ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡେଙ୍ଗୁ ତାର କାୟା ମେଲାଇବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଓ୍ଵାର୍ଡକୁ ନିଜ କବଳକୁ ନେଉଛି। କିନ୍ତୁ ଏହାର ନିରାକରଣ ଦିଗରେ ପ୍ରଶାସନିକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ବିଏମ୍ସିର ୧୬ ନମ୍ବର ଓ୍ଵାର୍ଡରେ ଆରମ୍ଭ ହୋଇଥିବା ଡେଙ୍ଗୁ ଏବେ ୧୩ ନମ୍ବର ଓ୍ଵାର୍ଡ ଦେଇ ୧୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଲାଣି। ମାତ୍ର ଦୁଇ ଦିନ ମଧ୍ୟରେ ୧୪ ନମ୍ବର ଓ୍ଵାର୍ଡର ଓମ୍ଫେଡ୍ ବସ୍ତିରେ ୭ ଜଣ ଆକ୍ରାନ୍ତ ହେବାରୁ ଲୋକଙ୍କ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି। ପରିଣାମ ସ୍ୱରୂପ ଆଜି ଡେଙ୍ଗୁ ଯାଞ୍ଚ କରିବାକୁ ଓମ୍ଫେଡ୍ ବସ୍ତିକୁ ଯାଇଥିବା ସ୍ୱସ୍ଥ୍ୟ ଅଧିକାରୀଙ୍କୁ ଲୋକେ ଘେରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ସ୍ୱାସ୍ଥ୍ୟ ଅଧିକାରୀ ଅଟକ ରହିବା ପରେ ଅଞ୍ଚଳବାସୀ ସେମାନଙ୍କୁ ଛାଡ଼ିଥିବା ଜଣାପଡ଼ିଛି। ନୀଳାଦ୍ରିବିହାର ଓମ୍ଫେଡ୍ ବସ୍ତିରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିବା ପରେ ପୂର୍ବାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧିଦଳ ସ୍ଥାନୀୟ ଅଞ୍ଚଳ ବୁଲିବାକୁ ଯାଇଥିଲେ। ସେମାନେ ବସ୍ତି ବୁଲୁଥିବା ଦେଖି ଲୋକେ ତାଙ୍କୁ ଘେରି ଯାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସରକାରୀ ବାବୁମାନେ କେବଳ ଘଟଣାସ୍ଥଳ ବୁଲି ତଦାରଖ କରୁଛନ୍ତି। ନିରାକରଣ ଦିଗରେ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି। ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ସ୍ଥାନୀୟ କାର୍ପୋରେଟର୍ ଦେବୀପ୍ରସାଦ ମଲ୍ଲିକଙ୍କ ଦେଖା ନାହିଁ। ତେଣୁ ଯେପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କ ସମସ୍ୟାର ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଛାଡ଼ିବୁ ନାହିଁ ବୋଲି ଲୋକେ ଜିଦ୍ ଧରିଥିଲେ। ବହୁ ବୁଝାସୁଝା କରିବା ପରେ ଲୋକେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଛାଡ଼ିଥିଲେ। ବସ୍ତି ସମ୍ପାଦକ ସୁଶାନ୍ତ ନାୟକ ଅଭିଯୋଗ କରିଛନ୍ତି ଯେ ଡେଙ୍ଗୁ ନିରାକରଣ କେବଳ କାଗଜ କଲମରେ ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହି ଅଞ୍ଚଳରେ ସଫେଇ ହେଉନି, ବ୍ଲିଚିଂ ପଡ଼ୁନି, ଆବର୍ଜନା ବିଳମ୍ବରେ ଉଠୁଛି, ମଶା ଧୂଆଁ ଗାଡ଼ି ବୁଲୁନି। ଯେଉଁଥିପାଇଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ସଫେଇକୁ ପ୍ରାଧାନ୍ୟ ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।
ନିୟନ୍ତ୍ରଣ ବାହାରେ ଡେଙ୍ଗୁ
ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘେରିଲେ ଲୋକେ
/sambad/media/post_attachments/wp-content/uploads/2018/07/dengue-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)