ଅସମ୍ଭାଳ ଡେଙ୍ଗୁ ସ୍ଥିତି: କ୍ୟାପିଟାଲ ହସ୍ପିଟାଲରେ ତଳେ ଗଡ଼ୁଛନ୍ତି ରୋଗୀ

ଭୁବନେଶ୍ୱର: ବନ୍ୟା ଛାଡ଼ିବା ପରେ ସମ୍ପ୍ରତି ସେସବୁ ଅଞ୍ଚଳରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଡେଙ୍ଗୁ ୱାର୍ଡରେ ଶଯ୍ୟା ଅଭାବ କାରଣରୁ ରୋଗୀମାନଙ୍କୁ ଚଟାଣରେ ଶୁଆଇ ଚିକିତ୍ସା‌ କରାଯାଉଛି। ତେଣୁ ଏଠାରେ ଡେଙ୍ଗୁ ୱାର୍ଡରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ସୂଚନାଯୋଗ୍ୟ ଯେ କ୍ୟାପିଟାଲ୍‌ ହସ୍ପିଟାଲ୍ ଡେଙ୍ଗୁ ୱାର୍ଡରେ ମୋଟ ୧୦ଟି ବେଡ୍ ରହିଛି। କିନ୍ତୁ ବର୍ତ୍ତମାନ ଦୈନିକ ଏହି ହସ୍ପିଟାଲ୍‌କୁ ୩୦ରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ରୋଗୀମାନଙ୍କୁ ତଳେ ଶୁଆଇ ଚିକିତ୍ସା କରୁଛନ୍ତି।

ଜଣେ ଡେଙ୍ଗୁ ରୋଗୀ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଥିବାରୁ ସ୍ବାଭାବିକ ଭାବେ ଦୈନିକ ଡିସ୍‌ଚାର୍ଜ ସଂଖ୍ୟା କମ୍‌ ରହୁଛି। ଦିନକୁ ଅତିବେଶିରେ ୨/୩ ଜଣ ଡିସ୍‌ଚାର୍ଜ ହେଉଥିବା ବେଳେ ୬/୭ ଜଣ ନୂଆ ରୋଗୀ ଭର୍ତ୍ତି ହେଉଛନ୍ତି। ତେଣୁ ସବୁ ରୋଗୀଙ୍କୁ ଶଯ୍ୟା ଯୋଗାଇବା ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଏବେ ଏହି ରୋଗ ବ୍ୟାପିବାର ସ୍ଥିତି ଯାହା ଖୁବ୍‌ ଶୀଘ୍ର ଏହି ହସ୍ପିଟାଲ୍‌ରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୦ ଡେଇଁବ ବୋଲି ଆଶଙ୍କା କରାଯାଉଛି। ତେବେ ଏନେଇ ହସ୍ପିଟାଲର ଜଣେ ବରିଷ୍ଠ ପଦାଧିକାରୀଙ୍କ କହିବା କଥା ଏହି ୱାର୍ଡରେ ଶଯ୍ୟା ବଢ଼ାଇବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏବେ ରୋଗୀଙ୍କୁ ତଳେ ରଖିବାକୁ ପଡ଼ୁଥିଲେ ବି ଚିକିତ୍ସାରେ କୌଣସି ଅବହେଳା କରାଯାଉନାହିଁ। ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର