ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ୍‌ ରାସ୍ତାରୁ ବସ୍ତି ଉଚ୍ଛେଦ : ମାଟିରେ ମିଶିଲା ୧୯ ଘର

ରାସ୍ତା ଅବରୋଧ, ବିଳମ୍ବିତ ରାତି ଯାଏଁ  ରିଜର୍ଭ ଅଫିସରେ ଧାରଣା

ଖଣ୍ଡଗିରି : ସ୍ଥାନୀୟ ସତ୍ୟସାଇ ମହିଳା ମହାବିଦ୍ୟାଳୟ ନିକଟ ବସ୍ତି ଉଚ୍ଛେଦକୁ ନେଇ ସୋମବାର ବିଏମ୍‌ସି ପ୍ରଶାସନ ଓ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଦୀର୍ଘ ଦିନର କାର୍ଯ୍ୟକ୍ରମ ଅନୁସାରେ ପ୍ରଶାସନ ଆଜି ବସ୍ତି ଉଚ୍ଛେଦ କରିବାରେ ସଫଳ ହୋଇଥିଲେ ବି ବସ୍ତିବାସିନ୍ଦାଙ୍କ ଲଢ଼ୁଆ ପ୍ରତିବାଦ ପାଇଁ ପୁଲିସକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ରାସ୍ତା ଅବରୋଧ କରିଥିବା ବସ୍ତିବାସିନ୍ଦାମାନେ ପୁଲିସ ଦ୍ୱାରା ଅଟକ ରହିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ଧାରଣା ଦେବାରୁ ପୁଲିସ ଅଡ଼ୁଆରେ ପଡ଼ିଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଶୁଝା କରିଥିଲେ ବି ବସ୍ତିବାସିନ୍ଦାଙ୍କ ଜିଦ୍‌ ପାଇଁ କିଛି ଫଳ ମିଳିନଥିଲା। ଘର ତା ଭାଙ୍ଗିଲ, ଶୀତ କାକରରେ ପିଲାଛୁଆଙ୍କୁ ଧରି କୁଆଡ଼େ ଯିବୁ ବୋଲି ଅଭିଯୋଗ କରି ସେମାନେ ଧାରଣାରୁ ହଟି ନଥିଲେ।

ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ୍‌ ରାସ୍ତାରେ ଦୀର୍ଘ ୧୦ ବର୍ଷ ହେଲା ୧୫ ପରିବାର ଜବରଦଖଲ କରି ରହି ଆସୁଥିଲେ। ପରେ ସେମାନଙ୍କୁ ବିଏମ୍‌ସି ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ସହ ପାଣି ଓ ପାଇଖାନା ସୁବିଧା ସୁଯୋଗ ଆଦି ଯୋଗାଇ ଦିଆଯାଇଥିଲା। କିନ୍ତୁ ଗତ ୭ ମାସ ହେଲା ସେମାନଙ୍କୁ ଏଠାରୁ ହଟିଯିବାକୁ ବିଏମ୍‌ସି କର୍ତ୍ତୃପକ୍ଷ କହି ଆସୁଥିଲେ। ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁସାରେ ଥଇଥାନ ପାଇଁ ସେମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବା ସହ ଏକ ସ୍ଥାନ ବି ଚିହ୍ନଟ କରାଯାଇଥିଲା। ପରେ ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇବାକୁ ମଧ୍ୟ କୁହାଯାଇଥିଲା। ମାତ୍ର ସେମାନଙ୍କ ଏକା ଜିଦ୍‌ ଥିଲା ସେହିଠାରେ ରହିବେ। ଏଥିପାଇଁ ପ୍ରାୟ ୭ ମାସ ହେଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା ଜାରି ରଖିଥିଲେ ବି କିଛି ସ୍ଥାୟୀ ସମାଧାନର ବାଟ ମିଳି ନଥିଲା। ତେଣୁ ଶେଷରେ ଆଜି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାନୁସାରେ  ୧୫ ପରିବାରଙ୍କ ୧୯ ବଖରା ଆଜ୍‌ବେଷ୍ଟସ୍‌ ଘରକୁ ଭାଙ୍ଗି ଦିଆଯାଇଛି। କିନ୍ତୁ ସେମାନଙ୍କ ସମସ୍ତ ଜିନିଷପତ୍ରକୁ ପ୍ରଥମେ ବାହାର କରିବା ପରେ ଘର ଭଙ୍ଗା ଯାଇଛି।

ରାସ୍ତାରୋକ ଓ ଗିରଫଦାରି

ବସ୍ତି ଭଙ୍ଗା ଯାଉଥିବା ଖବର ପାଇ ସେହି ବସ୍ତିର ବାସିନ୍ଦାମାନେ ଛୁଟି ଆସିଥିଲେ। ୧ ପ୍ଲାଟୁନ୍‌ ମହିଳା ପୁଲିସ ସମେତ ୪ ପ୍ଲାଟୁନ୍‌ ପୁଲିସକୁ ସାମ୍‌ନା କରିବା ଜୁ’ ନଥିବାରୁ ବସ୍ତିବାସିନ୍ଦାମାନେ ସତ୍ୟସାଇ କଲେଜ ସମ୍ମୁଖ ଗଣ୍ଡମୁଣ୍ଡା ପୋଖରୀପୁଟ ରାସ୍ତାକୁ ଅବରୋଧ କରିଥଥିଲେ। ଟାୟାର୍‌ ଜାଳିବା ସହ ରାାସ୍ତାକଡ଼ ଗଛରୁ ଡାଳ ଭାଙ୍ଗି ରାସ୍ତା ଉପରେ ଧାରଣା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ବୁଝାଶୁଝା କାମ ନକରିବାରୁ ପୁଲିସ ସେମାନଙ୍କୁ ଉଠାଇ ନେଇ ରିଜର୍ଭ କାର୍ଯ୍ୟାଳୟରେ ଅଟକ ରଖିଥିଲା। ପୁଲିସ ୪ ଜଣ ପୁରୁଷଙ୍କ ସହ ୧୮ ଜଣ ମହିଳାଙ୍କୁ ଅଟକ ରଖିଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ ସେଠାକୁ ଯାଇ ସେମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ସେମାନେ ବୁଝି ନଥିଲେ। ପୁଲିସ ସେମାନଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା କରିଥିଲା। ପରେ ବସ୍ତିନେତାମାନେ ପ୍ରଶାସନ ସହ ଆଲୋଚନା କରି ବୁଝାଶୁଝା କରିବା ପରେ  ସେମାନେ ଧାରଣାରୁ ହଟିଥିଲେ।

ବସ୍ତିବାସିନ୍ଦାଙ୍କ ଅଭିଯୋଗ

ମାତ୍ର ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଆଜି ସାହିର ଲୋକମାନେ ପ୍ରତିଦିନ ଭଳି କାମକୁ ଚାଲିଯିବା ପରେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ବଡ଼ ଚତୁରତାର ସହ ଆକ୍ରମଣ କରିଥିଲେ। ୪ଟି ଜେସିବି ମେସିନ୍‌ ଓ ୪ ପ୍ଲାଟୁନ୍‌ ପୁଲିସ ବଳ ନେଇ ସାହି ଉପରେ ଚଢ଼ାଉ କରିଥିଲେ। ଆଜି ଘର ଭାଙ୍ଗିବେ ବୋଲି ପୂର୍ବରୁ କିଛି ବି ସୂଚନା ଦେଇ ନଥିଲେ କି ମାଇକ୍‌ରେ ପ୍ରଚାର କରି ନଥିଲେ। ଘର ଭିତରକୁ ଅଳ୍ପ କିଛି ଜିନିଷପତ୍ର ବାହାର କରି ସେମାନେ ଜୋର୍‌ ଜବରଦସ୍ତ ଘରେ ଜେସିବି ଚଢ଼ାଇ ଦେଇଥିଲେ। ଫଳରେ ବହୁ ଜିନିଷପତ୍ର ନଷ୍ଟ ହୋଇଛି। ଏମିତିକି ପିଲାମାନଙ୍କ ବହିପତ୍ର ଓ ପାଠପଢ଼ା ଉପକରଣ ସବୁ ପୋତି ହୋଇ ଯାଇଛି। ବସ୍ତିରେ ସେହି ସମୟରେ ଯେଉଁ କମ୍‌ ଲୋକ ଥିଲେ ପୁଲିସ ସେମାନଙ୍କୁ ମାଡ଼ ମାରିବା ସହ ଜୋର୍‌ ଜବରଦସ୍ତ ବାହାରକୁ ଟେକି ନେଇ ଘର ଭାଙ୍ଗି ଦେଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଶୀତ ଦିନରେ ଘର ଭାଙ୍ଗି ସେମାନଙ୍କ ପିଲାଛୁଆଙ୍କୁ ସରକାର ରାଜରାସ୍ତାରେ ଫିଙ୍ଗି ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ କୌଣସି ପରିସ୍ଥିତିରେ ବି ସେମାନେ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ଦେଇଥିବା ଧାରଣାରୁ ହଟିବେ ନାହିଁ ବୋଲି ଜିଦ୍‌ ଧରିଥିଲେ।

ସମ୍ବନ୍ଧିତ ଖବର