କୁଣ୍ଢେଇ-ନରିଶୋ କେନାଲ ବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି

ବନ୍ଦ ହୋଇଯାଇଛି ବସ୍ ସେବା, ସମସ୍ୟା ଭୋଗୁଛନ୍ତି ଦୁଇ ପଞ୍ଚାୟତର ୧୦ହଜାରରୁ ଊର୍ଧ୍ବ ଲୋକ

ବାଲିପାଟଣା : ବାଲିପାଟଣା ବ୍ଲକ କୁଣ୍ଢେଇଠାରୁ ନରିଶୋ ପର୍ଯ୍ୟନ୍ତ ୪ କିଲୋମିଟର କେନାଲ ବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଯାତାୟାତରେ ସମସ୍ୟା ଉପୁଜୁଛି। ୮ବର୍ଷ ତଳେ ନାବାର୍ଡ ସହାୟତାରେ ରାସ୍ତାର ମରାମତି ହୋଇ ପିଚୁ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ପିଚୁ ଉଠି ଖାଲଖମା ହୋଇଯାଇଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ନରିଶୋ ଏବଂ ଦେଉଳିଧରପୁର ପଞ୍ଚାୟତର ୧୦ହଜାରରୁ ଊର୍ଦ୍ଧ୍ବ ଲୋକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ଉକ୍ତ ରାସ୍ତା ଦେଇ ଭାଲିଆଦଣ୍ଡା, ଦେଉଳିପାରି, ମହୁକା ସାହି, ମଠସାହି, ଶ୍ରୀରାମପୁର ଓ ଭୋଇସାହି, ପଦନପଦା, ବିଶ୍ୱାଳ ସାହି, ବାଲିସାହି, ତିଆଡ଼ିସାହି, ଖଜୁରିଆପଡ଼ା, ଭୋଇସାହି, ଦ୍ୱିବେଦୀ ସାହି, ନିଧିସାହି, ନରିଶୋ, ବାଲିପଦା, ଶାଗୁଣା ଭୋଇସାହି, ଭଗତପଡ଼ା, ହାଟୁଆ ସାହି, ବାଡୁଆ ସାହି, ବଡ଼ପୋଖରୀ ଏବଂ କଣ୍ଟାପଡ଼ା ଗ୍ରାମର ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି। ଦୀର୍ଘ ଦିନ ହେବ ରାସ୍ତାଟି ଖରାପ ହୋଇଯିବାରୁ ଭୁବନେଶ୍ୱରରୁ ନରିଶୋ ଯାତାୟାତ କରୁଥିବା ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏହି ରାସ୍ତା ଦେଇ ପଦନପଦା, ନରିଶୋ, କଣ୍ଟାପଡା, ବରଡିହ, ଚଣ୍ଡୀପଡ଼ା, ବାଡୁଆ ସାହି, ବେହେରା ସାହି, ଦେଉଳି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାରେ ସମସ୍ୟା ଭୋଗୁଛନ୍ତି। ନରିଶୋ ସରପଞ୍ଚ­ ସୀତାକାନ୍ତ ରାଉତଙ୍କ ସୂଚନା ଅନୁଯାୟୀ ଉକ୍ତ ରାସ୍ତାଟି ଦୀର୍ଘ ଦିନ ହେବ ଖରାପ ହୋଇଯାଇଥିଲେ ମଧ୍ୟ ମରାମତି କରାଯାଉନାହିଁ। ନିଆଳି ଜଳସମ୍ପଦ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଦୁଇଚାରି ଥର ଡଷ୍ଟ୍ ପକାଯାଇଥିଲା। କିନ୍ତୁ ଠିକାଦାରଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଥିବା ସେ କହିଛନ୍ତି। ନରିଶୋ ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ସାହୁ ଓ ଅଶୋକ ପ୍ରଧାନଙ୍କ ମତରେ ଦୀର୍ଘ ଦିନ ହେବ ରାସ୍ତା ଖରାପ ହୋଇଥିବାରୁ ବାଲିପାଟଣା ବ୍ଲକକୁ ଯିବାକୁ ହେଲେ ନିଆଳି ନୂଆଗାଁ ରାସ୍ତା ଦେଇ ଦୀର୍ଘ ୩୦ କିଲୋମିଟର ବାଟ ବୁଲିଯିବାକୁ ପଡୁଛି।

ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ କହିବାନୁସାରେ ରାସ୍ତା ସମସ୍ୟା ନେଇ ସେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଉକ୍ତ ରାସ୍ତାର ମରାମତି ତୁରନ୍ତ ହେବା ଦରକାର। ନିଆଳି ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଅଗଣି ଚରଣ ବେହେରା କହିଛନ୍ତି, ଉକ୍ତ ରାସ୍ତାର ମରାମତି ପାଇଁ ୪ କୋଟି ଟଙ୍କାର ଟେଣ୍ଡର୍ କରାଯାଇଛି। କୁଣ୍ଢେଇଠାରୁ ଚାରିଛକ ପର୍ଯ୍ୟନ୍ତ ୧୬କିଲୋମିଟର ରାସ୍ତାର ମରାମତି ଆବଶ୍ୟକ ପଡୁଛି। କିନ୍ତୁ ସରକାରଙ୍କ ତରଫରୁ ଅର୍ଥରାଶି ମିଳିନଥିବାରୁ କାର୍ଯ୍ୟରେ ବିଳମ୍ବ ଘଟୁଛି।

ସମ୍ବନ୍ଧିତ ଖବର