ଭୁବନେଶ୍ୱର: ଡେଙ୍ଗୁ ହେଉଛି ଏକ ଭେକ୍ଟରବାହିତ ରୋଗ। ଏଡିସ୍ ମଶା କାମୁଡ଼ିବାରୁ ଏହା ବ୍ୟାପିଥାଏ। ଠିକଣା ସମୟରେ ଚିହ୍ନଟ ଓ ଚିକିତ୍ସା କରାନଗଲେ ଏହା ଘାତକ ହୋଇପାରେ। ତେଣୁ ଏହି ରୋଗ ସମ୍ପର୍କରେ ସଚେତନ କରିବା ନେଇ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Advertisment

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ସାଉଥ୍‌ ଇଷ୍ଟ୍‌ ଏସିଆ ରିଜିଓନାଲ ଅଫିସର ବୈଜ୍ଞାନିକ ଡାକ୍ତର ବି.ଏନ୍‌.ନାଗପାଲ ଯୋଗଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସେ  କହିଥିଲେ ଯେ, ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ବାହାରି ନାହିଁ। ତେଣୁ ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ବିଭିନ୍ନ ଉତ୍ସ ଚିହ୍ନଟ କରି ଏହାକୁ ସଫା କରିବା ସହ ମଶା କାମୁଡ଼ାରୁ ଦୂରେଇ ରହିବା ହେଉଛି ଅସଲ ସମାଧାନ। ଏଥିପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ।

ସଚେତନତା କାର୍ଯ୍ୟକ୍ରମ ଅବସରରେ ଏଆଇପିଏଚ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଡେଙ୍ଗୁ ରକ୍ତ ନମୁନା ପରୀକ୍ଷା ଲାଗି ଏକ ଡେମନଷ୍ଟ୍ରେସନ କରାଯାଇଥିଲା। ମଲବାୟୋ ଡାଇଗ୍ନୋଷ୍ଟିକ ସହଯୋଗରେ ଅତ୍ୟାଧୁନିକ ଟ୍ରୁନାଟ୍ ମେସିନ ବ୍ୟବହାର କରାଯାଇ କିଭଳି ଡେଙ୍ଗୁ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇଥିଲେ।

ବିଶ୍ୱବ୍ୟାପୀ ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଉଛି। ତେଣୁ ଏହି ଅବସରରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ଡେଙ୍ଗୁ ସଚେତନତା ରଥ’ର ଶୁଭାରମ୍ଭ କରାଯାଇଥିଲା। ଏହି ରଥ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ବାହାରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଜନସାଧାରଣଙ୍କୁ ରୋଗ ସମ୍ପର୍କରେ ସଚେତନ କରିଥିଲା। ଏହାଛଡ଼ା ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡବ୍ଲ୍ୟୁଏଚଓର ବୈଜ୍ଞାନିକ ଡାକ୍ତର ବି ଏନ୍‌ ନାଗପାଲଙ୍କ ସହିତ ଭୁବନେଶ୍ୱର ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକର ବିଲିପଡ଼ା ଗାଁକୁ ଯାଇ ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରିଥିଲେ।

publive-image

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ପବ୍ଲିକ ହେଲଥର ଡିନ୍‌ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପଣ୍ଡା ସଞ୍ଚାଳନ କରିଥିଲେ। ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସେସର ଡିନ୍‌ ପ୍ରଫେସର ନିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ମଲବାୟୋ ଡାଇଗ୍ନୋଷ୍ଟିକର ମ୍ୟାନେଜର ମୋହିତ କୁମାର ମିତ୍ତଲ ପ୍ରମୁଖ ଯୋଗ ଦେଇଥିଲେ।