ। ଓଟିପି ବ୍ୟବସ୍ଥାକୁ ଏଡ଼ାଇବା ପାଇଁ ସେମାନେ ସବୁଠାରେ ୯ ହଜାର ଟଙ୍କା ଉଠାଉଥିଲେ। ଅବଶ୍ୟ ଭୁବନେଶ୍ବରର ଏକ ଏଟିଏମ୍‌ରୁ ସେମାନେ ୩୬ ହଜାର ଟଙ୍କା ଉଠାଇଥିଲେ। ଏହି କାର୍ଡଟି ସେମାନଙ୍କ ପାଖରେ ଥିବା ମୋବାଇଲ୍‌ ଫୋନ୍‌ ସହ ସଂଯୁକ୍ତ ଥିବାରୁ ଓଟିପି ସମସ୍ୟା ନଥିଲା। ଏଟିଏମ୍‌ରୁ ଟଙ୍କା ଉଠୁଥିଲା। କିନ୍ତୁ ପାତରେ ଲାଗି ରହୁଥିଲା। ଏହା ‌ପରେ ମେସିନ୍‌ ସର୍ଭରକୁ ଜଣାଉଥିଲା ଯେ ଟଙ୍କା ଉଠାଣ ହୋଇଛି, କିନ୍ତୁ ଆକାଉଣ୍ଟଧାରୀ ପାଇପାରି ନାହାନ୍ତି। ସର୍ଭରରୁ ଏହି ମେସେଜ୍ ଯିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ କାର୍ଡଧାରୀଙ୍କ ଆକାଉଣ୍ଟକୁ ଟଙ୍କା ଫେରାଉଥିଲା। ଏଣେ ଲୁଟେରାମାନେ ପାତ ବାହାର କରିବା ସହ ସେଥିରେ ଲାଗି ରହିଥିବା ଟଙ୍କା ଉଠାଇ ନେଉଥିଲେ। ପାତ ବାହାର କରିବା ପରେ ଏଟିଏମ୍‌ର ସେନ୍‌ସର୍ ଅଚଳ ହୋଇପଡ଼ୁଥିଲା ଓ ଫଳରେ ଏଟିଏମ୍‌ ବି ଅଚଳ ହୋଇପଡ଼ୁଥିଲା। ଏମିତିରେ ବ୍ୟାଙ୍କ ଗୋଟିଏ ଥର ଟ୍ରାଞ୍ଜାକ୍‌ସନ୍‌ ଦ୍ବାରା ୧୯ ହଜାର ଟଙ୍କା ହରାଉଥିଲା। ଲୁଟେରାମାନେ କାର୍ଡ ଆଣିଥିବା ଲୋକଙ୍କୁ କିଛି କମିସନି ଦେଇ ବାକି ଟଙ୍କା ରଖୁଥିଲେ। ଏଭଳି ବ୍ୟବସ୍ଥା କେବଳ ଟଚ୍‌ ସ୍କ୍ରିନ୍‌ ଥିବା ଏଟିଏମ୍‌ରେ ହୋଇପାରୁଥିବାରୁ ସେମାନେ ବାଛିବାଛି ସେଭଳି ଏଟିଏମ୍‌କୁ ଟାର୍ଗେଟ୍‌ କରୁଥିଲେ। ଗତ ୬ ମାସ ହେଲା ଏହି ଗ୍ୟାଙ୍ଗ୍‌ ଏସ୍‌ବିଆଇ ଏଟିଏମ୍‌କୁ ଲୁଟିବା ପରେ ଟିଏସ୍‌ଆଇ ଟିମ୍‌ ସତର୍କ ହୋଇପଡ଼ିଥିଲା। ଗତ ସପ୍ତାହରେ ଏହି ଗ୍ୟାଙ୍ଗ୍‌ ଭୁବନେଶ୍ବରରେ ଥିବା ଜାଣି ଦିଲ୍ଲୀ ଟିଏସ୍‌ଆଇ ଭୁବନେଶ୍ବର ଶାଖାକୁ ଜଣାଇଥିଲେ। ତେଣୁ ୨୫ ତାରିଖ ସକାଳୁ ଏହି ଗ୍ୟାଙ୍ଗ୍‌ ବଢ଼େଇବାଙ୍କ ଛକ ଏଟିଏମ୍‌ରେ ସର୍ଟର ଭାଙ୍ଗିବା ଜଣାପଡ଼ିବା ମାତ୍ରେ ଦିଲ୍ଲୀ ଟିଏସ୍‌ଆଇ ଟିମ୍‌ରୁ ଖବର ପାଇ ଭୁବନେଶ୍ବର ଟିମ୍‌ ଲିଙ୍ଗରାଜ ଥାନା ପୁଲିସ ସହଯୋଗରେ ଦୁଇ ଜଣଙ୍କୁ ଏଟିଏମ୍‌ ଭିତରୁ କାବୁ କରିଥିଲା।

ସମ୍ବନ୍ଧିତ ଖବର