ଭୁବନେଶ୍ୱର: ବିଚ୍ଛିନ୍ନ ବିଦ୍ୟୁତ୍ ଲାଇନ୍‌ ପୁନଃସଂଯୋଗ ଦାବିରେ ଆଜି ୟୁନିଟ୍‌-୧ ମାର୍କେଟ୍‌ର କିଛି ବ୍ୟବସାୟୀ ଓ ଯୁବ ଓ ଛାତ୍ର କଂ‌ଗ୍ରେସ ପକ୍ଷରୁ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବକେୟା ବିଲ୍‌ ପଇଠ କରିବା ପରେ ବି କଟା ଯାଇଥିବା ଲାଇନ୍‌ ପୁନଃସଂଯୋଗ କରିବାରେ ଟାଳଟୂଳ ନୀତିକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ କନିଷ୍ଠ ଯନ୍ତ୍ରୀ ଲାଇନ୍‌ ସଂଯୋଗ ଦେବାରୁ ସେମାନେ ଧାରଣାରୁ ହଟିଥିଲେ।

Advertisment

ବକେୟା ବିଲ୍‌ ପଇଠ ବିଳମ୍ବ ହେବାରୁ ଏହି ମାର୍କେଟ୍‌ର କିଛି ବ୍ୟବସାୟୀଙ୍କ ଲାଇନ୍‌ କାଟି ଦିଆଯାଇଥିଲା। ପରେ ସେମାନେ ବକେୟା ବିଲ୍‌ ପଇଠ କରିଥିଲେ। କିନ୍ତୁ ସେମାନଙ୍କୁ ଆଉ ଲାଇନ୍‌ ସଂଯୋଗ ଦିଆଯାଇନଥିଲା। ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିବାକୁ କୁହାଯାଇଥିଲା। ଏହା ଦ୍ବାରା ପ୍ରତି ଉପ‌ଭୋକ୍ତାଙ୍କୁ ଆଉ ୫ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ତେଣୁ କମ୍ପାନିର ଏଭଳି ନୀତି ଉପଭୋକ୍ତା ଶୋଷଣ ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ସେମାନଙ୍କ ଅନୁରୋଧକ୍ରମେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍‌, ଭୁବନେଶ୍ବର ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ଅନ୍ୟମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ନବୀନ ସରକାର ଓ ଟାଟା କମ୍ପାନିର ମଧୁଚନ୍ଦ୍ରିକା ଖାଉଟିମାନଙ୍କୁ ଶୋଷଣ କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏମିତି ଧାରଣା ଚାଲିଥିବା ବେଳେ ତୁରନ୍ତ ବିଚ୍ଛିନ୍ନ ହୋଇଥିବା ଲାଇନ୍‌ ସଂଯୋଗ କରାଯାଇଥିଲା। ଏହି ଆନ୍ଦୋଳନରେ ପ୍ରକାଶ ମିଶ୍ର, ସୁନୀଲ ମାଟିଆ, କାର୍ତ୍ତିକେଶ୍ୱର କାଣ୍ଡି ଓ ସାଗର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।