ବନ୍ୟା ପରେ ଡରାଇଲାଣି ଡେଙ୍ଗୁ

ବାଲିପାଟଣା: ବନ୍ୟା କଷ୍ଟ କମିନାହିଁ। ଏବେ ଡରାଇଲା ଡେଙ୍ଗୁ। ବାଲିପାଟଣା ବ୍ଲକ୍ ତୁରିନ୍ତିରା ପଞ୍ଚାୟତରେ ଡେଙ୍ଗୁ ଜ୍ବର ବ୍ୟାପିବା ଯୋଗୁଁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି। ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ, ଆଗକୁ ଏହି ରୋଗ ବଡ଼ ବିପଦର କାରଣ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଏବେ ଏହି ପଞ୍ଚାୟତରେ ୫ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। କ୍ୟାପିଟାଲ ହସ୍ପିଟାଲରୁ ୪ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଜଣେ ନାବାଳକର ଅବସ୍ଥା ଗୁରୁତର ରହିଛି।

ଏବେ ପିଲାଟି ଚିକିତ୍ସାଧୀନ ରହିଛି। ଏହ‌ାବାଦ୍‌ ବହୁ ଲୋକ ଥଣ୍ଡା ଜ୍ବରରେ ପୀଡ଼ିତ ଅଛନ୍ତି। ସେହିଭଳି ସ୍ଥାନୀୟ ଦୋ‌ରବାଙ୍ଗ ଅଞ୍ଚଳରେ ବି ବହୁ ଲୋକ ଜ୍ବରରେ ପୀଡ଼ିତ ଥିବା ଜଣାପଡ଼ିଛି। କିଛି ଲୋକ ସଚେତନତା ଅଭାବରୁ କିମ୍ବା ଭୟରେ ପରୀକ୍ଷା କରାଉନାହାନ୍ତି। ସ୍ଥାନୀୟ ଦୋକାନରୁ ଔଷଧ ଖାଇ ଦେଉଛନ୍ତି। ଦୁଇ ଚାରି ଦିନ ଔଷଧ ଖାଇବା ପରେ ଯାଇ ରକ୍ତ ପରୀକ୍ଷା କରାଉଛନ୍ତି। ଖାସ୍‌ ଏହି କାରଣରୁ ହିଁ ଉକ୍ତ ନାବାଳକର ଅବସ୍ଥା ଗୁରୁତର ହୋଇପଡ଼ିଛି ବୋଲି କୁହାଯାଉଛି। ଏନେଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀକାନ୍ତ କୁମାର ବେହେରାଙ୍କ ସୂଚନାନୁସାରେ ଏହି ଖବର ମିଳିବା ପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ। ଲୋକେ ମଶାରି ବ୍ୟବହାର କରିବାକୁ ମେଡିକାଲ ଅଫିସର ଡାକ୍ତର ବେହେରା ପରାମର୍ଶ ଦେଇଛନ୍ତି। ଗ୍ରାମାଞ୍ଚଳର ସ୍ବଚ୍ଛତା ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ଥାନୀୟ ସରପଞ୍ଚ ମିତାରାଣୀ ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ ଯେ ଧନୁଆ ନଈରୁ ବନ୍ୟାଜଳ ଛାଡ଼ିବା ପରେ ବି ଗାଁ ଗାଁରେ ଖାଲୁଆ ସ୍ଥାନରେ ପାଣି ଜମି ରହିଛି। ଫଳରେ ମଶାବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର