ଅକ୍ଷମଣୀୟ : ଜନପଥରେ ଲୋକଙ୍କୁ ମାରିବାକୁ ଓପିଟିସିଏଲ୍ ବିଛାଇଛି ଯନ୍ତା

ଭୁବନେଶ୍ବର : ଜନପଥରେ ଲୋକଙ୍କୁ ମାରିବାକୁ ଓପିଟିସିଏଲ୍ ଯନ୍ତା ବିଛାଇଛି। ତେଣୁ ଜନପଥରେ ଯାଉଥିଲେ ସତର୍କତା ଅବଲମ୍ବନ କରନ୍ତୁ। ଏହା କହିବାର କାରଣ ହେଲା ଏବେ ଜନପଥରେ ଭୂତଳ କେବୁଲ୍‌ ‌ବିଛାଉଥିବା ଓପିଟିସିଏଲ୍‌ ପକ୍ଷରୁ ୫ଫୁଟ ଉଚ୍ଚରେ ପ୍ରାୟ ୨କିମିରୁ ଅଧିକ ଖୋଳା ହୋଇଥିଲେ ହେଁ ଏହା ଚାରିକଡ଼େ ଆବଶ୍ୟକୀୟ ବ୍ୟାରିକେଡ୍‌ ରଖାଯାଇନି। ଯାହା ବର୍ଷା ରାତିର ଅନ୍ଧକାରରେ ଲୋକଙ୍କୁ ମାରିବାକୁ ଏକ ମରଣଯନ୍ତା ସଦୃଶ ବୋଲି ରାଜଧାନୀବାସୀ କହୁଛନ୍ତି।

ଦୀର୍ଘ ଦୁଇ ବର୍ଷ ହେଲା ଜନପଥରେ ଭୂତଳ କେବୁଲ୍‌ ବିଛାଉଥିବା ଏଲ୍‌ଆଣ୍ଡଟି ସଂସ୍ଥାର ବେପରୁଆ କାର୍ଯ୍ୟ ପାଇଁ ଏବେ ହରଡ଼ଘଣାରେ ପଡ଼ିଛି ଓପିଟିସିଏଲ୍‌। ସରକାରୀ ସଂସ୍ଥା ଏବଂ ଘରୋଇ ସଂସ୍ଥା ମଧ୍ୟରେ ଚାଲିଥିବା ପ୍ରିୟାପ୍ରୀତି ଯୋଗୁଁ ଏବେ ରାସ୍ତା ଖୋଳି ନିର୍ମାଣ କାର୍ଯ୍ୟ କରିବା ସମୟରେ ଯେଉଁ ସବୁ ସୁରକ୍ଷା ବ୍ୟବସ୍ଥା କରିବା କଥା ତାହା କରାଯାଇନି। ଫଳରେ ବାଣୀବିହାରରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ଏହି ମରଣଯନ୍ତା ଆଁ ମେଲାଇ ଚାହିଁଛି। ଗତ ଦୁଇ ଦିନ ହେଲା ରାଜଧାନୀରେ ଲଗାଣ ବର୍ଷା ହେଉଥିବାବେଳେ କେଉଁଠି ରାସ୍ତା, କେଉଁଠି ଖାଲ ତାହା ଜଣାପଡ଼ୁନି। ଦୁଇ ଦିନରେ ଏକାଧିକ ଦୁର୍ଘଟଣା ଘଟିଥିଲେ ହେଁ କର୍ତ୍ତୃପକ୍ଷ ଚେତିନାହାନ୍ତି। ଏପରିକି ପୂର୍ବରୁ ସ୍ବେରେଜ୍ ପାଇଁ ଖୋଳା ଯାଇଥିବା ଗାତ ଏବଂ ମୁକୁଳା ଡ୍ରେନ୍‌ରେ ପଡ଼ି ୬ରୁ ଅଧିକ ଲୋକ ରାଜଧାନୀରେ ମରିଥିଲେ ହେଁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଏଥିରୁ ଚେତିପାରିନାହାନ୍ତି। ଅପେକ୍ଷା କରିଛନ୍ତି କେତେବେଳେ ଏହି ଗାତରେ ଲୋକ ପଡ଼ି ମରିବେ। ଏହାପରେ ସତର୍କତାମୂଳକ ପଦକ୍ଷେପ ନେବେ। ନିକଟରେ ବିଏମ୍‌ସି ସାଲିଆ ସାହିରେ ରାସ୍ତା ଖୋଳି ୫ମାସ ପକାଇଥିବାରୁ ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ଏବେ ସୁଦ୍ଧା ଓପିଟିସିଏଲ୍‌ର ଏହି ଅକ୍ଷମଣୀୟ ଅପରାଧ ପାଇଁ କାହିଁକି ପଦକ୍ଷେପ ନେଉନି ବୋଲି ଚର୍ଚ୍ଚା ହେଲାଣି।

ସମ୍ବନ୍ଧିତ ଖବର