ନାଗରିକ ଅନୁଷ୍ଠାନଗୁଡ଼ିକର ଅବକ୍ଷୟ ଯୋଗୁଁ ଗଣତନ୍ତ୍ର ସଂକଟରେ: ସୌମ୍ୟ

ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ‘ସାହିତ୍ୟ, ସାମର୍ଥ୍ୟ, ସ୍ବାଭିମାନ’ ଲୋକାର୍ପିତ

କଟକ: ଗଣତନ୍ତ୍ର ଏବେ ସଂକଟ ଦେଇ ଗତି କରୁଛି। ନାଗରିକ ଅନୁଷ୍ଠାନମାନଙ୍କ ଅବକ୍ଷୟ ପାଇଁ ଏଭଳି ସଂକଟ ଉପୁଜିଛି। ଏହାକୁ ଦୂର କରିବାରେ ନାଗରିକ ସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାହିତ୍ୟିକମାନେ ଘୃଣା ନ କରି ରାଜନୀତିକୁ ପ୍ରଭାବିତ କଲେ, ସମାଜର ସବୁ ସଂକଟ ଦୂର ହେବ ‌ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।
ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁଙ୍କ ସ୍ତମ୍ଭଲେଖ ସଂକଳନ ‘ସାହିତ୍ୟ, ସାମର୍ଥ୍ୟ, ସ୍ବାଭିମାନ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋ‌ଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଗଦ୍ୟ ସାହିତ୍ୟ ଦୁର୍ବଳ ହେଲେ ଗଣତନ୍ତ୍ର ଦୁର୍ବଳ ହେବ। ଗଣତନ୍ତ୍ର ରାଷ୍ଟ୍ରରେ ପ୍ରବୁଦ୍ଧ ନାଗରିକଙ୍କ ଅସହାୟତା କ୍ୟାନସର୍‌ଠୁ ଭୟଙ୍କର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସାହିତ୍ୟିକମାନେ ସେମାନଙ୍କ ଲେଖନୀ ମାଧ୍ୟମରେ ବିପ୍ଳବ ସୃ‌ଷ୍ଟି କରିପାରିବେ। ସାହିତ୍ୟ ପାଠକକୁ ନେଇ ବଞ୍ଚେ, ପୁରସ୍କାରକୁ ନେଇ ନ‌ୁହେଁ। ଏଥିପାଇଁ ସାହିତ୍ୟିକମାନେ ପାଠକଙ୍କ ପାଇଁ, ସମାଜ ପାଇଁ, ମାଟି ପାଇଁ କାଳଜୟୀ ସାହିତ୍ୟ ସୃଷ୍ଟି କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ‌ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ କହିଲେ, ସାହିତ୍ୟ କାହାର ଅଧୀନ ହୋଇପାରେନା। ଯେଉଁ ସାହିତ୍ୟରେ ସାମର୍ଥ ଓ ସ୍ବାଭିମାନ ନାହିଁ, ତାହା କେବେ କାଳଜୟୀ ହୋଇପାରିବ ନାହିଁ। ଏହି ଅବସରରେ ପ୍ରଫେସର ସାମଲ, ଡକ୍ଟର ଭୂୟାଁଙ୍କ ସଂକଳନର ସମୀକ୍ଷା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶି‌ଷ୍ଟ ସ୍ତମ୍ଭକାର ଡ. ହେମେନ୍ଦ୍ର ନାରାୟଣ ଦାସ କହିଲେ, ଦର୍ପଣ ଭଳି ସାହିତ୍ୟ ସର୍ବଦା ବାସ୍ତବ କଥା କହିଥାଏ। ଡ. ଭୂୟାଁଙ୍କ ସ୍ପଷ୍ଟବାଦିତା ହିଁ ତାଙ୍କ ଲେଖାରେ ପ୍ରତିଫଳିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଡ. ଭୂୟାଁ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରି କହିଲେ, ସାହିତ୍ୟ ଓ ରାଜନୀତି ଉଭୟର ମୌଳିକ ଲକ୍ଷ୍ୟ ସମାଜର ହିତସାଧନ।

ଏଥିପାଇଁ ସାହିତ୍ୟ ସିଧାସଳଖ ରାଜନୀତିର କଥା କହୁ ବୋଲି ସେ କହିଥିଲେ।
ପୂର୍ତ୍ତ ବିଭାଗର ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରାଙ୍କ ପୌରୋହିତ୍ୟରେ ମହାନଦୀବିହାରସ୍ଥିତ ମହାନଦୀ ଭବନରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ନିରୂପମା ପତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଲେଖକ ଡ. ଭୂୟାଁଙ୍କ ପୁଅ ଆଇନଜୀବୀ ଇଞ୍ଜିନିୟର ଆକାଶ ଭୂୟାଁ ସ୍ବାଗତ ଭ‌ାଷଣ ପ୍ରଦାନ କରିଥିବା ବେଳେ ବୋହୂ ଶୁଭଲକ୍ଷ୍ମୀ ନାୟକ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପୁସ୍ତକର ପ୍ରକାଶକ ତଥା ବିଦ୍ୟାପୁରୀ ପ୍ରକାଶନୀ ସଂସ୍ଥାର ସତ୍ତ୍ବାଧିକାରୀ ଜୀବାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର