ଭୁବନେଶ୍ବର: ଡେଙ୍ଗୁ ବେକାବୁ ହେଲାଣି। ଆଉ ନିୟନ୍ତ୍ରଣରେ ନାହିଁ। ୨୪ ଘଣ୍ଟାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। କ୍ୟାପିଟାଲ୍ ହସ୍ପିଟାଲ୍ର ୧୦ ବେଡ୍ ବ୍ୟବସ୍ଥା ହୋଇଥିବା ବେଳେ ପ୍ରତ୍ୟେକ ଦିନ ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ରହୁଛନ୍ତି। ବିଏମ୍ସି ଓ ସ୍ବାସ୍ଥ୍ୟ ବିଭାଗର ସବୁ ଆକଳନ ବିଗିଡ଼ି ଗଲାଣି। ଗତ ୬ ମାସରେ ଭୁବନେଶ୍ବରରେ ୪୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ମୁଣ୍ଡ ଗଡ଼ିବା ପରେ ବି ସେହି ପରିମାଣରେ ତତ୍ପରତା ପ୍ରକାଶ ପାଇନି। ଯେଉଁଥିପାଇଁ ଡେଙ୍ଗୁ ସ୍ଥିତି ଭୟଙ୍କର ଆଡ଼କୁ ଗତି କରିବାରେ ଲାଗିଲାଣି। ଏଣେ ବିଏମ୍ସି କେବଳ ମଶା ଧୂଆଁ ଦେବା ପାଇଁ ପେଟ୍ରୋଲ୍ ଓ ଡିଜେଲ୍ କିଣିବାରେ ଦିନକୁ ୭୯ ହଜାର ଟଙ୍କା ହିସାବରେ ମାସକୁ ୨୩ ଲକ୍ଷ ୭୦ ହଜାର ଖର୍ଚ୍ଚ କରୁଛି। ଏହି ନଗଦ ଖର୍ଚ୍ଚ ବାଦ୍ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ମଶା ନିୟନ୍ତ୍ରଣରେ ବିଏମ୍ସି ମାସକୁ ପ୍ରାୟ ୩୦ ଲକ୍ଷ ଖର୍ଚ୍ଚ କରୁଛି। ହେଲେ ଏ ସବୁ ବାସ୍ତବରେ ଯଦି ଖର୍ଚ୍ଚ ହେଉଛି, ତେବେ ଡେଙ୍ଗୁର ଏଭଳି ସ୍ଥିତି କାହିଁକି?
ଗତକାଲି କ୍ୟାପିଟାଲ୍ ହସ୍ପିଟାଲ୍ରେ ୩୨୦ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୫୦ ଜଣଙ୍କର ପଜିଟିଭ୍ ଆସିଥିଲା।
୨୪ଘଣ୍ଟାରେ ୫୦ ପଜିଟିଭ୍
ନୂଆପଲ୍ଲୀ ରେଡ୍ ଜୋନ୍
କେବଳ ମଶା ଧୂଆଁରେ ଖର୍ଚ୍ଚ ମାସକୁ ୨୩ ଲକ୍ଷ
ଗତକାଲି ୨୫ ଜଣ ଆଡ୍ମିଟ୍ ହୋଇଥିବା ବେଳେ ଆଜି ଆଉ ନୂଆ ୬ ଜଣ ଭର୍ତ୍ତି ହେବାରୁ ମୋଟ୍ ୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଉ ୫୦ଟି ବେଡ୍ ବଢ଼ାଇବା ପାଇଁ ଯୋଜନା କରୁଥିବା କହିଛନ୍ତି। ଜୟଦେବବିହାର ଓ ନୂଆପଲ୍ଲୀ ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡ଼ିଛି। ଆଜି ସୁଦ୍ଧା ସହରରୁ ଚିହ୍ନଟ ହୋଇଥିବା ୪୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ଅଞ୍ଚଳରେ ୫୭ ଆକ୍ରାନ୍ତ ରହିଛନ୍ତି। ଏଣୁ ଏହି ଅଞ୍ଚଳରେ ବିଏମ୍ସି ‘ଆଗ୍ରେସିଭ୍ ଆୱାରନେସ୍’ ଆରମ୍ଭ କରିଛି। ଡାକ୍ତରମାନେ ଘରଘର ବୁଲି ସଚେତନ କରୁଛନ୍ତି। ସେହିଭଳି ମଶାଧୂଆଁ ସ୍ପ୍ରେ କୁ ନିୟମିତ କରାଯାଇଛି। ଡ୍ରେନ୍ ଓ ଅନ୍ୟାନ୍ୟ ଜାଗାରେ ଲାର୍ଭିସାଇଡ୍ ପକାଯାଉଥିବା ବେଳେ ଟିଫା ମେସିନରେ ଧୂଆଁ ଛଡ଼ା ଯାଉଛି। ଏଥିପାଇଁ ଦିନକୁ ୭୦୦ ଲିଟର ଡିଜେଲ୍ ଓ ୯୦ ଲିଟର ପେଟ୍ରୋଲ ଖର୍ଚ୍ଚ ହେଉଛି। କିନ୍ତୁ ମଶା ଧୂଆଁ ଯଥେଷ୍ଟ ହେଉନଥିବା ଅଭିଯୋଗ ହୋଇଛି।