ପୁରୁଣା ଭୁବନେଶ୍ୱର : ବାସୁଦେବ ମନ୍ଦିର ପାର୍ଶ୍ବରୁ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର : ଐତିହ୍ୟ ସହରରେ ପରିଣତ ହେବ ଏକାମ୍ର କ୍ଷେତ୍ର। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ‌ବୈଠକ, ସମୀକ୍ଷା ଜାରି ରହିଛି। ଏଥିସହ ଜବରଦଖଲ ଉଚ୍ଛେଦ ବି ହେଉଛି। ଏହି କ୍ରମରେ ଆଜି ଅନନ୍ତ ବାସୁଦେବ ମନ୍ଦିର ପାର୍ଶ୍ବରେ ଥିବା ପ୍ରସ୍ତାବିତ ନୂଆ ରୋଷଘରକୁ ଉଚ୍ଛେଦ କରାଯାଇଛି। ପୁଲିସ ଉପସ୍ଥିତିରେ ସାଧାରଣ ପ୍ରଶାସନ ବିଭାଗ, ବିଏମ୍‌ସି, ବିଡିଏର ମିଳିତ ସ୍କ୍ବାଡ୍‌ ଆଜି ପୂର୍ବାହ୍ନରେ ଦୁଇଟି ଲେଖାଏଁ ଏସ୍‌କାଭେଟର ଓ ଜେସିବି ସାହାଯ୍ୟରେ ମନ୍ଦିର ପଛପାର୍ଶ୍ବରେ ଥିବା ଏହି ରୋଷ ଘରକୁ ଭାଙ୍ଗିଛନ୍ତି। ଏଥିସହ ସେଠାରେ ଥିବା ୫ଟି ଅସ୍ଥାୟୀ ଦୋକାନକୁ ମଧ୍ୟ ଉଚ୍ଛେଦ କରାଯାଇଛି। ସଂଧ୍ୟା ସୁଦ୍ଧା ଭଙ୍ଗା କାମ ଶେ‌ଷ ହେବା ପରେ ସେଠାରୁ ବାହାରିଥିବା ବର୍ଜ୍ୟକୁ ବିଏମ୍‌ସି ଉଠାଇ ନେଇଛି। ୨୦୦୪ ମସିହାରେ ଏଠାରେ ବିଏମ୍‌ସି ପକ୍ଷରୁ ଶୁଭ ଦିଆଯାଇ ନୂଆ ରୋଷଘର ପାଇଁ କାମ ଆରମ୍ଭ ହୋଇଥିଲା। ତେବେ ୨୦୦୮ ମସିହାରେ ଏକ ମାମଲା ଯୋଗୁଁ ଏହି କାମ ବନ୍ଦ ରହିଥିଲା। ୨୦୧୩ ମସିହାରେ ସମାନ କାରଣରୁ କାମ ଆରମ୍ଭ ହୋଇ ଅଧାରୁ ବନ୍ଦ ରହିଥିଲା। ଏହି ସ୍ଥାନରେ ବିନ୍ଦୁସାଗରରୁ ନୂଆ ଲିଙ୍ଗରାଜ ମାର୍କେଟ୍‌ ନିକଟ ପାର୍କିଂକୁ ରାସ୍ତା ନିର୍ମାଣ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ଭାଙ୍ଗିବ ଥାନା କ୍ବାର୍ଟର୍ସ, କର୍ମଚାରୀ ଚିନ୍ତାରେ
ଶ୍ରୀଲିଙ୍ଗରାଜ ଥାନା ପରିସରରେ ଥିବା କ୍ବାର୍ଟର୍ସ, ବାରାକ୍‌, ପୁରୁଣା କୋଠାଗୁଡ଼ିକ ମଧ୍ୟ ଭଙ୍ଗାଯିବ। ଆବଶ୍ୟକ ପଡ଼ିଲେ, ନୂଆ କୋଠାକୁ ମଧ୍ୟ ଭଙ୍ଗି ଦିଆଯିବ। ଏହାକୁ ନେଇ ଏବେ ଥାନା କ୍ବାର୍ଟର୍‌ରେ ରହୁଥିବା ପୁଲିସ କର୍ମଚାରୀଙ୍କ ଚିନ୍ତା ବଢ଼ି ଯାଇଛି। କ୍ବାର୍ଟର୍ସ ଭାଙ୍ଗିବା ପରେ ସେମାନେ କିଭଳି ଓ କେଉଁଠି ରହିବେ? ବିକଳ୍ପ ବ୍ୟବସ୍ଥା କିଛି କରାଯାଇ ନଥିବାରୁ ଚିନ୍ତା ବଢ଼ିଚାଲିଛି। ଏବେ ଏଠାରେ ୬ ପରିବାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଟି ପରିବାରର ପିଲା ଆଗକୁ ମାଟ୍ରିକ୍‌ ପରୀକ୍ଷା ଦେବେ। ଏଥିସହ ବିଧାନସଭା‌ ସମ୍ମୁଖରେ ଡ୍ୟୁଟି କରୁଥିବା ହାବିଲଦାର ବିଚିତ୍ରାନନ୍ଦ ମଲ୍ଲିକ ଆହତ ହୋଇ ଏହି କ୍ବାର୍ଟର୍ସ ଭିତରେ ରହୁଛନ୍ତି। ପ୍ରଶାସନର ଉଚ୍ଛେଦ ନିଷ୍ପତ୍ତିକୁ ନେଇ ସେମାନଙ୍କ ମଧ୍ୟରେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଥାନା ପାଇଁ ଜମି ଖୋଜା ଚାଲିଛି। ପ୍ରକାଶ ଥାଉକି, ଗତକାଲି ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ ଶ୍ରୀଲିଙ୍ଗରାଜ ଥାନାକୁ ଆସି ମାପ କରିଥିଲେ।

ମହାପ୍ରଭୁଙ୍କ ଜମି ମାପ କଲା ପ୍ରଶାସନ, ସାମନ୍ତରାପୁରରେ ଚାପା ଉତ୍ତେଜନା
ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ମହାପ୍ରଭୁଙ୍କ ନାମରେ କେଉଁଠାରେ କେତେ ଜମି ରହିଛି, ଆଜି ତାହାର ମାପ ଆରମ୍ଭ କରିଛି ମନ୍ଦିର ପ୍ରଶାସନ। ମନ୍ଦିରରୁ ଅଳ୍ପ ଦୂରରେ ମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀଲିଙ୍ଗରାଜ ଥାନା ପାଇଁ କେଉଁ ଜମି ସୁବିଧା ହେବ, ତାହା ମଧ୍ୟ ଅନୁଧ୍ୟାନ କରାଯାଇଛି। ଏଥିପାଇଁ ଆଜି ପୂର୍ବାହ୍ନରେ ମନ୍ଦିର କାର୍ଯ୍ୟାଳୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ପରେ ମହାପ୍ରଭୁଙ୍କ ଜମି ଚିହ୍ନଟ କରାଯାଇଥିଲା। ଯେଉଁ ଜମି ମହାପ୍ରଭୁଙ୍କ ନାମରେ ରହିଛି ତାହାକୁ ନକ୍ସାରେ ନାଲି ଚିହ୍ନ ଦିଆଯାଇଥିଲା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ମନ୍ଦିର ଅମିନ, ଆର୍‌ଆଇ ଓ ତହସିଲ ଅମିନ ଆର୍‌ଆଇ ଏହି ଚିହ୍ନଟ ପକ୍ରିୟାରେ ସାମିଲ ହୋଇଥିଲେ। ପ୍ରଥମେ ସାମନ୍ତରାପୁରଠାରେ ଏହି ମାପ ଆରମ୍ଭ ହୋଇଥିଲା। ଏକ ଗାଡ଼ି ସୋ’ ରୁମ୍‌ ନିକଟରେ ମାପ କରାଯାଇଥିଲା। ସେଠାରେ କିଛି ଲୋକ ବିରୋଧ କରିବାରୁ ଚାପା ଉତ୍ତେଜନା ଦେଖାଦେଇଥିଲା।

ହଟିବ ବ୍ୟାଖ୍ୟାନ କେନ୍ଦ୍ର
ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ସବୁ ହଟିବ। ଏପରିକି ସେଠାରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ କରାଯାଉଥିବା ବ୍ୟାଖାନ କେନ୍ଦ୍ରକୁ ମଧ୍ୟ ହଟାଇ ଦିଆଯିବ। ମନ୍ଦିର ନିକଟରେ ଥିବା ସବୁ ସରକାରୀ ଜମି ଜବରଦଖଲମୁକ୍ତ କରାଯିବ। କିନ୍ତୁ ଆବଶ୍ୟକ ନ ପଡ଼ିଲେ କୌଣସି ଘରୋଇ ଜମିକୁ ଭଙ୍ଗାଯିବ ନାହିଁ କିମ୍ବା ଅଧିଗ୍ରହଣ କରାଯିବ ନାହିଁ। ମନ୍ଦିରକୁ ଆସୁଥିବା ରାସ୍ତାକୁ ଚଉଡ଼ା କରାଯିବ। ଅପରପକ୍ଷେ ଆସନ୍ତା ସୋମବାର ମନ୍ଦିର ସମ୍ମୁଖରୁ ଜବରଦଖଲ ହଟିବ। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିନ୍ଦୁସାଗର ରାସ୍ତାକୁ ଚଉଡ଼ା କରିବାକୁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟକଙ୍କ ଗାଡ଼ି ଆସି ଦ୍ବାରବାସିନୀ ମନ୍ଦିର ଛକ ମଧ୍ୟ ଦେଇ ବାସୁଦେବ ମନ୍ଦିର ପାର୍ଶ୍ବରେ ନୂଆ ଲିଙ୍ଗରାଜ ମାର୍କେଟ ନିକଟ ପାର୍କିଂ ସ୍ଥଳକୁ ଆସିବ। ସେଠାରେ ବ୍ୟାଟେରି ଗାଡ଼ିରେ ପର୍ଯ୍ୟଟକ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଅନ୍ୟ ମନ୍ଦିରକୁ ବୁଲିବାକୁ ଯିବେ। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରରୁ ବିନ୍ଦୁସାଗରକୁ ଯିବା ରାସ୍ତା ଚଉଡ଼ା କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ପାର୍ଶ୍ବକୁ ପରିଷ୍କାର କରାଯିବ।

ସୂଚନାଯୋଗ୍ୟ ଯେ ୨୦୧୫ ରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବିଭିନ୍ନ କାରଣ ପାଇଁ ନିର୍ମାଣ ବିଳମ୍ବ ହୋଇଥିଲା। ଏବେ ବ୍ୟାଖ୍ୟାନ କେନ୍ଦ୍ରର ଭିତର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାହାର କାମ ବାକି ରହିଛି। ଏବେ ଏହି ବ୍ୟାଖାନ କାମ ବନ୍ଦ ରହିଛି।

ସମ୍ବନ୍ଧିତ ଖବର