ଝାରପଡ଼ା ହାଟ‌ରେ ବିଏମ୍‌ସିର ଉଚ୍ଛେଦ, ଉଚ୍ଛେଦକୁ ବଣିକ ସଂଘର ବିରୋଧ

ମାଟିରେ ମିଶିଲା ନିର୍ମାଣାଧୀନ ୧୨ ଆଜବେଷ୍ଟସ୍‌ ଦୋକାନ

ଭୁବନେଶ୍ୱର: ପ୍ରବଳ ବିରୋଧ ସତ୍ତ୍ବେ ଝାରପଡ଼ା ଗଣେଶମଣ୍ଡପ ନିକଟ ହାଟରୁ ଅନଧିକୃତ ଦୋକାନଗୁଡ଼ିକୁ ଆଜି ବିଏମ୍‌ସି ଓ ବିଡିଏର ମିଳିତ ଦଳ ଉଚ୍ଛେଦ କରିଛନ୍ତି। ୨ ପ୍ଲାଟୁନ୍‌ ଫୋର୍ସ ସହାୟତାରେ ମିଳିତ ଉଚ୍ଛେଦକାରୀ ଦଳ ନିର୍ମାଣାଧୀନ ୧୨ଟି ଆଜବେଷ୍ଟସ୍‌ ଦୋକାନକୁ ବୁଲଡୋଜର୍‌ ସହାୟତାରେ ମାଟିରେ ମିଶାଇ ଦେଇଥିଲେ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ସରକାରୀ ଜମିରେ ଏହି ଅନଧିକୃତ ନିର୍ମାଣ ଯୋଗୁଁ ରାସ୍ତା ସଂକୁଚିତ ହେବା ସହ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳରେ ଜଟିଳ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ଆଜି ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ପରେ ଏହି ବେଆଇନ ଭାବେ ନିର୍ମାଣାଧୀନ ଦୋକାନ ଘରଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କମିସନର୍‌ କହିଥିଲେ ଯେ ବିଡିଏର ବହୁମୂଲ୍ୟ ଜମି ଉପରେ ଏଭଳି ବେଆଇନ ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ। ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ଓ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ସ୍ଥାନରେ ବହୁତଳ ମାର୍କେଟ୍‌ କମ୍ପ୍ଲେକ୍ସ ଓ ପନିପରିବା ହାଟ ନିର୍ମାଣ କରାଯିବ। ବର୍ତ୍ତମାନ ଏଠାରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ଓ ଉଠାଦୋକାନୀଙ୍କୁ ସେଠାରେ ଥଇଥାନ କରାଯିବ। ଏହି ସ୍ଥାନର ଉନ୍ନତୀକରଣ ପାଇଁ ଖୁବ୍‌ଶୀଘ୍ର ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚୌଧରୀ ସୂଚନା ଦେଇଥିଲେ।

କମିନନର୍‌ଙ୍କ ନିର୍ଦ୍ଦେଶକ୍ରମେ ବିଡିଏ ଅତିରିକ୍ତ କମିସନର୍‌ ହରିଶ୍ଚନ୍ଦ୍ର ନାୟକ, ବିଏମସି ଅତିରିକ୍ତ କମିସନର୍‌ ଅବନୀକାନ୍ତ ପଟ୍ଟନାୟକ, ସହାୟକ କମିସନର୍‌ ଲିଲନ ପ୍ରସାଦ ସାହୁ ଓ ଦକ୍ଷିଣ ପୂର୍ବ ମଣ୍ଡଳର ଡେପୁଟି କମିସନର୍‌ ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମ୍‌ସି ଓ ବିଡିଏର ଏନ୍‌ଫୋର୍ସ‌‌ମେଣ୍ଟ ସ୍କ୍ବାଡ୍‌ ହାଟରେ ପହଞ୍ଚିଥିଲା। ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ଏସିପି ରଜତ ରାୟ ଓ ଲଷ୍ମୀସାଗର ଆଇଆଇସି ଭରତ ସାହୁଙ୍କ ନେତୃତ୍ୱରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

‌ତେବେ ଉଚ୍ଛେଦକୁ କିଛି ଲୋକ ପ୍ରବଳ ବିରୋଧ କରିଥିଲେ। ଏହା ସତ୍ତ୍ୱେ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପ୍ରମୋଦ ଜେନା, କିଶୋର ରାଉତରାୟ, ହରିହର ରାଉତ, ଏନ୍‌ଫୋର୍ସମେଣ୍ଟ ସହାୟକ ମାନସ ବିଶ୍ୱାଳ, ୱାର୍ଡ ଅଫିସର ଅମିୟ ସ୍ୱାଇଁ, ପରିମଳ ବିଶେଷଜ୍ଞ ପବିତ୍ର ପଣ୍ଡା ଓ ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ ବେଆଇନ ନିର୍ମାଣକୁ ଉଚ୍ଛେଦ କରିଥିଲେ। ସରକାରୀ ଜମି ଓ ରାସ୍ତା ଉପରୁ ବେଆଇନ ନିର୍ମାଣ ହଟାଇବା ନିମନ୍ତେ ଏଭଳି ଉଚ୍ଛେଦ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସହାୟକ କମିସନର୍‌ ଲିଲନ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ବିଏମ୍‌ସି ଓ ବିଡିଏର ଏଭଳି ତରବରିଆ ଉଚ୍ଛେଦକୁ ହାଟ ବଣିକ ସଂଘ ତୀବ୍ର ବିରୋଧ କରିଛି। ଏଭଳି ଉଚ୍ଛେଦ ବେଆଇନ ବୋଲି ସଂଘର ସଭାପତି ତଥା ପୂର୍ବତନ କର୍ପୋରେଟର୍‌ ସୁରେଶ ଚନ୍ଦ୍ର ଜେନା ଓ ସଂପାଦକ ସଂଜୀବ କୁମାର ମିଶ୍ର କହିଛନ୍ତି। ସେମାନଙ୍କ କହିବା କଥା ହେଲା, ୩୩ ନମ୍ବର ୱାର୍ଡ ଅଧୀନରେ ଥିବା ଏହି ହାଟ ୧୦ବର୍ଷ ତଳୁ ଗଢ଼ି ଉଠିଛି। ବର୍ତ୍ତମାନ ହାଟ ହୋଇଥିବା ସ୍ଥାନରେ ପୂର୍ବରୁ ୩୦ଫୁଟ୍ ଗଭୀରର ଏକ ଗାଡ଼ିଆ ଥିଲା। ବିଏମ୍‌ସି ରକ୍ଷଣାବେକ୍ଷଣା ନ କରିବାରୁ ପଚାସଢ଼ା ପାଣି ଜମି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା। ଏହି ବାଟ ଦେଇ ଯାଉଥିବା ଲୋକଙ୍କ ନାକ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ତେବେ ଏହା ନିକଟକୁ ରାସ୍ତା ଉପରେ ବେପାରୀମାନେ ବସି ବେପାର କରିବାରୁ ବିଭିନ୍ନ ସମୟରେ ରାସ୍ତା ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନପ୍ରତିନିଧି ଏବଂ ବ୍ୟବସାୟୀମାନେ ମିଳିତ ଭାବେ ଗାଡ଼ିଆକୁ ପୋତି ସେଠାରେ ଉଠାଦୋକାନ କରି ଦୀର୍ଘ ବର୍ଷ ହେଲା ବ୍ୟବସାୟ କରି ଆସୁଛନ୍ତି। ଏହି ହାଟ ଉପରେ ୧୦ କିଲୋମିଟର ଦୂରତା ଭିତରେ ଥିବା ପ୍ରାୟ ୪ରୁ ୫ ୱାର୍ଡର ଲୋକ ନିର୍ଭର କରୁଛନ୍ତି। ତେଣୁ ଏହି ହାଟକୁ ବିଏମ୍‌ସି ନିଜ ଅଧୀନକୁ ନେଇ ଏହାର ଉନ୍ନତୀକରଣ ପାଇଁ ଦୃଷ୍ଟି ଦେବାକୁ ଅନେକବାର ଦାବି କରାଯାଇଥିଲା। ବିଏମ୍‌ସି ଅଧୀନରେ ଥିବା ଅନ୍ୟ ହାଟ ଭଳି ଏଠାରେ ମଧ୍ୟ ସୁବିଧା ମିଳୁ ବୋଲି ବ୍ୟବସାୟୀମାନେ ବହୁବାର ବିଏମ୍‌ସିକୁ ଗୁହାରି କରିଥିଲେ। କିନ୍ତୁ ଉନ୍ନତୀକରଣ ବଦଳରେ ଆଜି ଯେଭଳି ଭାବେ ହାଟରେ ତରବରିଆ ଉଚ୍ଛେଦ କରାଯାଇଛି, ତାହା ସଂପୂର୍ଣ୍ଣ ବେଆଇନ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।

ସଂଘର ସଂପାଦକ ସଞ୍ଜୀବ ମିଶ୍ରଙ୍କ ଅଭିଯୋଗ ହେଲା, ଆଜି ଉଚ୍ଛେଦ କରିବାକୁ ଆସିଥିବା ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏହାକୁ ସେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ଏଭଳି ସମସ୍ୟା ଦେଖାଦେଲେ ବ୍ୟବସାୟୀମାନେ ମିଳିତ ଭାବରେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର