ଚନ୍ଦ୍ରଶେଖରପୁର: ପ୍ରାର୍ଥିପତ୍ର ଦାଖଲ ପରେ ୧ ଓ ୨ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଶାନ୍ତି ବିହାର ଦୁର୍ଗାପୂଜା ମଣ୍ଡପରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଉଭୟ ୱାର୍ଡରୁ ହଜାରରୁ ଅଧିକ ମହିଳା ସାମିଲ ହୋଇଥିଲେ।

Advertisment

କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଲେ ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଯୋଜନା କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ମିସନ ଶକ୍ତି ମାଧ୍ୟମରେ ସେମାନଙ୍କୁ ସ୍ବାବଲମ୍ବୀ କରାଯାଇଛି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ବିଏମ୍‌ସିର ସମସ୍ତ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ। ଏଥିପାଇଁ ସମସ୍ତେ ଏକାଠି ହେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଥିଲେ।

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଯୋଗଦେଇ ଭୋଟ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କ ଯୋଜନା ଯେପରି ତୃଣମୂଳସ୍ତରର ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିବ ସେଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୧ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ମିହିର କୁମାର ରାଉତ ଯୋଗଦେଇ କହିଲେ ବିକାଶ ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ।

ସରକାରଙ୍କ ପ୍ରତିଟି ‌ଯୋଜନାର ସୁଫଳ ଏଠାକାର ଲୋକେ ପାଇଛନ୍ତି। ରାସ୍ତା, ଆଲୋକୀକରଣ, ବସ୍ତିବାସିନ୍ଦାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ମା’ମାନଙ୍କ ଆଶୀର୍ବାଦରୁ ବିକାଶ ଆଗକୁ ବଢ଼ୁଛି। ଦୁଇ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀନୀ ମୋନାଲିସା ବେହେରା ଯୋଗଦେଇ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ୧ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ମମତା ରାଉତ, କଳାରାହାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।