ଭୁବନେଶ୍ବର: ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମସ୍ତଙ୍କ ଭାଗୀଦାରି ଥାଏ। ନାଗରିକମାନେ ହିଁ ରାଷ୍ଟ୍ରର ସାର୍ବଭୌମ୍ୟ କ୍ଷମତାର ଅଧିକାରୀ। କିନ୍ତୁ ବ୍ୟାପକ ଦୃଷ୍ଟିକୋଣରୁ ବିଚାର କଲେ, ଗଣତନ୍ତ୍ର କେବଳ ଗୋଟିଏ ଶାସନ ବ୍ୟବସ୍ଥା ନୁହେଁ, ଏହା ଏକ ଆଦର୍ଶ ସମାଜ ବ୍ୟବସ୍ଥା ଏବଂ ଜୀବନମାର୍ଗ। ରାଜନୈତିକ ଅର୍ଥରେ ଏହାକୁ ଆମେ ଏକ ପ୍ରତିନିଧିମୂଳକ ଏବଂ ଦାୟିତ୍ବଶୀଳ ସରକାର କହିପାରିବା। ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଭାରତରେ ରାଜନୀତି ଓ ବିକାଶ: ପ୍ରସଙ୍ଗ ଓ ଆହ୍ବାନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଏବଂ ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ଅଧିବେଶନକୁ ଉଦ୍ଘାଟନ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆଜି ଏହା କହିଛନ୍ତି। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭାରତୀୟ ଗଣତନ୍ତ୍ର ପ୍ରତି ଅବଦାନ ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମୟରେ ଗଣତନ୍ତ୍ରରେ ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଶ୍ରୀ ପାତ୍ର ଆଲୋକପାତ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ମଣିଷ ଓ ରାଜନୀତି ବିଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରାଜନୀତି ବିଜ୍ଞାନ ବିନା ମଣିଷର ଅସ୍ତିତ୍ବ ନାହିଁ। ତେଣୁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରାଜନୀତି ବିଜ୍ଞାନ ଶିକ୍ଷକମାନେ ଅଧିକ ଗବେଷଣା କରିବାକୁ କୁଳପତି ଆହ୍ବାନ ଦେଇଥିଲେ।
ପ୍ରଫେସର ଅମୀୟ ପରିଚ୍ଛାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଲିକତା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର୍ ଦୀପଙ୍କର ସିହ୍ନା ଯୋଗଦେଇ ସମାଜ ସହ ରାଜନୀତି ବିଜ୍ଞାନର ସଂଯୋଗ ଉପରେ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା, ସମାଜ, ରାଜନୀତି ଓ ଅର୍ଥନୀତି ଉପରେ ଆୟୋଜିତ ପାଠଚକ୍ରରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ ଯେ ଓଡ଼ିଶାରେ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିର ରୂପରେଖ ଦୀର୍ଘ ୭୫ବର୍ଷ ପୂର୍ବରୁ ଯାହା ଥିଲା, ଏବେ ସେଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି।
ଏହା ଗଣତନ୍ତ୍ରକୁ ଅଧିକ ସହଜ ଭାବେ ବୁଝିବାରେ ସହାୟକ ହୋଇପାରିଛି। ରାଜନୈତିକ କାର୍ଯ୍ୟକଳାପ ଏବଂ ଆଭିମୁଖ୍ୟକୁ ବିସ୍ତାର ରୂପେ ବୁଝାଇବାରେ ମଧ୍ୟ ସକ୍ଷମ ହୋଇପାରିଛି। ହେଲେ ଏସବୁ ପରେ ବି ଆମ ରାଜ୍ୟରେ ଏକତା ଆସି ପାରିନାହିଁ। ଆମେ ସମଗ୍ର ଓଡ଼ିଶାକୁ ନେଇ ଗର୍ବ କରିବା ପରିବର୍ତ୍ତେ ନିଜ ନିଜ ଅଞ୍ଚଳ ତଥା ଜିଲ୍ଲାକୁ ନେଇ ଗୌରବାନ୍ବିତ ମନେ କରୁଛେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ଅମରେଶ୍ବର ମିଶ୍ର, ସୁଧାକର ପଣ୍ଡା, ବିଷ୍ଣୁଚରଣ ଚୌଧୁରୀ, ଅନୁପ କୁମାର ଦାଶ ପାଠ୍ୟଚକ୍ରରେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ମାନସ ବେହେରା, ପ୍ରଫେସର୍ ଚିନ୍ତାମଣୀ ମହାପାତ୍ର, ଉମାକାନ୍ତ ମିଶ୍ର, ପ୍ରତୀପ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ତଥା ଜାତୀୟ ଆଲୋଚନାଚକ୍ରର ସାଂଗଠନିକ ସମ୍ପାଦିକା ଡ. ସ୍ମିତା ନାୟକ ଅତିଥି ପରିଚୟ ଦେଇଥିଲେ। ଯୁଗ୍ମ ସାଙ୍ଗଠନିକ ସମ୍ପାଦିକା ଡ. ସୀମା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ପ୍ରଫେସର ସ୍ୱପ୍ନା ପ୍ରଭୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆଲୋଚନା ସମ୍ବନ୍ଧୀୟ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ଏବଂ ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା।