ଚନ୍ଦ୍ରଶେଖରପୁର: ଡମଣା ଛକରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବରୁ ଜବରଦଖଲ ହଟାଇବାକୁ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଉଠାଦୋକାନୀ ମୁହାଁମୁହିଁ ହୋଇଛନ୍ତି। ଥଇଥାନ ନ କରି ହଟାଯାଉଥିବାରୁ ଉଠାଦୋକାନୀମାନେ ବିରୋଧ କରିଥିଲେ। ପାଖାପାଖି ଦେଢ଼ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ଆନ୍ଦୋଳନକାରୀଙ୍କ ପ୍ରବଳ ବିରୋଧ ଆଗରେ ବିଏମ୍‌ସି ଅଧିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ତିନିଟି ଦୋକାନ ଭାଙ୍ଗିବା ପରେ ସେଠାରୁ ପଳାଇ ଯାଇଥିଲେ।

Advertisment

ଉଠାଦୋକାନୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ କୌଣସି ସୂଚନା ନଦେଇ ଭୁବନେଶ୍ବର ଉତ୍ତର ଜୋନ୍‌ର ଅଧିକାରୀମାନେ ଆଜି ପୂର୍ବାହ୍ନରେ ହଠାତ୍ ଡାକବାଜି ଯନ୍ତ୍ର ସାହାଯ୍ୟରେ ଡମଣା ଛକରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ରାସ୍ତା ଦୁଇପାର୍ଶ୍ବରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ପ୍ରଚାର କରିଥିଲେ। ଏହାଦ୍ବାରା ଦୋକାନୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ବିନା ସୂଚନାରେ ଉଠାଦୋକାନ ଭଙ୍ଗାଯାଉ ଥିବାରୁ ବ୍ୟବସାୟୀ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘର ସହାୟତା ଲୋଡ଼ିଥିଲେ। ଏହାପରେ ଶତାଧିକ ଉଠାଦୋକାନୀ ବିଏମ୍‌ସି ଅଧିକାରୀଙ୍କୁ ବିରୋଧ କରିବା ସହ ଡୋଜର୍‌ ଆଗରେ ଛିଡ଼ା ହୋଇ ରହିବାରୁ ଉଚ୍ଛେଦ ଅଧାରୁ ବନ୍ଦ ହୋଇଥିଲା।

ବିରୋଧ କଲା ରାଜ୍ୟ ଉଠାଦୋକାନୀ ମହାସଂଘ
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଚେତାବନୀ

ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି କିଛିଦିନ ତଳେ ବିଏମ୍‌ସି କମିସନର, ଉପାୟୁକ୍ତ, ଯୁଗ୍ମ ସଚିବ ଓ ପୁଲିସ ଅଧିକାରୀଙ୍କ ସମେତ ବହୁ ପଦାଧିକାରୀଙ୍କ ଉପସ୍ଥିତିରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ରାଜିନାମା ଉଠାଦୋକାନ ଉଚ୍ଛେଦ ବନ୍ଦ, ଉଚ୍ଛେଦ ସମୟରେ ଦୋକାନୀଙ୍କୁ ଚିହ୍ନଟ କରି ଭେଣ୍ଡିଂଜୋନ୍‌ରେ ଥଇଥାନ, ଜୋରଜବରଦସ୍ତ ଉଚ୍ଛେଦ ନ କରିବା, ଉଚ୍ଛେଦ ସମୟରେ ସମ୍ବିଧାନର ଧାରା ୧୯(୧)(୬) ପ୍ରତି ଧ୍ୟାନ ଦେବା ପରି ୧୨ରୁ ଅଧିକ ବିଷୟରେ ରାଜିନାମାରେ ସ୍ୱାକ୍ଷରିତ ହୋଇଥିଲା। ମାତ୍ର ବିଡିଏ, ବିଏମ୍‌ସି ଓ ସାଧାରଣ ପ୍ରଶାସନ ବିଭାଗର କର୍ମଚାରୀ ଉଠାଦୋକାନୀ ଆଇନ-୨୦୧୪କୁ ପାଳନ ନ କରି ଦୋକାନଗୁଡ଼ିକୁ ଉଚ୍ଛେଦ କରୁଛନ୍ତି। ତେଣୁ ଅସନ୍ତୋଷ ବଢ଼ିଚାଲିଛି। ଯଦି ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଆଇନ ନ ମାନି ବାରମ୍ବାର ଉଠାଦୋକାନୀଙ୍କୁ ଉଚ୍ଛେଦ କରନ୍ତି ତାହା ହେଲେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ କରାଯିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସଭାପତି ଲଲାଟ କୁମାର ଓଝା, ସସ୍ମିତା ସାହୁ, ସତ୍ୟବାନ ରାଉତ, ସୂର୍ଯ୍ୟମଣି ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।