ବିଚିତ୍ର ରାସ୍ତା : ଶିଖରଚଣ୍ଡୀ ପାଦଦେଶରୁ ଶୈଳଶ୍ରୀବିହାର

ଚନ୍ଦ୍ରଶେଖରପୁର : ରାସ୍ତା ଖରାପ ଥିଲା। ଯିବା ଆସିବାରେ ଲୋକମାନେ ଅସୁବିଧା ଭୋଗୁଥିଲେ। ଟ୍ରାଫିକ ସମସ୍ୟା ହେଉଥିଲା। ଯେଉଁଥିପାଇଁ ରାସ୍ତା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହେଲା। କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ୩୦ ଫୁଟିଆ ରାସ୍ତାକୁ ୮୦ ଫୁଟ୍‌ କରାଗଲା। ରାସ୍ତା ପାର୍ଶ୍ବରେ ଡ୍ରେନ, ଫୁଟପାଥ, ସର୍ଭିସ ରୋଡ ଆଦି ରହିଲା। କାର୍ଯ୍ୟକୁ ନୂଆ ରୂପ ଦେବା ପାଇଁ ସରକାରୀ ବାବୁମାନେ ଦିନରାତି ଏକ କରି ଲାଗିପଡ଼ି ନକ୍ସା ପ୍ରସ୍ତୁତ ବି କଲେ। ତେବେ ରାସ୍ତା ନିର୍ମାଣ କିଭଳି ଚାଲିଛି ତାହା ଦେଖିଲେ ଅପଣ ବି ବିଶ୍ୱାସ କରିପାରିବେ ନାହିଁ। ଏଭଳି ବିଚିତ୍ର ରାସ୍ତା ଆଗରୁ ରାଜଧାନୀରେ କେବେ ଦେଖିବାକୁ ମିଳି ନ ଥିଲା, ଯାହାକି ସହରର ଆଇଟି ହବ୍‌ ଭାବେ ପରିଚିତ ଇନ୍‌ଫୋସିଟି ଅଞ୍ଚଳରେ ଦେଖିବାକୁ ମିଳୁଛି। ଶିଖରଚଣ୍ଡୀ ପଦଦେଶରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଛି ଯେ ଲୋକେ ଗଲା ବେଳେ ଉପର, ତଳ, ଆଗ, ପଛ ଦେଖିକି ଯିବେ। ନ ହେଲେ ପାଦେ ପାଦେ ବିପଦ। କେତେବେଳେ ଯେ ଜୀବନ ଚାଲିଯିବ, କେହି କହିପାରିବେ ନାହିଁ।

ବିଦ୍ୟୁତ ଖୁଣ୍ଟିକୁ ଢିରା
ଆଇଟି ହବ୍‌ ଭାବେ ପରିଚିତ ଏହି ଅଞ୍ଚଳରେ ଅତ୍ୟାଧୁନିକ ବୁଦ୍ଧି ଖର୍ଚ୍ଚ କରାଯାଇ କାମ ହେଉଛି। ରାସ୍ତା ମଝିରେ ୧୧ କେଭି ବିଦ୍ୟୁତ ଖୁଣ୍ଟି ରହିଛି। ପୂର୍ତ୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ-୩ ଏଠାରେ ରାସ୍ତା କାମ କରୁଥିଲେ ମଧ୍ୟ ମଝି ରାସ୍ତାରୁ ବିଦ୍ୟୁତ ଖୁଣ୍ଟି ହଟାଯାଇ ନାହିଁ। ବରଂ ବିଦ୍ୟୁତ ଖୁଣ୍ଟି ଚାରି ପାଖ ପିଚୁ ରାସ୍ତା କରି ଛାଡ଼ି ଦିଆଯାଉଛି। ସହରର ଅନ୍ୟ ସ୍ଥାନ ପରି ଏଠାରେ ମଧ୍ୟ ବାବୁମାନେ ବିଦ୍ୟୁତ ଖୁଣ୍ଟି ଘୁଞ୍ଚାଇବା ଲାଗି ବିଦ୍ୟୁତ ବିଭାଗକୁ ଚିଠି ଲେଖି ନାହାନ୍ତି। ବିଦ୍ୟୁତ ବିଭାଗ ଅଧିକାରୀମାନେ ବି ଏଠି ନିଜର ବୁଦ୍ଧି ଖଟାଇଛନ୍ତି। ୧୧ କେଭି ବିଦ୍ୟୁତ ଖୁଣ୍ଟିକୁ ସୁରକ୍ଷା ଦେବା ପାଇଁ ଆଉ ଏକ ବିଦ୍ୟୁତ ଖୁଣ୍ଟିକୁ ଢିରା ଭାବେ ଦେଇଛନ୍ତି। ଯଦି କୌଣସି କାରଣବଶତଃ ଏହି ବିଦ୍ୟୁତ ଖୁଣ୍ଟି ଉପୁଡ଼ିବ ତେବେ କିଏ ଦାୟୀ ରହିବ ସେନେଇ ପ୍ରଶ୍ନ ଉଠିଛି।

ରାସ୍ତା ଉପରେ ସର୍ଭିସ ରୋଡ
ଏହି ରାସ୍ତାର ଆଉ ଏକ ଦୃଶ୍ୟ ଉପରେ ନଜର ପକାଇବା। ସହରରେ ସବୁଠି ଦେଖିଛେ ରାସ୍ତା ତଳକୁ ନହେଲେ ରାସ୍ତା ପାର୍ଶ୍ବରେ ସର୍ଭିସ ରୋଡ ରହିଥାଏ। ତେବେ ଏଠାରେ ରାସ୍ତା ଉପରେ ସର୍ଭିସ ରୋଡ ନିର୍ମାଣ କରାଯାଇ ଦୁର୍ଘଟଣାକୁ ନିମନ୍ତ୍ରଣ କରାଯାଉଛି। ଗୋଟିଏ ପଟେ ଲୋକଙ୍କ ଘରଠାରୁ ୫ ଫୁଟ ଉଚ୍ଚରେ ରାସ୍ତା ନିର୍ମାଣ ହେଉଥିବା ବେଳେ ଅନ୍ୟପଟେ ରାସ୍ତା ଉପରେ ସର୍ଭିସ ରୋଡ ହେଉଛି। ବିରୋଧ କଲେ ଠିକାଦାର ଲୋକଙ୍କୁ ଧମକ ଚମକ ଦେଉଥିବା ବି ଅଭିଯୋଗ ହୋଇଛି। ଏନେଇ ଲୋକେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଆର ଆଣ୍ଡ ବି ଡିଭିଜନ-୩କୁ ବାରମ୍ବାର ଦୌଡୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବରଂ ରାସ୍ତା ପାର୍ଶ୍ବରେ ସର୍ଭିସ ରୋଡ ନ କରିବାକୁ ଉପରୁ ଚାପ ଅଛି ବୋଲି ବାବୁମାନେ କହି ଲୋକଙ୍କୁ କାର୍ଯ୍ୟାଳୟରୁ ଘଉଡ଼ାଇ ଦେଉଛନ୍ତି।

ଅଷ୍ଟବକ୍ର ଡ୍ରେନ
ସାଇ ମନ୍ଦିର ପାଚେରୀକୁ ସୁରକ୍ଷା ଦେବାକୁ ଯାଇ ପୂର୍ତ୍ତ ବିଭାଗର ବଡ଼ବଡ଼ିଆ ବାବୁମାନେ ଡ୍ରେନର ଦିଗ ମୋଡ଼ି ଦେଇଥିବା ସମ୍ପର୍କରେ ଆଗରୁ ପ୍ରକାଶ କରିଥିଲୁ। ଏବେ ଡ୍ରେନର ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ନିର୍ମାଣାଧୀନ ଏହି ଡ୍ରେନ କେତେବେଳେ କେଉଁ ଆଡେ ଯାଉଛି ଜଣା ପଡୁନାହିଁ। କେଉଁଠି ସିଧା ତ’ ଆଉ କେଉଁଠି ୬ ଫୁଟ ଭିତରକୁ। ତ’ ଆଉ କେଉଁଠି ପାଣି ପାଇପ ମଝିରେ ଡ୍ରେନ ନିର୍ମାଣ ହେଉଛି। ଏଭଳି ଅଷ୍ଟବକ୍ର ଡ୍ରେନ ଦେଖି ଲୋକେ ବି ତାଜୁବ। କାହା ଚାପ ଓ କାହାକୁ ସୁରକ୍ଷା ଦେବା ଲାଗି ଏମିତି ଡ୍ରେନ ନିର୍ମାଣ ହେଉଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଯଦି ରାସ୍ତା ଓ ଡ୍ରେନ ନିର୍ମାଣ ଠିକ ଭାବେ ନ ହୁଏ ତେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି।

ମୁଣ୍ଡ ଉପରେ ବିପଦ
ପ୍ରାୟ ୨ କିଲୋମିଟର ବ୍ୟାପୀ ଏହି ରାସ୍ତା ଉପର ଦେଇ ଯାଇଛି ୩୩ କେଭି ବିଦ୍ୟୁତ ତାର। ଚନ୍ଦକା ଗ୍ରିଡରୁ ସହର ଭିତରକୁ ଯାଇଥିବା ବିଦ୍ୟୁତ ତାର ଏହି ରାସ୍ତା ଉପରେ ଯାଇଛି। ରାସ୍ତା ପୁନନିର୍ମାଣ ହୋଇଥିଲେ ମଧ୍ୟ ବିଦ୍ୟୁତ ତାର ହଟାଯାଇ ନାହିଁ କି ବିକଳ୍ପ ବ୍ୟବସ୍ଥା ହୋଇନି। ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟିଗୁଡ଼ିକ ସେମିତି ରାସ୍ତା ମଝିରେ ରହିଛି। ଯେଉଁଥିପାଇଁ ଅନ୍ଧାର ରାତିରେ ଏହି ଖୁଣ୍ଟିରେ ପିଟି ହୋଇ ବହୁ ଲୋକ ଆହତ ବି ହେଉଛନ୍ତି। ୩୩ କେଭିଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱରେ ଘର କରିବାକୁ ନିୟମ ଥିଲେ ମଧ୍ୟ ଏଠାରେ ତାହାକୁ ଖୁଲମଖୁଲା ଉଲ୍ଲଘଂନ କରାଯାଇଛି। ବିପଦପୂର୍ଣ୍ଣ ଭାବେ ଘର, ମନ୍ଦିର ନିର୍ମାଣ କରାଯାଇଥିଲେ ମଧ୍ୟ ଶକ୍ତି କିମ୍ବା ପୂର୍ତ୍ତ ବିଭାଗ ବାବୁମାନଙ୍କ ନଜର ପଡ଼ୁନି।

ସମ୍ବନ୍ଧିତ ଖବର

Comments are closed.