ଆଜିଠୁ ଏକାମ୍ର କ୍ଷେତ୍ର ଉଚ୍ଛେଦ : ଅନନ୍ତବାସୁଦେବ ମନ୍ଦିରରୁ ଆରମ୍ଭ

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : ଏକାମ୍ରକ୍ଷେତ୍ରକୁ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଦେଇଛନ୍ତି। କେଉଁଠି କ’ଣ ହେବ ସେନେଇ ନକ୍ସା ପ୍ରସ୍ତୁତ ହୋଇଯାଇଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନି। ଏପରିକି ଭଙ୍ଗାଯିବାକୁ ଥିବା ଘର ଏବଂ ଜମି ଅଧିଗ୍ରହଣ ପାଇଁ ଖୁବ୍ ଶୀଘ୍ର ପ୍ୟାକେଜ୍ ଘୋଷଣା ହେବାକୁ ଅଛି। କିନ୍ତୁ କେଉଁଠି କେତେ ଅଞ୍ଚଳ ଜବରଦଖଲ ଅଛି, କ’ଣ କ’ଣ ଜବରଦଖଲ ଉଚ୍ଛେଦ ହେବ ସେନେଇ ନିଷ୍ପତ୍ତି ନିଆସରିଛି।

ବୁଧବାର ଭୋର୍‌ରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ବରେ ଏକ ଅଧିକାରୀ ଟିମ୍ ଲିଙ୍ଗରାଜ ମନ୍ଦିର ଏବଂ ଏହା ନିକଟସ୍ଥ ବିଭିନ୍ନ ମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ପରେ ବିଏମ୍‌ସିକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ଥାନାର ଦୂରତା ମାପିଲେ ପୁଲିସ କମିସନର
ମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଜମି ଖୋଜା ଆରମ୍ଭ
ଖୁବ୍ ଶୀଘ୍ର ପ୍ୟାକେଜ୍ ଘୋଷଣା ହେବ

କିଛି ଲୋକଙ୍କ ଜବରଦଖଲ ଉଚ୍ଛେଦ କରିବା ପୂର୍ବରୁ ଆସନ୍ତାକାଲି (ଶୁକ୍ରବାର)ଠାରୁ ପ୍ରଶାସନ ଅନନ୍ତ ବାସୁଦେବଙ୍କ ନୂଆ ରୋଷ ଘର ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ଏହା ନିକଟରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନନ୍ତ ବାସୁଦେବଙ୍କ ନୂଆ ରୋଷ ଘର ଭଙ୍ଗା ହେବ। ବିଏମ୍‌ସି ପକ୍ଷରୁ ଅନନ୍ତ ବାସୁଦେବଙ୍କ ନୂଆ ରୋଷ ଘର ନିର୍ମାଣ ହେଉଥିବାବେଳେ ଏହା ଏବେ ଅଧା ଗଢା ଅଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ଏହି ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ହେବ। ଏଠାରେ ରାସ୍ତା ଅଧିକ ଓସାର ହେବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଖାତା ନମ୍ବର ୨୨୮୦ରେ ଥିବା ପ୍ଲଟ ନମ୍ବର ୨୨୨୯, ୨୨୨୪ ଏବଂ ୨୨୨୫ରେ ଗଢ଼ି ଉଠିଥିବା ଅର୍ଦ୍ଧନିର୍ମିତ ଘରକୁ ବି ଉଚ୍ଛେଦ କରାଯିବ। ଏହି ଉଚ୍ଛେଦ ପ୍ରକ୍ରିୟା ତୁରନ୍ତ ‌େଶଷ କରିବାକୁ ବିଏମ୍‌ସିକୁ କୁହାଯାଇଛି। ଏଥିପାଇଁ ଆବଶ୍ୟକୀୟ ପୁଲିସ ସହାୟତା ସ୍ଥାନୀୟ ଥାନା ପକ୍ଷରୁ ଯୋଗାଇ ଦିଆଯିବ।

ଆଜି ବିଏମ୍‌ସି ଅତିରିକ୍ତି କମିସନର ଏନେଇ ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଅତିରିକ୍ତ କମିସନର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏକାମ୍ର କ୍ଷେତ୍ର ନେଇ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଅପରପକ୍ଷେ ଶ୍ରୀ ଲିଙ୍ଗରାଜ ଥାନା ଏବଂ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଉଚ୍ଛେଦ ହେବାକୁ ଥିବାରୁ ଆଜି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ ଆଜି ଶ୍ରୀ ଲିଙ୍ଗରାଜ ଥାନା ପରିଦର୍ଶନରେ ଆସି ପାରିପାର୍ଶ୍ବିକ ସ୍ଥିତି ଦେଖିଛନ୍ତି। ଏହା ସହ କମିସନରଙ୍କ ଉପସ୍ଥିତିରେ ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ଶ୍ରୀଲିଙ୍ଗରାଜ ଥାନାର ଦୂରତା ବି ମାପଚୁପ ହୋଇଛି। ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ମନ୍ଦିର ଆର୍‌ଆଇ ଓ ଅମିନ ଏହି ମାପଚୁପ କରିଥିଲେ।

ସେମାନେ ନୂଆ ଥାନା ବିଲ୍ଡିଂ ଉପରେ ଠିଆ ହୋଇ ନକ୍ସା ଦ୍ବାରା ଅନୁଧ୍ୟାନ କରିବା ସହ ମନ୍ଦିରରୁ ନୂଆ ଥାନା ବିଲ୍ଡିଂ, କ୍ବାର୍ଟର୍ସ, ବାରାକ୍‌, ପୁରୁଣା ବିଲ୍ଡିଂ ଗୁଡ଼ିକ କେତେ ଦୂର ଏହା ଅନୁଧ୍ୟାନ କରିଥିଲେ। ତେବେ ଥାନା କ୍ବାର୍ଟର୍ସ, ବାରାକ୍‌, ପୁରୁଣା ବିଲ୍ଡିଂ ଗୁଡ଼ିକ ପ୍ରଥମେ ଭଙ୍ଗା ହେବାର ଯୋଜନା ରହିଥିବା ବେଳେ ନୂଆ ଥାନା ଗୃହ ତିଆରି ପରେ ବର୍ତମାନ ଚାଲୁଥିବା ଥାନା ଗୃହ ଭଙ୍ଗାଯିବ ବୋଲି ସୂଚନା ମିଳିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ଥାନା ପାଇଁ ଜମି ଖୋଜା ଚାଲିଛି। ହେଲେ କିଛି ଦିନ ମଧ୍ୟରେ ଥାନା କ୍ବାର୍ଟର୍ସ, ବାରାକ୍‌, ପୁରୁଣା ବିଲିଂଡି ଗୁଡ଼ିକ ଭଙ୍ଗାଯିବ।

ସେହିପରି ମନ୍ଦିର କାର୍ଯ୍ୟାଳୟ ଭଙ୍ଗା ହେବାକୁ ଥିବାରୁ ଏବେ ନୂଆ କାର୍ଯ୍ୟାଳୟ ପାଇଁ ଜମି ଖୋଜା ଆରମ୍ଭ ହୋଇଛି। ମନ୍ଦିର ଜମି ଉପରେ ଏହି କାର୍ଯ୍ୟାଳୟ ହେବାକୁ ଥିବାରୁ ନକ୍ସା ଦେଖି ଜମି ଖୋଜା ଯାଉଛି। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଖାଲିଥିବା ଜମିକୁ ନକ୍ସାରେ ଦାଗ ଦିଆଯାଇଛି। ଏହାକୁ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରିବା ସହ ଅନୁମୋଦନ କରିବା ପରେ ନୂଆ କାର୍ଯ୍ୟାଳୟ ନିର୍ମାଣ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର