ଜନପଥ ପାଲଟିଛି ଯନ୍ତ୍ରଣା ପଥ

ଏମିତି ସ୍ଥିତି ଆଉ ୮ମାସ, ୬ମାସ କାମ ବନ୍ଦ ପରେ ପୁଣି ଆରମ୍ଭ ହୋଇଛି, ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ଜନପଥ କାମ ସରିବ: ବିଏସ୍‌ସିଏଲ୍‌ ସିଇଓ

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ସାଧାରଣ ଲୋକ ଅନୁଭବ କରିବା ଭଳି ପ୍ରକଳ୍ପଟି ହେଉଛି ସ୍ମାର୍ଟ ଜନପଥ। ଏଥିରେ ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ ୫.୮କିମି ରାସ୍ତାକୁ ଏକ ନୂଆ ରୂପ ‌ଦିଆଯାଉଛି। ହେଲେ ୨୪ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପର ଅଧା ବି ୨୨ମାସ ପରେ ସରିନି। ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବେ ରାଜଧାନୀବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଗଲାଣି। ଜନପଥ ଏବେ ଯେମିତି ଯନ୍ତ୍ରଣା ପଥ ହୋଇଯାଇଛି।

ସ୍ମାର୍ଟ ସିଟି ପ୍ରକଳ୍ପ ତିନି ବର୍ଷ ହେଲା ଆରମ୍ଭ ହୋଇଥିଲେ ହେଁ ସ୍ମାର୍ଟ ଜନପଥ କାମ ଅକ୍ଟୋବର, ୨୦୧୭ରୁ ଆରମ୍ଭ ହୋଇଛି। ଆର୍‌କେଡିକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଥିବା ବେଳେ ଏହି କାମ ଦୁଇ ବର୍ଷ ଭିତରେ ସରିବା ସ୍ଥିତିରେ ନାହିଁ। ସ୍ଥିତି ଏପରି ହୋଇଛି ଯେ ଆଉ ବର୍ଷକ ମଧ୍ୟରେ ବି କାମ ସରିବାର ସମ୍ଭାବନା ଦେଖାଯାଉନି। ହେଲେ ଏଥିପାଇଁ ନା ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କର ତନାଘନା ଅଛି ନା ଘରୋଇ ସଂସ୍ଥା ଧାର୍ଯ୍ୟ ସମୟରେ ଲକ୍ଷ୍ୟ ହାସଲ କରିବା ଭଳି କାମ କରୁଛି।

ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାକୁ ସ୍ମାର୍ଟ ଜନପଥରେ ପରିଣତ କରିବାର ଇତି ମଧ୍ୟରେ ୧୦ମାସ ବିତିଗଲାଣି। ହକି ବିଶ୍ବକପ୍‌ ପୂର୍ବରୁ ତରବରିଆ ଭାବେ ଏହି କାମ ସରିଗଲା। ଏପରିକି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ରାସ୍ତାରେ ଅଧା କାମ ସରିଛି। କିନ୍ତୁ ହଠାତ୍ ପ୍ରାୟ ୭ମାସ କାମ ପ୍ରାୟ ନହେବାରୁ ଏହି ପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିବା ନେଇ ଦ୍ବନ୍ଦ୍ବ ଉପୁଜିଛି। ସ୍ମାର୍ଟ ଜନପଥ ପାଇଁ ଏବେ ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଥିବା ବେଳେ ଅଧା ରାସ୍ତା ଖୋଳି ଦିଆଯାଇଛି। ବର୍ଷା ଦିନରେ ଏହି ରାସ୍ତା ଖୋଳି ଦିନ ଦିନ ଧରି କାମ ବନ୍ଦ କରିଦେଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଏହି ରାସ୍ତାରେ ଏବେ ଯାତାୟାତ କରିବାକୁ ଲୋକ ଡରୁଛନ୍ତି। ସତ୍ୟନଗରରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଓପିଟିସିଏଲ୍ କେବୁଲ୍‌ ବିଛାଇବା ପାଇଁ ଖୋଳିଥିବା ବେଳେ ମାଷ୍ଟରକ୍ୟାଣ୍ଟିନରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ରାସ୍ତାକୁ ବିଏସ୍‌ସିଏଲ୍‌ ପକ୍ଷରୁ ଖୋଳାଯାଇଛି। ଫଳରେ ଏହି ରାସ୍ତାରେ ଗାଡ଼ି ଜାମ୍ ହୋଇଯାଉଛି। ଦୀର୍ଘ ସମୟ ଧରି ଲୋକ ରାସ୍ତାରେ ଅଟକି ରହୁଥିଲେ ହେଁ କର୍ତ୍ତୃପକ୍ଷ ଏହାର ସମାଧାନ ବାଟ ବାହାର କରୁନାହାନ୍ତି, ବରଂ ରାସ୍ତା ଖୋଳିକି ମାସ ମାସ ଧରି ପକାଇଦେଉଛନ୍ତି।

ଏନେଇ ବିଏସ୍‌ସିଏଲ୍‌ର ସିଇଓ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସ୍ମାର୍ଟ ଜନପଥ କାମ ଧାର୍ଯ୍ୟ ସମୟରେ ସରିବନି। ଅକ୍ଟୋବର ୨୦୧୯ରେ ଏହା ସରିବାର ଥିଲେ ହେଁ ବାତ୍ୟା ଫନି ଯୋଗୁଁ କାମ ବାଧାପ୍ରାପ୍ତ ହୋଇଥିଲା। ତେଣୁ ସ୍ମାର୍ଟ ଜନପଥ କାମ ଆସନ୍ତା ମାର୍ଚ୍ଚ-ଏପ୍ରିଲ ବେଳକୁ ସରିବ। ବିଏସ୍‌ସିଏଲ୍‌ ସିଇଓଙ୍କ ଏହି ଉତ୍ତର ଦର୍ଶାଉଛି ଯେ ଆସନ୍ତା ୮ମାସ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ଜନପଥ ଯନ୍ତ୍ରଣା ସହିବାକୁ ପଡ଼ିବ।

ଏଠାରେ ପ୍ରଶ୍ନ ଉଠୁଛି ଯେ ହକି ବିଶ୍ବକପ୍‌ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ କାମ ଜୋରଦାର୍ ଚାଲିଥିବା ବେଳେ ଏହାପରେ ପ୍ରାୟ ୭ମାସ ପର୍ଯ୍ୟନ୍ତ କାହିଁକି ବନ୍ଦ ରହିଲା। ଯେଉଁ ସମୟରେ କାମ କରିବା କଥା ସେହି ସମୟରେ କାମ ନକରି ବର୍ଷା ସମୟରେ ରାସ୍ତା ଖୋଳିକି ଲୋକଙ୍କୁ କାହିଁକି ନିର୍ଯାତନା ଦିଆଯାଉଛି।

ସୂଚନାଯୋଗ୍ୟ ଯେ ୭୯.୫୬କୋଟି ଟଙ୍କାରେ ନିର୍ମାଣ ହେଉଥିବା ସ୍ମାର୍ଟ ଜନପଥ ପ୍ରକଳ୍ପରେ ପୂରା ଜନପଥକୁ ଅତ୍ୟାଧୁନିକ ରୂପ ଦିଆଯିବ। ରାସ୍ତାରେ ଗାଡ଼ି ଚାଳକ, ପଥଚାରୀ, ସାଇକେଲ ଚାଳକଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍ ରହିବ। ଡ୍ରେନ୍, ସ୍ବେରେଜ୍, ବିଦ୍ୟୁତ୍‌ ତାର, ଗ୍ୟାସ୍‌ ପାଇପ୍ ଲାଇନ୍ ବିଛାଇବା ଏବଂ ଅନ୍ୟାନ୍ୟ କେବୁଲ୍‌ ବିଛାଇବା ପାଇଁ ସ୍ବତନ୍ତ୍ର ୟୁଟିଲିଟି କରିଡର୍‌, ଅନ୍‌ ଷ୍ଟ୍ରିଟ୍ ପାର୍କିଂ ବ୍ୟବସ୍ଥା, ରାସ୍ତା କଡ଼ରେ ପବ୍ଲିକ ପ୍ଲାଜା, ଲୋକ ବସିବା ପାଇଁ ଚେୟାର, ରାସ୍ତାରେ ଅର୍ଣ୍ଣାମେଣ୍ଟାଲ ଷ୍ଟ୍ରିଟଲାଇଟ୍‌ ଲାଗିବା ଭଳି କାର୍ଯ୍ୟ ହେବ। ଏହି ରାସ୍ତା ପାଶ୍ଚାତ୍ୟ ଦେଶର ରାସ୍ତା ଭଳି ଯେପରି ଦେଖାଯିବ, ସେହିପରି ଏହାର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ଯେପରି ରାସ୍ତା ନିର୍ମାଣ ହୋଇଛି ପୂରା ଜନପଥ ସେହିଭଳି ହେବ।

ସମ୍ବନ୍ଧିତ ଖବର