ବିପଦସଂକୁଳ ମାଳି କଲୋନି କୋଠା, ତଳିଆ କର୍ମଚାରୀ ବୋଲି ଅଣଦେଖା!

ଭୁବନେଶ୍ବର : ଛାତ ଉପର ଜଙ୍ଗଲ ପାଲଟିଛି। ଛାତିଏ ଛାତିଏ ଉଚ୍ଚର ଅନାବନା ଗଛ ସାଙ୍ଗକୁ ବର, ଅଶ୍ବତ୍‌ଥ ଗଛ ଉଠି ଛାତ ଫଟାଇଲାଣି। କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ଛାତରୁ ପାଣି ଗଳୁଛି। ପୁଣି କେଉଁଠୁ ଛାତରୁ ଫଲ୍‌ସ ଖସି ଲୋକଙ୍କ ଉପରେ ପଡ଼ୁଛି। ଗ୍ରିଲ୍‌ ଭାଙ୍ଗି ଝୁଲି ରହିଛି। କବାଟ ଝରକା ବି ଭାଙ୍ଗି ନଷ୍ଟ ହୋଇଗଲାଣି। ଏଭଳି ବିପଦସଂକୁଳ ଅବସ୍ଥାରେ ରହିଛି ୟୁନିଟ୍‌-୩ ମାଳି‌ କଲୋନି।

କେତେବେଳେ ଯେ ଏହା ଭୁଶୁଡ଼ିବ, କେହି କହିପାରିବେ ନାହିଁ। ଜୀବନକୁ ବାଜି ଲଗାଇ ଏଭଳି ଶଙ୍କା ଆଶଙ୍କାରେ ଦିନ କାଟୁଛନ୍ତି ମାଳି କଲୋନିର ୯୬ ପରିବାରର ପାଖାପାଖି ୫ଶହରୁ ଊର୍ଧ୍ବ ଲୋକ।

କଲୋନିର ୮ଟି ବ୍ଲକ ରହିଛି। ପ୍ରତି ବ୍ଲକରେ ୧୨ଟି ଲେଖାଏଁ ଘର ଅର୍ଥାତ ମୋଟ ୯୬ଟି ଘର ଏଭଳି ଅବସ୍ଥାରେ ରହିଛି। ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଘରଗୁଡ଼ିକ ଦୁର୍ବଳ ହୋଇପଡ଼ିଛି।

କେବଳ ଏତିକି ନୁହେଁ, ଛାତ ଉପରକୁ ଯିବାକୁ ବାଟ ନଥିବାରୁ ବର୍ଷ ବର୍ଷ ଧରି ସଫେଇ ହୋଇ ପାରୁନାହିଁ। ଫଳରେ ଉପରେ ପାଣି ଜମି କାନ୍ଥ ଓ ଛାତକୁ ନଷ୍ଟ କରୁଛି।

ବର୍ଷା ଦିନେ ଛାତରୁ ପାଣି ଗଳୁଥିବାରୁ ଲୋକମାନେ ଘର ଭିତରେ ପଲିଥିନ୍‌ ଟାଙ୍ଗିଛନ୍ତି। କାହାର ବାଥରୁମ୍‌ରେ ତ କାହାର ବେଡ୍‌ରୁମ୍‌ ପୁଣି କାହ‌ାର କିଚେନ୍‌ ସବୁଠି ଛାତ ତଳେ ପଲିଥିନ୍‌ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘରଗୁଡ଼ିକ ପାଖାପାଖି ୫୦ବର୍ଷ ପୁରୁଣା। ଏହାର ମରାମତି ଆବଶ୍ୟକ ଥିଲେ ମଧ୍ୟ କରାଯାଉ ନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନାହାନ୍ତି। ୪ ବର୍ଷ ତଳେ ଏହାର କିଛିଟା ମରାମତି କରାଯାଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ତାହା ମଧ୍ୟ ନଷ୍ଟ ହୋଇଗଲାଣି।

ଅନ୍ୟପଟେ ବାବୁମାନଙ୍କ ଘର ରଙ୍ଗ ଖରାପ ହେଲେ ବାରମ୍ବାର ରଙ୍ଗ ଦିଆଯାଉଛି। ଫନିରେ ପାଚେରି ଭାଙ୍ଗିଲା‌ ‌ଯେ ସପ୍ତାହକ ଭିତରେ ତାହା ତିଆରି କରିଦିଆଗଲା। ଅଥଚ ଏମାନଙ୍କ ଘର ଉପରେ କାହାରି ନଜର ପଡ଼ୁନି। ତେ‌ବେ କାହିଁକି ଏମାନଙ୍କୁ ଅବହେଳା କରାଯାଉଛି? ନା ତଳିଆ କର୍ମଚାରୀ ବୋଲି ଅଣଦେଖା କରାଯାଉଛି?

ବିଶୁଦ୍ଧ ପାଣି ମିଳିବା ସ୍ବପ୍ନ
କଲୋନି ଲୋକଙ୍କୁ ବିଶୁଦ୍ଧ ପାଣି ମିଳିବା ସାତସପନ। କାରଣ ଛାତ ଉପରେ ଥିବା ପାଣି ଟାଙ୍କିଗୁଡ଼ିକ ଉପରେ ଶିଉଳି ମାଡ଼ି ଯାଇଛି। ଟାଙ୍କିଗୁଡ଼ିକ ଢାଙ୍କୁଣି ନ ଥିବାରୁ ମୁକୁଳା ହୋଇପଡ଼ି ରହିଛି। ଫଳରେ ଟାଙ୍କିରେ ଧୂଳି, ମଇଳା ପଶି ପୋକଜୋକ ହେଉଛନ୍ତି। ଏଭଳି ସ୍ଥିତି ଯୋଗୁଁ ପାଣି ପଚି ଗନ୍ଧ ହେଉଛି। ଲୋକମାନେ ଏହି ପାଣି ପିଇବା ଦ୍ବାରା ସଂକ୍ରାମକ ରୋଗକୁ ନିମନ୍ତ୍ରଣ କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି କାହାରି ନିଘା ନାହିଁ।

ବିଷଧରଙ୍କ ବାସସ୍ଥାନ
ପରିମଳ ବ୍ୟବସ୍ଥା ନ କହିବା ଭଲ। ଦୀର୍ଘଦିନ ଧରି ସଫା ହେଉ ନ ଥିବାରୁ ଛାତ ଉପର ଓ ଘର ପଛପଟଗୁଡ଼ିକ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହୋଇଛି। ଫଳରେ ତାହା ବିଷଧର ଜୀବଙ୍କ ବ‌ାସସ୍ଥଳୀ ପାଲଟିଛି। ଯାହାକି ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର