ବିଏମ୍‌ସିକୁ ଡେଙ୍ଗୁ ଚିନ୍ତା: ଗଠନ ହେଲା ଟିମ୍‌, ଜାରି ହେଲା ଏସ୍‌ଓପି

ସଚେତନ ନ ହେଲେ ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିଳମ୍ବରେ ହେଉ ପଛେ ଡେଙ୍ଗୁ ପାଇଁ ବିଏମ୍‌ସି ଚିନ୍ତା କରିଛି। ଆଜି ଠାରୁ ବିଏମ୍‌ସି ଡ୍ରାଏ ଡେ ପାଳନ ଆରମ୍ଭ କରିଛି। ତା’ ସହିତ ସ୍ବତନ୍ତ୍ର ଟିମ୍‌ ଗଠନ କରି ଏକ ଏସ୍‌ଓପି ଜାରି କରିଛି। କୌଣସି ପରିସ୍ଥିତିରେ ଡେଙ୍ଗୁକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ। ଜାରି ହୋଇଥିବା ଏସ୍‌ଓପି ଆଧାରରେ ଟିମ୍‌ କାମ କରିବ। ଅବହେଳା ହେଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସଚେତନ ନ ହେଲେ ଲୋକମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।

ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବରେ ୱାର୍ଡ ନମ୍ବର ୮(ଚନ୍ଦ୍ରଶେଖରପୁର), ୧୩ (ବିଡିଏ କଲୋନି), ୩ (ଡମଣା), ୩୮(ନୂଆପଲ୍ଲୀ) ୩୫ (ୟୁନିଟ୍‌-୯ ଅଞ୍ଚଳ)କୁ ବିଏମ୍‌ସି ଚିହ୍ନିତ କରିଛି। ଏହି ୫ଟି ୱାର୍ଡରେ ପ୍ରତ୍ୟେକ ଦିନ ଡେଙ୍ଗୁ ଚିହ୍ନଟ ହେଉଛଥିବାରୁ ଏହା ଉପ‌ରେ ବିଏମ୍‌ସି ଫୋକସ୍‌ କରିଛି। ଏହି ଅଞ୍ଚଳ ପାଇଁ ୫ଟି ଟିମ୍‌ ଗଠନ କରାଯାଇଛି। ଟିମ୍‌ରେ ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର ଓ ସିଓ(କମ୍ୟୁନିଟି ଅର୍ଗାନାଇଜର) ସଦସ୍ୟ ରହିଛନ୍ତି।

ଏହି ସଦ୍ୟସମାନେ ନିୟମିତ ମଶାଙ୍କ ଉତ୍ପତ୍ତିସ୍ଥଳ ସମ୍ବନ୍ଧରେ ସମ୍ପୃକ୍ତ ୱାର୍ଡ ବାସିନ୍ଦାଙ୍କୁ ଟିମ୍‌ ସଚେତନ କରାଇବ ଓ ଘର ଘର ବୁଲି ସର୍ଭେ କରିବେ। ଘର ଘର ବୁଲି ସଚେତନ କରିବା ପରେ ଯଦି କୌଣସି ଲୋକ, ଅନୁଷ୍ଠାନ କିମ୍ବା କାର୍ଯ୍ୟାଳୟ ପରିସରରେ ମଶାଙ୍କ ଉତ୍ପତ୍ତି ସ୍ଥଳ ଦେଖିବାକୁ ମି‌ଳେ ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଏଣୁ ସାଧାରଣ ଲୋକମାନେ ସଚେତନ ହୁଅନ୍ତୁ। ନିଜ ଘର କିମ୍ବା ଅଗଣାରେ ମଶା ଉତ୍ପତ୍ତି ହେବା ଭଳି ସ୍ଥାନ ରଖନ୍ତୁ ନାହିଁ। ଖାଲି ପାତ୍ର ତଳମୁହାଁ କରି ରଖନ୍ତୁ ବୋଲି ବିଏମ୍‌ସି ପରାମର୍ଶ ଦେଇଛି। ଏହାକୁ ସମ୍ପୃକ୍ତ ୱାର୍ଡ ଅଫିସର ନିଶ୍ଚିତ କରିବେ।
ସାନିଟାରି ଇନ୍‌ସ୍‌ପେକ୍ଟର ଏକ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ତିଆରି କରିବେ। ସମ୍ପୃକ୍ ଜେଡ୍‌ଡିସିଙ୍କ ସମେତ ବରିଷ୍ଠ ନାଗରିକ, ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ସଂଗଠକ, ସ୍ବଚ୍ଛ ସାଥୀ, ସିଟି ହେଲ୍ଥ ଅଫିସର ଓ ‌ସଚେତନ ନାଗରିକଙ୍କୁ ଏହି ଗ୍ରୁପ୍‌ରେ ରଖିବେ। ଗ୍ରୁପ୍‌ରେ ସେମାନେ ଦେଉଥିବା ପ୍ରସ୍ତାବ ଓ ସୂଚନା ଆଧାରରେ କାମ କରିବେ। ସାନିଟାରି ଇନ୍‌ସ୍‌ପେକ୍ଟର ଏକ ସ୍ବତନ୍ତ୍ର ଫର୍ମାଟ୍‌ରେ ପ୍ରତି ଦିନର ସ୍ଥିତାବସ୍ଥା କମିସନରଙ୍କୁ ଅବଗତ କରାଇବେ। ବ୍ୟାପକ ବିଜ୍ଞାପନ ଓ ଫଟୋ, ଭିଡିଓ ଜରିଆରେ ସଚେତନତା ସୃଷ୍ଟି କରାଯିବ।

ଉପରୋକ୍ତ ୫ଟି ୱାର୍ଡରେ ଏଭଳି ନିୟମିତ କାର୍ଯ୍ୟ ଚାଲିବ। ଏହା ପରେ ପରେ ଅନ୍ୟ ୱାର୍ଡଗୁଡ଼ିକରେ ଏଭଳି ଟିମ୍‌ ଗଠନ କରାଯିବ ଓ ଆଜି ଜାରି ହୋଇଥିବା ଏସ୍‌ଓପି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଆଜି ବିଭିନ୍ନ ସ୍ଥାନ‌ରେ ବଏମ୍‌ସି ସଚତନତା ସୃଷ୍ଟି କରିବା ସହ ପ୍ରୟାସ ସିଙ୍ଗିଲ୍‌ ୱିଣ୍ଡୋ, ସିଏଫ୍‌ଏଆର ପକ୍ଷରୁ ଘର ଘର ବୁଲି ସଚେତନତା ସୃଷ୍ଟି କରିଛି। ବିଏମ୍‌ସି ବିଭିନ୍ନ ଅଞ୍ଚଳରେ ମଶା ଧୂଆଁ ଓ ତେଲ ପକାଇଛି। ଅନ୍ୟପଟେ ଆଜି ବର୍ଷା ହୋଇଥିବାରୁ ବିଭିନ୍ନ ଜାଗାରେ ରହିଥିବା ଖାଲି ପାତ୍ରରେ ପାଣି ଭରି ଯାଇଥିବ। ଏଣୁ ଆଗକୁ ଏହା ମଶାଙ୍କ ଉତ୍ପତ୍ତି ସ୍ଥଳ ହେବା ଆଶଙ୍କା ରହିଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଡ୍ରାଏ ଡେ ଅବସରରେ ଏହି ସବୁ ପାତ୍ରକୁ ଓଲଟାଇ ରଖିବାକୁ ବିଏମ୍‌ସି ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର