ଭୁବନେଶ୍ବର, ୨୧।୬(ଇମିସ): ଡେଙ୍ଗୁ ପାଇଁ ଏବେ ଭାଙ୍ଗିଲା ବିଏମ୍ସି ନିଦ। ବିଏମ୍ସି ମେୟର ଓ କମିସନର ଆଜି ଦିନତମାମ୍ ଘନଘନ ବୈଠକ କରି ମାନସମନ୍ଥନ କରିଛନ୍ତି। କର୍ପୋରେଟରଙ୍କୁ ଡେଙ୍ଗୁ ପାଠ ପଢ଼ାଇଛନ୍ତି। ସ୍ବାସ୍ଥ୍ୟ ଓ ବିଏମ୍ସି ଅଧିକାରୀଙ୍କୁ ବି ପରିମଳ ବ୍ୟବସ୍ଥା ଠିକ୍ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରତି ୱାର୍ଡରେ ଲୋକଙ୍କୁ ଯେପରି ସଚେତନ କରାଯିବ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ବଡ଼ କଥା ହେଉଛି, ଏଣିକି ପ୍ରତି ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ପାଳନ ଲାଗି ନିଷ୍ପତ୍ତି ହୋଇଛି। ଏହି ଦୁଇ ଦିନରେ କର୍ପୋରେଟରମାନେ ନିଜ ୱାର୍ଡର ଘରକୁ ଘର ବୁଲି ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ବୁଝାଇବେ। ଆବଶ୍ୟକ ହେଲେ ଡେଙ୍ଗୁ ରୋଗୀଙ୍କ ନମୁନା ପରୀକ୍ଷା ଦିଗରେ ପଦକ୍ଷେପ ନେବେ।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ। ସେମାନେ ନିଜ ନିଜ ୱାର୍ଡରେ ଡେଙ୍ଗୁ ସଂକ୍ରମଣ ସମ୍ପର୍କରେ ମତପ୍ରକାଶ କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ୧୦ରୁ ଅଧିକ ୱାର୍ଡରେ ଡେଙ୍ଗୁ ସଂକ୍ରମଣ ବଢ଼ିଚାଲିଛି। ସେଥିମଧ୍ୟରୁ ୫ଟି ୱାର୍ଡ ଯଥା ୩, ୮, ୧୩, ୩୪ ଓ ୩୫ ନମ୍ବର ୱାର୍ଡ ଏବେ ଅଧିକ ସମ୍ବେଦନଶୀଳ। ପ୍ରତିଦିନ ଉକ୍ତ ୫ଟି ୱାର୍ଡରୁ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ନିକଟରେ ନମୁନା ଯାଞ୍ଚ ସୁବିଧା ଉପଲବ୍ଧ ନ ଥିବାରୁ ସଂକ୍ରମିତମାନେ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଉଥିବା ନେଇ ଅଭିଯୋଗ ଆସିଥିଲା। ଉତ୍ତରରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ସୂଚନା ଦେଇଥିଲେ ଯେ ଏବେ ରାଜଧାନୀର ତିନି ସ୍ଥାନରେ ମାଗଣାରେ ଡେଙ୍ଗୁ ନମୁନା ପରୀକ୍ଷା କରାଯାଉଛି। କ୍ୟାପିଟାଲ ହସ୍ପିଟାଲ ସମେତ ଆର୍ଏମ୍ଆର୍ସି, ଭୁବନେଶ୍ବର ଏମ୍ସରେ ସଂକ୍ରମିତମାନେ ନମୁନା ପରୀକ୍ଷା କରିପାରିବେ।
ଏହି ଅବସରରେ କର୍ପୋରେଟରମାନଙ୍କୁ ଡେଙ୍ଗୁ ସମ୍ପର୍କରେ ପଢ଼ାଯାଇଥିଲା। ପଇଡ଼ ଖୋଳ, ପ୍ଲାଷ୍ଟିକ୍, ଭଙ୍ଗା ବାଲ୍ଟିରେ ପାଣି ଜମି ରହିବା ଦ୍ବାରା ସେଠାରେ ଏଡିସ୍ ମଶା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଏଭଳି ସ୍ଥାନରେ ୭ରୁ ଅଧିକ ଦିନ ପର୍ଯ୍ୟନ୍ତ ପାଣି ଜମିବାକୁ ନ ଦେବା ବିଷୟରେ କର୍ପୋରେଟରମାନଙ୍କୁ ଲକ୍ଷ୍ୟ କରିବାକୁ କୁହାଯାଇଛି। ତେବେ ଏହି ସମୟରେ କେତେଜଣ କର୍ପୋରେଟର ସଚେତନତା ଗାଡ଼ି ବୁଲାଇବା, ମଶା ଧୂଆଁ ଓ ତେଲ ପକାଇବାକୁ ଦାବି କରିଥିଲେ। ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ନେଇ ଡେଙ୍ଗୁ ଶୃଙ୍ଖଳ ଭାଙ୍ଗିବା ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ସମ୍ବେଦନଶୀଳ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମୀ, ବିଏମ୍ସିର ସ୍ବଚ୍ଛ ସାଥୀ, ସ୍ବେଚ୍ଛାସେବୀଙ୍କ ସହଯୋଗରେ ମଶା ଉତ୍ସକୁ ନଷ୍ଟ କରିବା ଅଭିଯାନ ଚାଲୁ ରଖାଯିବ। ବର୍ଷା ସମୟ, ବିଶେଷକରି ଅଗଷ୍ଟ ମାସରେ ଭେକ୍ଟର ବା ଭୂତାଣୁ ବାହକଜନିତ ରୋଗ ଅଧିକ ହେଉଥିବାରୁ ଏବେଠାରୁ ଗୋଷ୍ଠୀସ୍ତରୀୟ ସତର୍କତା ଜରୁରୀ ବୋଲି ବୈଠକରେ ଆଲୋଚନା ହୋଇଛି। ସଚେତନତା ରଥ ବୁଲାଇବା, ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସାମିଲ କରିବା, ପଥପ୍ରାନ୍ତ ନାଟକ, ଦୃଶ୍ୟଶ୍ରାବ୍ୟ ଉପକରଣର ଉପଯୋଗ, ଗଣମାଧ୍ୟମ, ବିଶେଷକରି ସାମାଜିକ ଗଣମାଧ୍ୟମରେ ନାଗରିକମାନଙ୍କୁ ସଂଯୋଗ କରି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।
ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ ସମସ୍ତେ ମିଶି କାମ କଲେ ଡେଙ୍ଗୁ ପ୍ରତିକାର କରିପାରିବା କଷ୍ଟକର ହେବ ନାହିଁ। ପ୍ରତି ସପ୍ତାହରେ ଗୁରୁବାର ଦିନ ବିଭିନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ଦିନ ନିଜ ଘର ନିକଟରେ କୌଣସି ସ୍ଥାନରେ ଥିବା ପାଣି ପାତ୍ରକୁ ନିୟମିତ ଭାବେ ଖାଲି କରିବାକୁ ପଡ଼ିବ। ଏଥିରେ ସମସ୍ତ କର୍ପୋରେଟରଙ୍କ ସହଯୋଗ ଆବଶ୍ୟକ। କାହା ଘରେ ଯଦି ଜ୍ବର ଦେଖାଦିଏ, ତେବେ ସ୍ବାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନିଅନ୍ତୁ। ଡେଙ୍ଗୁ ପ୍ରତିଷେଧକର ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କିମସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନରେ କମିସନର ଶ୍ରୀ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବିଏମ୍ସିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।